Advertisment

୧୮ ବର୍ଷର ସରକାରୀ ଚାକିରି ମଧ୍ୟରେ ୧୩ ପ୍ଲଟ୍‌, ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ୍, ୭୫ ଲକ୍ଷ ଟଙ୍କା ଜମା ଓ ଆହୁରି କେତେ କ’ଣ ଠୁଳ କରି ଗିରଫ

ରାଜକିଶୋର ଜେନା ୨୦୦୭ ସେପ୍ଟେମ୍ବର ୩ ତାରିଖରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତାଙ୍କୁ ସେତେବେଳେ ମାସକୁ ମାତ୍ର ୫୦୦୦ ଟଙ୍କା ଦରମା ମିଳୁଥିଲା।

author-image
Jitendra Garnayak
Rajkishore Jena

Rajkishore Jena

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ‘ଆର ଆଣ୍ଡ ବି’ ଡିଭିଜିନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କୁ ବୁଧବାର ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ପକ୍ଷରୁ ଶ୍ରୀଜେନାଙ୍କର ୧୦ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସମ୍ପତ୍ତି ଠାବ କରାଯାଇଥିଲା।

Advertisment

୧୮ ବର୍ଷର ସରକାରୀ ଚାକିରି କାଳ ମଧ୍ୟରେ ଶ୍ରୀ ଜେନା ୧୩ଟି ଦାମୀ ପ୍ଲଟ୍ କିଣିଛନ୍ତି। ସେଥିରୁ ୯ଟି ଭୁବନେଶ୍ୱରରେ ଥିବା ବେଳେ ୩ଟି ନୟାଗଡ଼ରେ ଓ ଗୋଟିଏ ଖୋର୍ଦ୍ଧାରେ ଅଛି।

ଭୁବନେଶ୍ୱରର ନୀଳାଦ୍ରୀ ବିହାରରେ ୩,୫୦୦ ବର୍ଗଫୁଟ ଜାଗାରେ ତାଙ୍କର ଏକ ତିନି ମହଲା କୋଠା ରହିଛି। ଭୁବନେଶ୍ୱରର କସମୋପୋଲିସ୍‌ରେ ତାଙ୍କର ଦୁଇଟି ଫ୍ଲାଟ ଅଛି। ସେଥିରୁ ଗୋଟିଏ ୧୮୦୦ ବର୍ଗଫୁଟ୍‌ର ହୋଇଥିବା ବେଳେ ଅନ୍ୟଟି ୬୫୦ ବର୍ଗଫୁଟର। ଭୁବନେଶ୍ୱରର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ତାଙ୍କର ଗୋଟିଏ ଦୋକାନ ଘର ରହିଛି। ସେହିପରି ପାହାଳର ରୁଦ୍ରପୁର ସ୍ଥିତ ସିମ୍ଫୋନୀ ମଲରେ ତାଙ୍କର ଆଉ ଗୋଟିଏ ଦୋକାନ ଘର ରହିଛି।

Advertisment

ବ୍ୟାଙ୍କ, ପୋଷ୍ଟ ଅଫିସ ଓ ବୀମା ବାବଦକୁ ଶ୍ରୀ ଜେନା ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି। ତାଙ୍କ ଘରୁ ମିଳିଥିବା ନଗଦ ଓ ଘର କରଣା ଜିନିଷ ତଥା ଆସବାବପତ୍ରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ। ତାଙ୍କର ଦୁଇ ଛୁଆଙ୍କ ଉଚ୍ଚଶିକ୍ଷାରେ ସେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ରାଜକିଶୋର ଜେନା ୨୦୦୭ ସେପ୍ଟେମ୍ବର ୩ ତାରିଖରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ତାଙ୍କୁ ସେତେବେଳେ ମାସକୁ ମାତ୍ର ୫୦୦୦ ଟଙ୍କା ଦରମା ମିଳୁଥିଲା। ୨୦୧୩ ସେପ୍ଟେମ୍ବର ୨ ତାରିଖରେ ତାଙ୍କ ଚାକିରି ନିୟମିତ ହୋଇଥିଲା। ଜଣେ ନିୟମିତ କନିଷ୍ଠ ଯନ୍ତ୍ରୀ ବା ଜେଇ (ସିଭିଲ) ଭାବେ ସେ ଭୁବନେଶ୍ୱର ପୂର୍ତ୍ତ ବିଭାଗରେ ଯୋଗ ଦେଇଥିଲେ। ୧.୧୦.୨୦୧୪ରେ ସେ ଭୁବନେଶ୍ୱରରେ ପୂର୍ତ୍ତ ବିଭାଗ ଇଆଇସିଙ୍କ ଅଫିସରେ ନିଯୁକ୍ତି ପାଇଥିଲେ। ୨୦୧୪ରୁ ୨୦୧୮ ମଧ୍ୟରେ ସେ ଭୁବନେଶ୍ୱର ଓ କଟକର ବିଭିନ୍ନ ଆର ଆଣ୍ଡ ବି ଡିଭିଜନ ସହିତ କେନ୍ଦୁଝରରେ ଆର୍ ଆଣ୍ଡ ବିର କ୍ୱାଲିଟୀ କଣ୍ଟ୍ରୋଲ ଡିଭିଜନରେ କାର୍ଯ୍ୟ କରିଥିଲେ। ୨୦୨୦ରେ ସେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ସେହିବର୍ଷ ତାଙ୍କୁ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୩କୁ ବଦଳି କରାଯାଇଥିଲା। ସେହିଦିନଠାରୁ ସେ ସେଠାରେ ଅଛନ୍ତି। ୧୮ ବର୍ଷର ସରକାରୀ ଚାକିରି କାଳରେ ସେ କେବଳ ୪ ମାସ ପାଇଁ କେନ୍ଦୁଝର ଯାଇଥିଲେ। ବାକି ଅବଧି ସେ କଟକ ଓ ଭୁବନେଶ୍ୱରରେ ରହିଛନ୍ତି।

Odisha Vigilance