Advertisment

ପୁଲିସ୍‌ ନାଁରେ ହତ୍ୟା ଅଭିଯୋଗ; ପ୍ରଥମେ ଗାଡ଼ି ଚଢ଼ାଇଲା, ପରେ ପିଟି ପିଟି ମାରିଦେଲା !

ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଭ୍ୟାନ୍‌ ଧକ୍କା ଦେଇ ଗୁରୁତର କରିବା ପରେ ପୁଲିସ୍‌ କର୍ମଚାରୀ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

author-image
Niharika Rout
ଅଦ୍ୟତନ ହୋଇଛି
Spot Investigation

Spot Investigation

ପୁଲିସ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଭ୍ୟାନ୍‌ ଧକ୍କା ଦେଇ ଗୁରୁତର କରିବା ପରେ ପୁଲିସ୍‌ କର୍ମଚାରୀ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏପରି ଏକ ଚାଞ୍ଚଲ୍ୟକର ଘଟଣା କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

ମୃତକ ଜଣେ ଗଞ୍ଜେଇ ବେପାରୀ ବୋଲି ପୁଲିସ୍‌ କହିଛି। ତାଙ୍କ ନାମ ଜ୍ୟୋଷ୍ଠ ବଣ୍ଡକି ଓ ତାଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗ୍ରାମରେ ବୋଲି ଜଣାପଡିଛି ।

ମୃତକଙ୍କ ଭାଇ ଏବଂ ସାଲାଗୁଡ଼ା ସରପଞ୍ଚ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଜ୍ୟୋଷ୍ଠ ବଣ୍ଡକି ଏବଂ ଦାସିରି ଦିଗାଲ ଗୋଟିଏ ବାଇକ୍‌ରେ କଣ୍ଟାମାଳ ଅଭିମୁଖେ ଯାଉଥିଲେ। ସେମାନେ ଗଞ୍ଜେଇ ନେଇ ଯାଉଥିବା ସନ୍ଦେହରେ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ସେମାନଙ୍କ ପିଛା କରି  ଡାଙ୍ଗଣାମୁ ଘାଟିରେ ଧକ୍କା ଦେଇଥିଲା। 

Advertisment

ଏହି ଦୁର୍ଘଟଣା ପରେ ଦାସିରି ଦିଗାଲ ଘଟଣାସ୍ଥଳରୁ ଖସି ପଳାଇଥିଲେ। ମାତ୍ର ଜ୍ୟୋଷ୍ଠ ତଳେ ପଡ଼ି ଯାଇଥିବା ବେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ ନିର୍ଧୂମ ପିଟିଥିଲେ। କିଛି ସମୟ ପରେ ସେ ମରି ଯାଇଥିବା ଭାବି ତାଙ୍କୁ ଘାଟି ତଳକୁ ଫୋପାଡ଼ି ଦେଇଥିଲେ। ଏହାପରେ ତାଙ୍କ ବାଇକକୁ ନେଇଁ ଥାନାକୁ ପଳାଇଥିଲେ।

ଖବର ପାଇ ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଜ୍ୟୋଷ୍ଠଙ୍କ ମୃତଦେହ ଘାଟି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଗୋଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜ୍ୟୋଷ୍ଠଙ୍କୁ ହତ୍ୟା କରିଥିବା ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ତଥା ଅଞ୍ଚଳବାସୀ ଦାବୀ କରିଛନ୍ତି । ଏହି ଘଟଣାକୁ ନେଇଁ ଗୋଛାପଡ଼ା ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।

ପୁଲିସ୍‌ ବର୍ଦ୍ଦି ଉପରେ କଳଙ୍କର ଛିଟା ଲାଗିବା ପରେ ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ଡିଏସ୍‌ପିଙ୍କୁ ଦାୟିତ୍ୱ ଦେବା ସହିତ ତାଙ୍କର ମୃତ୍ୟୁ କିଭଳି ପରିସ୍ଥିତିରେ ହେଇଛି ତାର ସରଜମିନ ତଦନ୍ତ ଚାଲିଥିବା କହିଛନ୍ତି । ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

ଗତକାଲି ଡଗ୍‌ ସ୍କ୍ୱାଡ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଦିଆଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ନେଇ ଶବ ସତ୍କାର କରିଥିବା ଜଣାଯାଇଛି।  

Police Kandhamal