ଉତ୍ତରପ୍ରଦେଶ ବାବା କୋଲୋନୀରେ ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ବାପା ଏବଂ ଦାଦାଙ୍କୁ ହେପାଜତକୁ ନେଲା ପୁଲିସ। ଏନକାଣ୍ଟରରେ ମୃତ ଅଭିଯୁକ୍ତ ସାଜିଦର ବାପା ଏବଂ ଦାଦାକୁ ଅଟକ ରଖି ପଚରାଉଚରା କରୁଛି। କେଉଁ କାରଣରୁ ସାଜିଦ ଏପରି ଏକ ହତ୍ୟାକାଣ୍ଡ ଘଟାଇଲା, ଖୋଳତାଡ଼ କରୁଛି ପୁଲିସ।
ପ୍ରକାଶ ଥାଉ କି, ସାଜିଦ ବାବା କୋଲୋନୀର ଏକ ସାଲୁନର ଚୁଟି କଟାଳି। ସେହି କୋଲୋନୀରେ ରହୁଥିବା ବିନୋଦଙ୍କ ସହ ତାଙ୍କର ପୂର୍ବରୁ କୌଣସି କଥାକୁ ନେଇ ବିବାଦ ଥିଲା। କିନ୍ତୁ ଗତକାଲି ସେ ବିନୋଦଙ୍କ ଘରକୁ ଯାଇ ଚା' ପିଇବାକୁ ମାଗିଥିଲା। ବିନୋଦଙ୍କ ପତ୍ନୀ ଯେତେବେଳେ ଚା' ତିଆରି କରିବାକୁ ଘର ଭିତରକୁ ଯାଇଥିଲେ, ସେତେବେଳେ ସାଜିଦ ବିନୋଦଙ୍କର ତିନି ଜଣ ପିଲା ଖେଳୁଥିବା ସ୍ଥାନକୁ ଯାଇଥିଲା।
ସେଠାରେ ଧାରୁଆ ଅସ୍ତ୍ରରେ ବିନୋଦଙ୍କ ତିନି ପୁଅଙ୍କ ତଣ୍ଟି କାଟି ଦେଇଥିଲା ସାଜିଦ। ଘଟଣାସ୍ଥଳରେ ବଡ଼ ପୁଅ ଆୟୁଷ (୧୩) ଏବଂ ଆହାନ (୭)ର ମୃତ୍ୟୁ ଘଟିଥିବା ବେଳେ ସାନ ପୁଅ ପିୟୁଷ (୬) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ପୋଡାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ପୁଲିସ ଉପରକୁ ଆକ୍ରମଣ କରିଥିଲା ସାଜିଦ। ଫଳରେ ଏନକାଉଣ୍ଟର କରିଥିଲା ପୁଲିସ। ଏଥିରେ ସାଜିଦର ମୃତ୍ୟୁ ଘଟିଛି।
ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିବା ପରେ ହତ୍ୟାକାଣ୍ଡର କାରଣକୁ ନେଇ ସସ୍ପେନ୍ସ ବଢିଛି। ମୃତ ପିଲାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ସାଜିଦର ବାପା ଏବଂ ଦାଦାଙ୍କୁ ହେପାଜତକୁ ନେଇଛି ପୁଲିସ। ଏହି ଘଟଣାରେ ସାଜିଦର ଭାଇ ଜାବେଦକୁ ଅନ୍ୟ ଜଣେ ଅଭିଯୁକ୍ତ ଭାବେ ସନ୍ଦେହ କରୁଛି ପୁଲିସଷ ଜାବେଦ ଫେରାର୍ ଥିବାବେଳେ ପୁଲିସ ତାକୁ ଖୋଜାଖୋଜି କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।