Advertisment

ଆମାଜନ ମ୍ୟାନେଜରଙ୍କୁ ଫାୟାରିଂ ମାମଲା; ୨ ଯୁବକ ଗିରଫ, ହତ୍ୟା ପଛର କାରଣର ହେଲା ପର୍ଦ୍ଦାଫାସ

ସେମାନେ ସହରର ବିଭିନ୍ନ ଗଳିରେ ବୁଲାବୁଲି କରିବା ପରେ ଭଜନପୁରା ଗଳିରେ ପଶିଥିଲେ। ଉକ୍ତ ଗଳି ରାସ୍ତା ଛୋଟ ଥିବା ବେଳେ ଅପର ପାର୍ଶ୍ୱରୁ ଗୋବିନ୍ଦଙ୍କ ସହ ଆସୁଥିବା ହରପ୍ରୀତ ଗିଲ୍‌ଙ୍କ ସହ ସେମାନଙ୍କ ଧକ୍କା ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Murder

Murder

ଅନଲାଇନ୍‌ ସପିଂ ସାଇଟ୍‌ ଆମାଜନ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାରେ ପୁଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକଦ୍ୱୟ ହେଲେ ମହମ୍ମଦ ସମୀର ଓ ବିଲାଲ ଗାନି । ଉଭୟଙ୍କୁ ୧୮ ବର୍ଷ ବୋଲି ପୁଲିସ୍‌ ସୂଚନା ଦେଇଛି। । ଏହି ଘଟଣାରେ ସମୁଦାୟ ୫ ଯୁବକ ସମ୍ପୃକ୍ତ ଥିବା ବେଳେ ଆଉ ୪ ଜଣଙ୍କୁ ଖୋଜୁଛି ପୁଲିସ୍‌ ।

Advertisment

ଏହି ହତ୍ୟା ପଛର କାରଣ ଉପରୁ ବି ପରଦା ହଟାଇଛି ପୁଲିସ୍‌। ସାମାନ୍ୟ ବଚସାରୁ ଯୁବକମାନେ ଏପରି ବୀଭତ୍ସ କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ଗତ ମଙ୍ଗଳବାର ରାତିରେ ହରପ୍ରୀତ ଗିଲ୍‌ ନିଜ ସାଥୀ ଗୋବିନ୍ଦଙ୍କ ସହ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ୨ଟି ସ୍କୁଟିରେ ଯାଉଥିବା ୫ ଯୁବକ ଉଭୟ ହରପ୍ରୀତ ଗିଲ୍‌ ଓ ଗୋବିନ୍ଦଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଗୁଳି ହରପ୍ରୀତଙ୍କ ମୁଣ୍ଡର ଆରପାର୍‌ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଗୋବିନ୍ଦଙ୍କ ଡାହାଣ ପଟ କାନ ନିକଟରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଆଧାରରେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଆଜି ଭୋର ପ୍ରାୟ ୨ଟା ପରେ ସିଗନେଚର ବ୍ରିଜ ନିକଟରୁ ବିଲାଲ ଗାନିଙ୍କୁ ଗିରଫ କରିଛି। ତେବେ ମହମ୍ମଦ ସମୀରଙ୍କୁ କେଉଁଠୁ ଗିରଫ କରାଗଲା ସେ ନେଇ ପୁଲିସ୍‌ କିଛି ସୂଚନା ଦେଇନି। 

ଫେରାର ଅନ୍ୟ ଯୁବକମାନଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ବୋଲି ପୁଲିସ୍‌ ସୂଚନା ଦେଇଛି।  ସେମାନେ ହେଲେ ୨୩ ବର୍ଷୀୟ ସୋହେଲ ଓ ମହମ୍ମଦ ଜୁନାଦ, ଓ ୧୯ ବର୍ଷୀୟ ଅଦନାନ ।

ପୁଲିସ୍‌ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଏହି ଯୁବକମାନେ ବିଲାଲ ଗାନିଙ୍କ ଘରେ ଏକ ଭୋଜିର ଆୟୋଜନ କରିଥିଲେ। ଏହାପରେ ସେମାନେ ଗାଡ଼ି ଧରି ରାସ୍ତାରେ ବୁଲିବାକୁ ନିଷ୍ପତ୍ତି ନେଲେ। ସେମାନେ ୨ଟି ସ୍କୁଟରରେ ସହର ବୁଲୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଯୁବକ ପାଖରେ ବନ୍ଧୁକ ରଖିଥିଲେ।

ସେମାନେ ସହରର ବିଭିନ୍ନ ଗଳିରେ ବୁଲାବୁଲି କରିବା ପରେ ଭଜନପୁରା ଗଳିରେ ପଶିଥିଲେ। ଉକ୍ତ ଗଳି ରାସ୍ତା ଛୋଟ ଥିବା ବେଳେ ଅପର ପାର୍ଶ୍ୱରୁ ଗୋବିନ୍ଦଙ୍କ ସହ ଆସୁଥିବା ହରପ୍ରୀତ ଗିଲ୍‌ଙ୍କ ସହ ସେମାନଙ୍କ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା।

ଏହାପରେ ମହମ୍ମଦ ସମୀର ଉତ୍ତ୍ୟକ୍ତ ହୋଇ ହରପ୍ରୀତ ଗିଲ୍‌ ଓ ଗୋବିନ୍ଦଙ୍କ ଉପରକୁ ପାଖରୁ ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ହରପ୍ରୀତ ଗିଲ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋବିନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Murder Firing