Advertisment

ସୁରକ୍ଷିତ ନୁହେଁ ରାଜଧାନୀର ଆପାର୍ଟମେଣ୍ଟ! ପୁଣି ଲୁଟ୍‌, କବାଟ ତାଡ଼ି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଦିନକ ତଳେ ଏହି ଆପାର୍ଟମେଣ୍ଟରୁ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଅଳଙ୍କାର ଲୁଟ୍ ହୋଇଥିବା ବେଳେ ଆଜି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିବା କଥା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Apartment

Apartment

Advertisment

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱରର ଆପାର୍ଟମେଣ୍ଟ। ଆତଙ୍କ ଖେଳାଇଛନ୍ତି ଲୁଟେରା। ଯେମିତି ପୁଲିସକୁ ଆଦୌ ଖାତିର ନାହିଁ । ଚନ୍ଦକା ଥାନା ଅଞ୍ଚଳର ଗୋଠପାଟଣା ସ୍ଥିତ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ଦୁଇ ଦୁଇଟି ଲୁଟ୍ ଘଟଣା ଫ୍ଲାଟ୍ ମାଲିକଙ୍କୁ ଭୟଭୀତ କରିଛି। ଦିନକ ତଳେ ଏହି ଆପାର୍ଟମେଣ୍ଟରୁ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଅଳଙ୍କାର ଲୁଟ୍ ହୋଇଥିବା ବେଳେ ଆଜି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିବା କଥା ସାମ୍ନାକୁ ଆସିଛି।

Advertisment

ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଗାଁକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟେରା ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ଟଙ୍କା। ଘର ସାରା ଜିନିଷ ଏଣେତେଣେ ପକାଇ ଦେଇଛନ୍ତି। ସୁନାଗହଣା ଓ ଟଙ୍କା ଧରି ଫେରାର ହେବା ପୂର୍ବରୁ ଫ୍ରିଜରୁ ଫଳ ଓ ଥଣ୍ଡା ପାନୀୟ ପିଇବା ସହ ରୋଷେଇ ଘରୁ ଡ୍ରାଏଫ୍ରୁଟ୍ ଖାଇଛନ୍ତି ଲୁଟେରା। ଖବର ପାଇ ଚନ୍ଦକା ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ତେବେ ଦୁଇ ଦୁଇଟି ଲୁଟପାଟ ଘଟଣା ସାମ୍ନାକୁ ଆସିବା ପରେ ନିଜ ସୁରକ୍ଷାକୁ ନେଇ ଆଶଙ୍କାରେ ଅଛନ୍ତି ଆପାର୍ଟମେଣ୍ଟବାସୀ। ଏହି ଆପାର୍ଟମେଣ୍ଟରେ ଲୋକଙ୍କ ସୁରକ୍ଷା ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ସଂପୃକ୍ତ ବିଲ୍‌ଡରଙ୍କୁ ଦାୟୀ କରିଛନ୍ତି। ସେ ଏଥିପ୍ରତି ଧ୍ୟାନ ଦେଉ ନଥିବା ଆପାର୍ଟମେଣ୍ଟବାସୀ ଅଭିଯୋଗ କରିଛନ୍ତି।

ଖାଲି ଆପାର୍ଟମେଣ୍ଟ ନୁହେଁ, ରାଜଧାନୀର ରାସ୍ତାଘାଟରେ ବି ବୁଲୁଛନ୍ତି ଲୁଟେରା। ଆଜି ସକାଳେ କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ବାଇକ୍‌ରେ ଆସିଥିବା ୨ ଲୁଟେରା। ଏହି ଲୁଟ୍ ସମୟର ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। କେ-୪ ଅଞ୍ଚଳର ଜଣେ ମହିଳା ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିବା ବେଳେ କଳା ରଙ୍ଗର ପଲସର୍ ଗାଡ଼ିରେ ଆସି ୨ ଜଣ ଲୁଟେରା ଛକି ରହିଥିଲେ। ବାଇକ୍ ଚଲାଉଥିବା ଯୁବକ ଗାଡ଼ିକୁ ଷ୍ଟାର୍ଟରେ ରଖିଥିଲା ବେଳେ ଅନ୍ୟ ଜଣେ ଲୁଟ୍ ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ଆଉ ସୁବିଧା ଦେଖି ଏକୁଟିଆ ଯାଉଥିବା ସେହି ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲା ଓ ବାଇକରେ ବସି ଫେରାର ହୋଇଯାଇଥିଲା। ତମାଣ୍ଡୋ ଥାନା ପୁଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଛି।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe