ଅତିରିକ୍ତ ତହସିଲଦାର ନେଉଥିଲେ ଲାଞ୍ଚ, ଘର ଆଗରୁ ଉଠାଇ ନେଲା ଭିଜିଲାନ୍ସ

ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ।

ଅତିରିକ୍ତ ତହସିଲଦାର।

  • Published: Friday, 28 July 2023
  • , Updated: 28 July 2023, 01:24 PM IST

ବାଲି ଗାଡ଼ି ଛାଡ଼ିବା ପାଇଁ ହୋଇଥିଲା ଡିଲ୍‌। ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଏପରି ଏକ ଘଟଣା ଆଜି ନୟାଗଡ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟରେ ଘଟିଛି। ଅତିରିକ୍ତ ତହସିଳଦାରଜଣକ ହେଉଛନ୍ତି ଗଣିଆ ତହସିଲ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ।

ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଦିନ ଆଜି ସକାଳ ୯ଟାରେ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛି ଭିଜିଲାନ୍ସ ।

ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ ତହସିଲ କର୍ମଚାରୀ। ଗାଡ଼ି ଛାଡ଼ିବା ନିମନ୍ତେ ୧୩ ହଜାରରେ କଥା ଛିଣ୍ଡିଥିଲା। ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ। 

ଆଜି ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ। ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ନେଇଛନ୍ତି।  ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍‌ ମିଳିତ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାଯାଇଛି।  

Related story