Thana
ଥାନାରେ ପଶି ଭଙ୍ଗାରୁଜା କଲେ ୨୫ରୁ ୩୦ ଯୁବକ। ଖାଲି ଭଙ୍ଗାରୁଜା କରି ନାହାନ୍ତି, ଥାନାରେ ଖଞ୍ଜା ଯାଇଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଥାନାରେ ଏକ ପ୍ରକାର ଲଙ୍କାକାଣ୍ଡ ରଚିଛନ୍ତି। ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା ପରିସରରେ ଏପରି ଚିତ୍ର ଦେଖିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁଠି ପୁଲିସ୍ ଅସୁରକ୍ଷିତ, ସେଠି ଅଞ୍ଚଳବାସୀ କେତେ ସୁରକ୍ଷିତ ରହିଥିଲେ?
ଆଜି ଦ୍ୱି’ ପହରରେ ୨୫ରୁ ୩୦ ଜଣ ଯୁବକ ଅମ୍ୱାଭୋନା ଥାନା ତାମଦେଇଠାରେ ପିକ୍ନିକ୍ କରୁଥିଲେ। ପିକ୍ନିକ ସ୍ଥଳରେ ନିଶା କାରବାର ହେଉଥିବା ସନ୍ଦେହ କରି ଅମ୍ୱାଭୋନା ଥାନା ପୁଲିସ୍ ଚଢ଼ଉ କରିଥିଲା। ମାତ୍ର କୌଣସି ମାଦକ ଦ୍ରବ୍ୟ ପାଇନଥିଲା। ଏହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପୁଲିସ୍ ସେଠାରୁ ପଳାଇ ଯାଇଥିଲା।
ଅପରାହ୍ନରେ ୩୦ରୁ ଅଧିକ ଯୁବକ ବାଇକ୍ରେ ଆସି ଥାନା ଭିତରେ ପଶିଥିଲେ। ଥାନାରେ ଯାହା ପାଇଲେ ଭଙ୍ଗାରୁଜା କରିଥିଲେ। ଟେବୁଲ୍ ଓ ଚୟାର ଫିଙ୍ଗା ଫିଙ୍ଗି କରିଥିଲେ। ଝରକା ଓ କବାଟ କାଚ ଭାଙ୍ଗିଥିଲେ। କହିବାକୁ ଗଲେ ଥାନା ଭିତରେ ଯୁବକମାନେ ଆତଙ୍କରାଜ ଚଳାଇଥିଲେ। ଯୁବକଙ୍କ ଉଗ୍ର ରୂପ ଦେଖି କର୍ମଚାରୀମାନେ ଥାନା ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଭଙ୍ଗାରୁଜା କରିବା ପରେ ଯୁବକମାନେ ଥାନା ଛାଡ଼ି ପଳାଇ ଯାଇଥିଲେ।
ଖବର ପାଇ ବରଗଡ଼ ଏସ୍ଡିପିଓ ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ହେଲେ ଆତଙ୍କରାଜ ଚଳାଇଥିବା ଅଭିଯୁକ୍ତଙ୍କ ପତ୍ତା ପାଇନି ପୁଲିସ୍। ସେମାନେ କେଉଁ କାରଣରୁ ଆତଙ୍କରାଜ ଚଳାଇଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏଥିରେ ରାଜନୈତିକ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ରିପୋର୍ଟ-ବରଗଡ଼ରୁ ଧର୍ମଦତ୍ତ ପାଢୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
