Advertisment

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ; ଦୁଇ ଛୁଆଙ୍କୁ ଡାକ୍ତରୀ ପଢ଼ାଇବାକୁ ଖର୍ଚ୍ଚ କରିଛନ୍ତି ୮୨ ଲକ୍ଷ ଟଙ୍କା

ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦକୁ ପାଖାପାଖି ୧ କୋଟି ୬୭ ଲକ୍ଷ ଟଙ୍କା ରଖିଛନ୍ତି ସଞ୍ଜୟ।

author-image
Jitendra Garnayak
Sanjay Behera

Sanjay Behera

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁନ୍ଦରଗଡ଼ RWDର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଅଫିସରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

Advertisment

ସଞ୍ଜୟ ବେହେରା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭଦ୍ରକ ସହରର ଜଗନ୍ନାଥପୁରରେ ଏକ ଦୁଇ ମହଲା କୋଠା ରହିଛି। ସେହିପରି ଭଦ୍ରକ ଜିଲ୍ଲା ବନ୍ତରେ ତାଙ୍କର ଗୋଟିଏ ଘର ରହିଛି ଯାହା ଏକ ମହଲା ବିଶିଷ୍ଟ। ଏହି ଘର ଦୁଇଟିର ମୂଲ୍ୟ ସଂପର୍କରେ ଭିଜିଲାନ୍ସ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। ଏନେଇ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ହିସାବ ଜାରି ରହିଛି।

ସଞ୍ଜୟଙ୍କର ଭଦ୍ରକ ଓ ଯାଜପୁରରେ ୨ଟି ପ୍ଲଟ ଅଛି। ଭଦ୍ରକ ସହରର ଜଗନ୍ନାଥପୁରରେ ଗୋଟିଏ ପ୍ଳଟ ଥିବା ବେଳେ ଯାଜପୁରର ଚନ୍ଦମା ମୌଜାରେ ଆଉ ଗୋଟିଏ ପ୍ଳଟ ଅଛି। ଏଗୁଡ଼ିକର ରେଜିଷ୍ଟରଡ ସେଲ ଡିଡ୍ ୩ ଲକ୍ଷ ୪୦ ହଜାର ଟଙ୍କା ରହିଛି। ତେବେ ଏହି ପ୍ଳଟ ଗୁଡ଼ିକର ମୂଲ୍ୟ ବହୁତ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ରେଜିଷ୍ଟ୍ରେସନ ବେଳେ ଜମି ଗୁଡ଼ିକର ମୂଲ୍ୟ ଜାଣିଶୁଣି କମ୍ ରଖାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଥିବା ବେଳେ ଏ ଦିଗରେ ତଦନ୍ତ କରୁଛି।

Advertisment

ବ୍ୟାଙ୍କ, ଡାକଘର ଓ ବୀମା ଜମା ବାବଦକୁ ପାଖାପାଖି ୧ କୋଟି ୬୭ ଲକ୍ଷ ଟଙ୍କା ରଖିଛନ୍ତି ସଞ୍ଜୟ। ତାଙ୍କ ଘରୁ ୨୦୦ ଗ୍ରାମର ସୁନାଗହଣା ଜବତ କରାଯାଇଛି। ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଥିବା ବେଳେ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ରହିଛି।

ଏହା ବ୍ୟତୀତ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ତାଙ୍କର ଦୁଇ ଛୁଆଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଯାଞ୍ଚ ବେଳେ ସେମାନେ ଏହି ତଥ୍ୟ ପାଇଥିଲେ।

ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସଞ୍ଜୟଙ୍କର ଆହୁରି କିଛି ସମ୍ପତ୍ତି ଥିବା ସେମାନେ ଅନୁମାନ କରୁଛନ୍ତି। ସଞ୍ଜୟଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରୁଛି।

ଭିଜିଲାନ୍ସ ପକ୍ଷରୁ ଆଜି ସଞ୍ଜୟଙ୍କର ସୁନ୍ଦରଗଡ଼ ଓ ଭଦ୍ରକରେ ଥିବା ୭ଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ସଞ୍ଜୟଙ୍କର ସୁନ୍ଦରଗଡ଼ ଟାଉନ ସ୍ଥିତ କେନ୍ଦୁପଡ଼ାର ଭଡ଼ା ଘର ସମେତ ଲେଫ୍ରିପଡ଼ା ସ୍ଥିତ ଅଫିସ, ଭଦ୍ରକ ସହର ସ୍ଥିତ ଦୁଇ ମହଲା ଘର ଓ ବନ୍ତ ସ୍ଥିତ ଘର ଆଦିରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Vigilance Raid Odisha Vigilance Vigilance Net Vigilance