Advertisment

ବିଡିଓଙ୍କ ସଂପତ୍ତିର ଲମ୍ବା ତାଲିକା- କୋଠା, ଫ୍ଲାଟ, ପ୍ଲଟ, ବ୍ୟାଙ୍କ ଜମା, ହୀରା ହାର, ସୁନା ଅଳଙ୍କାର...

ଚଢ଼ାଉ ବେଳେ ବିଡିଓଙ୍କ ଘରୁ ନଗଦ ୬ ଲକ୍ଷରୁ ଅଧିକ ଟଙ୍କା ମିଳିଛି।

author-image
Jitendra Garnayak
BDO

BDO

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଟକ ଜିଲ୍ଲା ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କର ୮ଟି ଠିକଣାରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କର ୨ଟି କୋଠା, ଗୋଟିଏ ଫ୍ଲାଟ, ୩ଟି ପ୍ଳଟ, ୪୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ କରାଯାଇଥିବା ବେଳେ ନଗଦ ୬ .୧୧ ଲକ୍ଷ ଟଙ୍କା ସହିତ ୩୦୦ ଗ୍ରାମର ସୁନା ଗହଣା ଏବଂ ୨ଟି ଚାରି ଚକିଆ ଗାଡ଼ି ଜବତ କରାଯାଇଛି।

Advertisment

୨ଟି କୋଠା ମଧ୍ୟରୁ ଖୋର୍ଦ୍ଧାରେ ଗୋଟିଏ ଥିବା ବେଳେ ଅନ୍ୟଟି ନୟାଗଡ଼ର ରାଜସୁନାଖଳାରେ ରହିଛି। ଭୁବନେଶ୍ୱରର ଗୌତମ ନଗରରେ ଶ୍ରୀ ଏନ୍‌କ୍ଲେଭରେ ତାଙ୍କର ଗୋଟିଏ ଟୁ-ବିଏଚ୍‌କେ ଫ୍ଲାଟ ରହିଛି। ଖୋର୍ଦ୍ଧା ଓ ରାଜସୁନାଖଳାରେ ତାଙ୍କର ୩ଟି ପ୍ଳଟ ଅଛି। ଉଭୟ କୋଠା, ଫ୍ଲାଟ ଓ ପ୍ଲଟରଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଭିଜିଲାନ୍ସର ବୈଷୟିକ ଟିମ୍ କରୁଛି।

ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରୁ ନଗଦ ୬ ଲକ୍ଷ ୧୧ ହଜାର ୭୭୦ ଟଙ୍କା ମିଳିଥିବା ବେଳେ ୩୦୦ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଦାମୀ ହୀରାହାର ଓ ପ୍ରାୟ ୫୦୦ ଗ୍ରାମର ରୁପା ଅଳଙ୍କାର ମିଳିଛି। ଭୁବନେଶ୍ୱର ସ୍ଥିତ ଏସ୍‌ବିଆର ମୁଖ୍ୟ ଶାଖାରେ ତାଙ୍କର ଏକ ଲକର ଅଛି। ତାକୁ ଏ ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ଖୋଲାଯାଇ ନାହିଁ। ତାଙ୍କର ଦୁଇଟି ଚାରି ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଚଢ଼ାଉ ଜାରି ରହିଥିବାରୁ ତାଙ୍କଠାରୁ ଆହୁରି ସଂପତ୍ତି ମିଳିବ ବୋଲି ଆଶା କରୁଛି ଭିଜିଲାନ୍ସ।

Advertisment
Vigilance Raid Odisha Vigilance Disproportionate Assets