Advertisment

ତନ୍ତ୍ର ସାଧନା: ବାବାଙ୍କ ମାଡ଼ରେ ଆଉ ଜଣେ ବାବାଙ୍କ ମୃତ୍ୟୁ

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଏହି ବାବାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୟାନିଧି ବାବା ଓରଫ ଗୋପାଳ ଦାସ।

ଅଦ୍ୟତନ ହୋଇଛି
Vishnu Baba the killer

Vishnu Baba the killer

Advertisment

ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କ ମାଡ଼ରେ ଆଉ ଜଣେ ବାବାଙ୍କର ମୃତ୍ୟୁ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଏହି ବାବାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଦୟାନିଧି ବାବା ଓରଫ ଗୋପାଳ ଦାସ। ସେ ଗୁରୁକୃପା ଆଶ୍ରମରେ ରହୁଥିବା ବିଷ୍ଣୁ ବାବାଙ୍କ ମରଣାନ୍ତକ ଆକ୍ରମଣରେ ଆହତ ହୋଇ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ। ବିଷ୍ଣୁ ବାବାଙ୍କ ଆକ୍ରମଣରେ ପୂର୍ବରୁ ପଶ୍ଚିମବଙ୍ଗର ଅର୍ଜୁନ ଦାସ ବାବାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Advertisment

୨୮ ତାରିଖ ଦିନ ପୁରୀ ସହର ବାସେଳିସାହି ଥାନା ଅନ୍ତର୍ଗତ ଜନଗହଳି ସମ୍ପନ୍ନ ଲୋକନାଥ ରୋଡ୍‌ରେ ଥିବା ଗୁରୁକୃପା ଆଶ୍ରମରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବିଷ୍ଣୁ ବାବା ଓରଫ ରବୀନ୍ଦ୍ର କୁମାର ଜେନା ଅତି ବିଭତ୍ସ ଭାବେ ଅର୍ଜୁନ ବାବା ଓରଫ ନାରୁଗୋପାଳ ମିଶ୍ରଙ୍କୁ ହତ୍ୟା କରିଥିଲେ। ବିଷ୍ଣୁ ବାବାଙ୍କ ଘର ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ। ସେ ଗୁରୁକୃପା ଆଶ୍ରମରେ ଗତ ୩ ମାସ ହେବ ରହୁଥିଲେ। ଆଶ୍ରମର ମୁଖ୍ୟ କୃଷ୍ଣଚନ୍ଦ୍ର ଦାସ ବାବାଙ୍କୁ ସେ ଆଇମା’ ତୋଟାରେ ଥିବା ଆଶ୍ରମର ଏକ ମନ୍ଦିରକୁ ନେବା ଆଣିବା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଏଥିସହ ତନ୍ତ୍ର ସାଧନା ମଧ୍ୟ କରୁଥିଲେ। ଯାହାକୁ ନେଇ ଅର୍ଜୁନ ବାବାଙ୍କ ସହ ତାହାର ବିବାଦ ଦେଖାଦେଇଥିଲା।

ଅର୍ଜୁନ ବାବା ଆଶ୍ରମରେ ଶୋଇଥିଲେ। ଏହି ସମୟରେ ବିଷ୍ଣୁ ବାବା ଯାଇ ତାଙ୍କ ମୁଣ୍ଡକୁ କାଠଫାଳିଆରେ ବାଡ଼େଇ ହତ୍ୟା କରିଥିଲେ। ଏହି ଆକ୍ରମଣ ବେଳେ ଅର୍ଜୁନଙ୍କ ଚିତ୍କାର ଶୁଣି ଆଶ୍ରମ ଅନ୍ତେବାସୀ ଛାତ ଉପରେ ଏକାଠି ହୋଇ ଘଟଣାକୁ ଦେଖିଥିଲେ। ଏହା ଦେଖୁଥିବା ଗୋପାଳ ଦାସ ତଳକୁ ଅର୍ଜୁନ ବାବାଙ୍କୁ ବଞ୍ଚାଇବାକୁ ଚାଲି ଯାଇଥିଲେ। ହେଲେ ସେ ଆକ୍ରମଣରୁ ନିସ୍ତାର ପାଇ ନ ଥିଲେ। ରକ୍ତମୁଖା ହୋଇଥିବା ବିଷ୍ଣୁ ବାବାଙ୍କ ଆକ୍ରମଣରେ ରକ୍ତ ବାନ୍ତି କରି ଆଶ୍ରମ ବାହାରେ ପଡ଼ି ଯାଇଥିଲେ ଗୋପାଳ ଦାସ। ବିଷ୍ଣୁ ବାବାଙ୍କ ଏଭଳି ଉଗ୍ରରୂପ ଦେଖି ଆଶ୍ରମ ଅନ୍ତେବାସୀ ଜୀବନ ବଞ୍ଚାଇବାକୁ ଆଶ୍ରମ ଭିତରେ ଥିବା ଘରମାନଙ୍କରେ ଲୁଚି ଯାଇଥିଲେ। ଏହି ସମୟରେ ଗିନି କୀର୍ତ୍ତନ କରୁଥିବା ସ୍ଥାନକୁ ଗୋପାଳ ଦାସ ପଳାଇ ଯାଉଥିବା ବେଳେ ପୁନଶ୍ଚ ବିଷ୍ଣୁ ବାବା ଆକ୍ରମଣ କରିଥିଲା। ବିଷ୍ଣୁ ବାବାଙ୍କ ଗୋଇଠା ମାଡ଼ରେ ଗୋପାଳ ଆଉଥରେ ତଳେ ପଡ଼ି ଯାଇଥିଲେ। ଏହାପରେ ଗୋପାଳଙ୍କ ଉପରେ ଇଟା ଛେଚି ଦେଇଥିଲା ବିଷ୍ଣୁ ବାବା। 

Advertisment

ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ରମରେ ପହଞ୍ଚି ଗୋପାଳ ବାବାଙ୍କୁ ଉଦ୍ଧାର କରି ପୁରୀ ସଦର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ସାଢ଼େ୯ଟାରେ ସେ ଚିକିତ୍ସାଧୀନ ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ବିଷ୍ଣୁ ବାବା ମଧ୍ୟ ଅର୍ଜୁନ ବାବାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି। ତନ୍ତ୍ର ସାଧନା ପାଇଁ ସେ ଏହି ହତ୍ୟାକାଣ୍ଡ କରିଥିବା ପୁଲିସକୁ କହିଛି। ପୁରୀ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Puri Killer Saint
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe