Advertisment

ଜଳିଗଲେ ଆଉ ଜଣେ ଛାତ୍ରୀ, ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ

ଘଟଣା ଘଟିବା ବେଳେ ବାପାମା’ ଘରେ ନଥିଲେ। ଛାତ୍ରୀ ଜଣଙ୍କ ଏକୁଟିଆ ଥିଲେ।

ଅଦ୍ୟତନ ହୋଇଛି
Dead Student

Dead Student

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଳି ଯାଇଛନ୍ତି ଜଣେ ଛାତ୍ରୀ। ଘର ଭିତରୁ ମିଳିଛି ଛାତ୍ରୀଙ୍କ ଜଳନ୍ତା ମୃତଦେହ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଜାଳି ଦେଇଛି ନା ଜୀବନ୍ତ ଜାଳିଦେଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି।

Advertisment

ମୃତ ଛାତ୍ରୀ ଜଣଙ୍କ ଯୁକ୍ତ ତିନିରେ ପଢୁଥିଲେ। ଏବର୍ଷ ତାଙ୍କର ଶେଷ ବର୍ଷ ଥିଲା। ଘରେ ସେ ତାଙ୍କ ବାପା ଓ ମା’ଙ୍କ ସହିତ ରହୁଥିଲେ। ତାଙ୍କ ଭାଇ ଗୁଜରାଟରେ ରହନ୍ତି।

ଆଜି ସକାଳେ କୌଣସି କାମରେ ମୃତ ଛାତ୍ରୀଙ୍କ ବାପା ଓ ମା’ ପଟ୍ଟାମୁଣ୍ଡାଇର ପତ୍ରପୁରକୁ ଯାଇଥିଲେ। ସେମାନେ ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ ଝିଅ ଦ୍ୱାର ଫିଟାଇ ନଥିଲେ। ତା’ପରେ ତାଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ। ତଥାପି କିଛି ଉତ୍ତର ମିଳି ନଥିଲା। ତେଣୁ ତାଙ୍କ ବାପା ପଡ଼ୋଶୀଙ୍କୁ ଡାକିଥିଲେ ଓ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ଘର ଭିତରେ ଥିବା ସିଡିରେ ଝିଅର ଜଳନ୍ତା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।

Advertisment

ତାଙ୍କର ଜଣେ ପଡ଼ୋଶୀ ପ୍ରଶାନ୍ତ ସିଂହ କହିଛନ୍ତି ଯେ ସକାଳ ପ୍ରାୟ ସାଢ଼େ ୭ଟା ବେଳେ ମୃତ ଛାତ୍ରୀଙ୍କ ବାପାମା’ ପତ୍ରପୁର ଯାଇଥିଲେ। ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଝିଅଟିକୁ ସାଇପଡ଼ିଶା ଦେଖିଛନ୍ତି। ସେ ଘରେ ଥିଲେ ଓ ତାଙ୍କ କାମରେ ଲାଗିଥିଲେ। ୯ଟା ପରେ ତାଙ୍କୁ ଆଉ କେହି ଦେଖି ନାହାନ୍ତି। ସେ ଘର କବାଟ ବନ୍ଦ କରି ଦେଇଥିଲେ। ତେଣୁ ସେ ଖାଇପିଇ ଶୋଇପଡ଼ିଥିବେ ବୋଲି ଅନ୍ୟମାନେ ଭାବି ନେଇଥିଲେ। କେହି କିଛି ସନ୍ଦେହ କରି ନଥିଲେ। କିନ୍ତୁ ତାଙ୍କ ବାପାମା’ ଫେରିବା ପରେ ସେ କବାଟ ଖୋଲି ନଥିଲେ। ଏଣୁ ତାଙ୍କ ବାପା କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ ଓ ଝିଅ ନିଆଁରେ ଜଳି ଯାଇଥିବା ଦେଖିବାକୁ ପାଇଥିଲେ।

ମୃତ ଛାତ୍ରୀଙ୍କ ବାପା କହିଛନ୍ତି ଯେ ତାଙ୍କର ଜଣେ ଯୁବକ ସହିତ ପ୍ରେମ ସଂପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଯାଇଥିଲା। ବ୍ରେକ୍‌ଅପ୍‌ ପରେ ଯୁବକ ଜଣଙ୍କ ତାଙ୍କ ଝିଅର କିଛି ଫଟୋ ରଖି ବ୍ଲାକମେଲିଂ କରୁଥିଲା। ଏନେଇ ପ୍ରାୟ ୬ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୁଲିସ ତାଙ୍କ ଏଫଆଇଆର ରଖି ନଥିଲା। ପୁଅଝିଅ କଥା ହୋଇଥିବାରୁ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ କହିଥିଲା। ଏହା ସହିତ ଯୁବକର ନମ୍ବର ବ୍ଲକ୍‌ ଲିଷ୍ଟରେ ପକାଇ ଦେବାକୁ କହିଥିଲା। ଅନ୍ୟପକ୍ଷରେ ଉକ୍ତ ଯୁବକ ତାଙ୍କ ଝିଅକୁ ବରାବର ହଇରାଣ କରିଆସୁଥିଲା ଓ ପେଟ୍ରୋଲ କିମ୍ବା କିରୋସିନି ଢାଳି ମାରି ଦେବାକୁ ଧମକ ଦେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତା’ର ଏଭଳି ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା କରିଛି ବୋଲି ସେ କହିଛନ୍ତି। 

ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବାକୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି)। କେନ୍ଦ୍ରାପଡ଼ା ଏସ୍‌ପି ଓ ଗ୍ରାମାଞ୍ଚଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି। ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଯାଞ୍ଚ କରୁଛି। ତେବେ ଘଟଣା ସଂପର୍କରେ ଜଣାପଡ଼ିବାର ପ୍ରାୟ ୩ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। 

ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ ସେ ନିଜେ ଏହି ଘଟଣାର ତଦନ୍ତ କରିବେ। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଜଳିଗଲେ, ତାହାର ତଦନ୍ତ କରାଯିବ। ପୂର୍ବରୁ ପୁଲିସ୍ ଏତଲା ଗ୍ରହଣ କରି ନଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ତାହାର ବି ତଦନ୍ତ ହେବ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ବାଲେଶ୍ୱର ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀ ଆତ୍ମାହୂତି ଦେଇଥିବା ବେଳେ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ନାବାଳିକା ଜଳି ଯାଇଥିଲେ। ଅଗଷ୍ଟ ୨ ତାରିଖରେ ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍‌ସରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ଅନ୍ୟକାହାର ସଂପୃକ୍ତି ନଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି। ଏଫ୍‌ଏମ୍‌ ଘଟଣାରେ ଜଣେ ଛାତ୍ରଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି ଦୁଇଟି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ଆଜି ଘଟିଛି ଆଉ ଏକ ଅଘଟଣ,ଯେଉଁଥିରେ ପୁଲିସ ଅବହେଳା କଥା ଉଠିଛି। ଫଳରେ ପୁଣି ଥରେ ଅକଳରେ ପଡ଼ିପାରନ୍ତି ସରକାର। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe