Ramadevi Women’s University
ରମାଦେବୀ ଜୁନିୟର କଲେଜ ଛାତ୍ରୀ ଆଣିଲେ ରାଗିଂ ପରି ସାଂଘାତିକ ଅଭିଯୋଗ । ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି । ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି ନ୍ୟାୟ ନ ପାଇବାରୁ ଗଣଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଜଣକ । ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।
ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି। ସେ କରିଥିବା ଅଭିଯୋଗ ଅନୁଯାୟୀ, ରମାଦେବୀ ଜୁନିୟର କଲେଜର ୧ ନମ୍ବର ରୁମ୍ରେ ସେ ରହୁଥିବା ବେଳେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଏପରିକି ଏକ ଘରିକିଆ କରି ରଖାଯାଇଛି।
ଏପରିକି ଅନ୍ତେବାସୀମାନେ ତାଙ୍କୁ ଆକ୍ଷେପ କରି ଜାତିଆଣ ମନ୍ତବ୍ୟ ଦେବା, ରୁମ୍ରେ ଅଶ୍ଳିଳ ଭିଡିଓ ଦେଖିବା, ରାତିରେ ସର୍ଟ୍ସ ପିନ୍ଧିବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରୁମ୍ରେ ତାଙ୍କୁ ଏକ ଘରକିଆ କରି ରଖାଯାଉଥିଲା। ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଥିଲ। । ସେ ଓଡ଼ିଆ ମିଡିୟମ ଛାତ୍ରୀ ହୋଇଥିବା ବେଳେ ତାଙ୍କ ରୁମମେଟ୍ମାନେ ଇଂଲିଶ ମିଡିୟମ ଛାତ୍ରୀ । ତେଣୁ ସେମାନେ ଏପରି ପାତରଅନ୍ତର କରୁଥିବା ଛାତ୍ରୀଜଣକ ଅଭିଯୋଗ କରିଛନତି।
ଏନେଇ ଛାତ୍ରୀଜଣକ ନିଜ ବାପାମା’ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବାପାମା’ଙ୍କ ଉପସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଆଣ୍ଟି ରାଗିଂ ସେଲ୍ ଘଟଣାର ତଦନ୍ତ କଲା। ହେଲେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କଲେନି । ବଂରଂ ଯେଉଁମାନେ ତାଙ୍କୁ ରାଗିଂ କଲେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ସପୋର୍ଟ କରିଛନ୍ତି।
ସବୁଠୁ ନିରାଶ ହେବା ପରେ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ନିଜ ଅଭିଯୋଗ ଜଣାଇ ନ୍ୟାୟ ଅପେକ୍ଷାରେ ଅଛନ୍ତି ଛାତ୍ରୀଜଣକ ।
ରାଗିଂର ଶିକାର ହୋଇ ଅକାଳରେ ବହୁ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଉଥିବା ବେଳେ ଏହାକୁ ରୋକିବାକୁ ଖୁବ୍ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହାସତ୍ତ୍ୱେ ରମାଦେବୀ ପରି ସୁନାମଧନ୍ୟ କଲେଜରୁ ଏପରି ଅଭିଯୋଗ ଆସିବା ସତ୍ତ୍ୱେ ଏହାର ତଦନ୍ତ ପାଇଁ କଲେଜ୍ କର୍ତ୍ତୃପକ୍ଷ ଆନ୍ତରିକତା ପ୍ରକାଶ ନ କରିବା ବେଶ୍ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us