/odisha-reporter/media/post_attachments/uploadimage/library/16_9/16_9_0/Accused_1753969398.jpg)
Accused
ଜଣେ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ତାଙ୍କ ନାଁ ନିଶିକାନ୍ତ ରାଉତ ଓରଫ ପପି। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଥାନା ରତାଗଡ଼ରେ।
ନିଶିକାନ୍ତଙ୍କ ଗାଁର ଜଣେ ୪୪ ବର୍ଷୀୟା ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖ ସନ୍ଧ୍ୟାରେ ସେ ଘରେ ଧୂପ ଦେଉଥିବା ବେଳେ ନିଶିକାନ୍ତ ରାଉତ ତାଙ୍କୁ ପଛପଟୁ କୁଣ୍ଢାଇ ପକାଇଥିଲେ। ସେତେବେଳେ ନିଶିକାନ୍ତ ସଂପୂର୍ଣ୍ଣ ଉଲଗ୍ନ ଥିଲେ। ସେ ଜୋରରେ ପାଟି କରିବାରୁ ତାଙ୍କ ଯାଆ ଓ ପାଖ ଘରର ଜଣେ ମହିଳା ଦୌଡ଼ି ଆସିଥିଲେ ଏବଂ ପାଟି କରିଥିଲେ। ଏହା ପରେ ଗ୍ରାମର ଅନ୍ୟ କିଛି ଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେଠାରୁ ଗଲାବେଳେ ନିଶିକାନ୍ତ ରାଉତ ତାଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ। କେବଳ ସେତିକି ନୁହେଁ, ଉକ୍ତ ମହିଳାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ନଦୀରେ ଫିଙ୍ଗି ଦେବେ ବୋଲି ଧମକ ଦେଇଛନ୍ତି।
ଏହି ଘଟଣା ସଂପର୍କରେ ମହିଳା ଜଣଙ୍କ ଗ୍ରାମ ସଭାପତିଙ୍କ ନଜରକୁ ନେଇଥିଲେ। ତେଣୁ ସେଦିନ ରାତିରେ ଗାଁରେ ସଭା ବସିଥିଲା। ସେଠାରେ ନିଶିକାନ୍ତ ରାଉତ ୩୦ ହଜାର ଟଙ୍କା ଫୋପାଡ଼ି ତାଙ୍କ ମୁହଁ ବନ୍ଦ କରି ଦେବାକୁ କହିଥିଲେ। ସେ ଗାଁର କୌଣସି ବ୍ୟକ୍ତିଙ୍କ କଥା ଶୁଣି ନଥିଲେ। ପୂର୍ବରୁ ଥରେ ମଧ୍ୟ ସେ ଗ୍ରାମସଭାରେ ଭୁଲ ମାଗି ୩୦ ହଜାର ଟଙ୍କା ଦେଇଥିଲେ।
ଏହି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ନିଶିକାନ୍ତ ରାଉତ ତାଙ୍କ ଉପରେ ଆକ୍ରୋଶ ମନୋଭାବ ରଖି ଏପରି କରିଛି। ତାଙ୍କ ବାପ ଘର ଗାଁରେ ନିଶିକାନ୍ତ ଜଣେ ଯୁବତୀଙ୍କୁ ଖରାପ ବ୍ୟବହାର କରିଥିଲା। ସେଥିପାଇଁ ଲୋକେ ତାକୁ ସେଠାରେ ବାନ୍ଧି ପିଟିଥିଲେ। ଆଠଗଡ଼ ପୁଲିସ ତାକୁ ସେଠାରୁ ଉଦ୍ଧାର କରି ଦୁଇ ଦିନ ଅଟକ ରଖିଥିଲା। ସେ ଏହି ଘଟଣା ବିଷୟରେ ଗାଁରେ ପ୍ରକଟ କରିଥିବା ନିଶିକାନ୍ତ ସନ୍ଦେହ କରୁଥିଲା। ତେଣୁ ସେ ତାଙ୍କ ଉପରେ ରାଗ ରଖିଛନ୍ତି।
ଅଭିଯୋଗକାରୀ ଘଟଣା ସଂପର୍କରେ ଗତ ୨୮ ତାରିଖରେ ବାଙ୍କୀ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ନିଶିକାନ୍ତ ପୁଲିସ କର୍ମଚାରୀ ହୋଇଥିବାରୁ ବାଙ୍କୀ ପୁଲିସ ତାଙ୍କ ଏତଲା ଗ୍ରହଣ କରି ମାମଲା ରୁଜୁ କରୁନି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏଭଳି କୌଣସି ଅଭିଯୋଗ ବାଙ୍କୀ ଥାନାକୁ ଆସିନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି। କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ କହିଛନ୍ତି ଯେ ଏଭଳି କିଛି ଅଭିଯୋଗ ଥାନାକୁ ଆସିନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି। ସେ (ଅଭିଯୋଗ ଆଣିଥିବା ମହିଳା) ତାଙ୍କ ଅଭିଯୋଗ ନେଇ ଥାନାକୁ ଗଲେ ତାକୁ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
