Advertisment

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ: ଗିରଫ ହେଲେ ଆସିଷ୍ଟାଣ୍ଟ ପ୍ରଫେସର, ଆସିଛି ସାଂଘାତିକ ଅଭିଯୋଗ

‘ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଯଦି ଘଟଣାର ତର୍ଜମା/ତଦନ୍ତ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା’ହେଲେ ମୁଁ ଆତ୍ମହତ୍ୟା କରିବି। ଆଉ ଏସବୁ ପାଇଁ ଏଚ୍‌ଓଡି ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ।’

author-image
Jitendra Garnayak
Sameer Sahu

Sameer Sahu

ବାଲେଶ୍ୱରରେ ଏଫ୍‌ଏମ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଜୁକେଶନ ବିଭାଗ ମୁଖ୍ୟ ତଥା ଆସିଷ୍ଟାଣ୍ଟ ପ୍ରଫେସ ସମୀର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସେ ଛାତ୍ରୀ ଜଣଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଫେବର ମାଗୁଥିଲେ ବୋଲି ଅଭିଯୋଗ ହୋଇଛି। କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବା ଯୋଗୁ ଆଜି ସେ କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି।

Advertisment

ବାଲେଶ୍ୱର ଏସ୍‌ପି କହିଛନ୍ତି, ସବୁ ଦିଗରୁ ତଦନ୍ତ ଚାଲିଛି। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। କଲେଜର ଇଣ୍ଟରନାଲ୍ କମିଟି କ'ଣ ନିଷ୍ପତ୍ତି ନେଇଥିଲା, ତା’ର ତର୍ଜମା ଚାଲିଛି। ଯାହାର ବି ତ୍ରୁଟି ସାମ୍ନାକୁ ଆସିବ, କାର୍ଯ୍ୟାନୁଷ୍ଠାନ ନିଆଯିବ।

କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିଲମ୍ବନ କରିଛି। ତାଙ୍କ ସହିତ ଏଫ୍‌ଏମ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି ସରକାର।

Advertisment

ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୋଟିଏ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଉପଯୁକ୍ତ ଢଙ୍ଗରେ ପରିଚାଳନା କରିପାରିନଥିବା ସରକାର ଅନୁଭବ କରିଛନ୍ତି । ଏପରିକି କଲେଜ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ମଧ୍ୟ ତୁଲାଇବାରେ ଶ୍ରୀ ଘୋଷ ବିଫଳ ହୋଇଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ହେଡକ୍ୱାର୍ଟର ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିବ । ଜିଲ୍ଲାପାଳଙ୍କ ଅନୁମତି ବିନା ସେ ହେଡକ୍ୱାର୍ଟର ଛାଡ଼ିପାରିବେ ନାହିଁ । ସେହିପରି ଅନ୍ୟ ଏକ ନିର୍ଦ୍ଦେଶରେ ଏଜୁକେସନ୍ ବିଭାଗର ମୁଖ୍ୟ ତଥା ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି ।

କମିଟି ରିପୋର୍ଟରେ କେବଳ ସମୀରଙ୍କ ଗୁଣଗାନ

ଏହି ଘଟଣାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା। କିଛି ଲୋକଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଘଟିଲା। ଏହି ସମସ୍ୟା ନେଇ କିଛି ଦିନ ତଳେ ଛାତ୍ରୀ ଜଣଙ୍କ ମୋ ପାଖକୁ ଆସିଥିଲେ। ମୁଁ କଲେଜ ଅଧ୍ୟକ୍ଷଙ୍କୁ ଏ ବାବଦରେ ପଚାରିଥିଲି। ଇଣ୍ଟରନାଲ କମିଟି ବାବଦରେ ସେ ମୋତେ କହିଥିଲେ। କିନ୍ତୁ କମିଟି ରିପୋର୍ଟରେ କେବଳ ସମୀରଙ୍କ ଗୁଣଗାନ କରାଯାଇଛି। କମିଟି ରିପୋର୍ଟକୁ ସମୀର ଚାଳିଶା କହି ତାତ୍ସଲ୍ୟ କରିଛନ୍ତି ସାଂସଦ ଷଡ଼ଙ୍ଗୀ। ଏଜଓଡି ସମୀର ସାହୁଙ୍କୁ ଫେବର କରିବାକୁ ଚେଷ୍ଟା କରାଯାଇଛି ବୋଲି ସାଂସଦ କହିଛନ୍ତି।

କ’ଣ ଅଭିଯୋଗ କରିଥିଲେ ଛାତ୍ରୀ ଜଣଙ୍କ

ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ କଲେଜର ଦ୍ୱିତୀୟ ବର୍ଷର ଏହି ଇଣ୍ଟିଗ୍ରେଟେଡ୍ ବିଏଡ୍‌ର ଛାତ୍ରୀ ଜଣଙ୍କ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଗତ ୧ ତାରିଖରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଥିଲେ,ଏଚ୍‌ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମୋତେ ମାନସିକ ନିର୍ଯାତନା ଦେବା ସହିତ ଅପମାନିତ କରି ଚାଲିଛନ୍ତି। ଶ୍ରେଣୀ ଗୃହରେ ବ୍ୟାକ୍ ଲଗାଇ ଦେବାକୁ ଧମକ ଦେଉଛନ୍ତି। ୬ ବର୍ଷ ବସେଇ ଦେବା ପାଇଁ ସିଧା ଧମକ ଦେଉଛନ୍ତି। ତା’ ସହିତ ଅସଦାଚରଣ କରୁଛନ୍ତି। ମୋ ବ୍ୟକ୍ତିଗତ କଥାକୁ ମୋ ଘରକୁ ଜଣାଉଛନ୍ତି। ସବୁଠୁ ବଡ଼ କଥା ହେଉଛି ସେ  ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ମୁଁ ମନା କରିଥିଲି। ତା’ପରେ ସେ ମୋ ସହିତ ଦୁର୍ବ୍ୟବହାର କରି ଚାଲିଛନ୍ତି। ତେଣୁ ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଯଦି ଘଟଣାର ତର୍ଜମା/ତଦନ୍ତ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା’ହେଲେ ମୁଁ ଆତ୍ମହତ୍ୟା କରିବି। ଆଉ ଏସବୁ ପାଇଁ ଏଚ୍‌ଓଡି ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ।