ବାଲି ଗାଡ଼ି ଛାଡ଼ିବା ପାଇଁ ହୋଇଥିଲା ଡିଲ୍। ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଏପରି ଏକ ଘଟଣା ଆଜି ନୟାଗଡ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟରେ ଘଟିଛି। ଅତିରିକ୍ତ ତହସିଳଦାରଜଣକ ହେଉଛନ୍ତି ଗଣିଆ ତହସିଲ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ।
ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଦିନ ଆଜି ସକାଳ ୯ଟାରେ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛି ଭିଜିଲାନ୍ସ ।
ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ ତହସିଲ କର୍ମଚାରୀ। ଗାଡ଼ି ଛାଡ଼ିବା ନିମନ୍ତେ ୧୩ ହଜାରରେ କଥା ଛିଣ୍ଡିଥିଲା। ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ।
ଆଜି ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ। ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ନେଇଛନ୍ତି। ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍ ମିଳିତ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।