Advertisment

ସମସ୍ତଙ୍କଠାରୁ ଲାଞ୍ଚ ନେଉଥିଲେ, ନଦେଲେ ହଇରାଣ କରୁଥିଲେ, ଆଜି ଫସିଗଲେ

କଟକ ଭିଜିଲାନ୍ସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

author-image
Jitendra Garnayak
Rajesh Kumar Senapati

Rajesh Kumar Senapati

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି। ଜଣେ ସପ୍ଲାୟରଙ୍କ ଠାରୁ ସେ ଏହି ଅର୍ଥ ନେଉଥିଲେ।

Advertisment

ସପ୍ଲାୟର ଜଣଙ୍କ ଏମ୍‌ବିଏ କରିଛନ୍ତି। ସେ ନୂଆ ନୂଆ ବ୍ୟବସାୟ କରୁଛନ୍ତି। ଅନ୍‌ଲାଇନ୍‌ରେ ପାଇଥିବା ଅର୍ଡର ଅନୁସାରେ ସେ ଆବଶ୍ୟକ ମେସିନ ଗରଦପୁର ବ୍ଲକ କୃଷି କାର୍ଯ୍ୟାଳୟକୁ ଯୋଗାଇ ଦେଇଥିଲେ। ତେବେ ଏନେଇ ବିଲ୍‌ ପାସ୍ କରିବାକୁ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି ତାଙ୍କୁ ହଇରାଣ କରୁଥିଲେ ଓ ତା’ ସହିତ ଲାଞ୍ଚ ମାଗୁଥିଲେ।

ଅନ୍ୟକୌଣସି ଉପାୟ ନପାଇ ସପ୍ଲାୟର ଜଣଙ୍କ ଟୋଲ୍ ଫ୍ରି ନମ୍ବର ୧୦୬୪ରେ ଫୋନ୍ କରି ରାଜ୍ୟ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଗରଦପୁର ବ୍ଲକ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି କେବଳ ଏହି ସପ୍ଲାୟରଙ୍କୁ ହଇରାଣ କରୁନଥିଲେ। ବିଲ୍‌ ପାସ୍ କରି ଦେବା ପାଇଁ ସେ ଅନ୍ୟ ସପ୍ଲାୟରମାନଙ୍କୁ ମଧ୍ୟ ଲାଞ୍ଚ ମାଗୁଥିଲେ।

Advertisment

ଏହା ପରେ ଆଜି ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଅଧିକାରୀମାନେ ରାଜେଶ କୁମାର ସେନାପତିଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ରାଜେଶ କୁମାର ସେନାପତିଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

କଟକ ଭିଜିଲାନ୍ସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Vigilance Raid Bribe Odisha Vigilance Vigilance Net Vigilance