ସାମ୍ୱାଦିକଙ୍କୁ ମାଡ଼ ମାରି ଜେଲ୍‌ ଗଲେ ମାତାଲ ଏସ୍‌ଡିଓ ଓ ଯନ୍ତ୍ରୀ

ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍‌ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଓଟିଭି ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଆକ୍ରମଣ ବେଳର ଦୃଶ୍ୟ...

  • Published: Thursday, 09 January 2025
  • , Updated: 09 January 2025, 05:30 PM IST

ଡ୍ୟୁଟି ସମୟରେ ଅଫିସରେ ନରହି ଭୋଜି ଭାତରେ ମାତିଥିଲେ! ମାତାଲ ହୋଇ କାର୍ଯ୍ୟରତ ସାମ୍ୱାଦିଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିସହ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ମାମଲା ଜେଲ୍‌ ଗଲେ ଏସ୍‌ଡିଓ ଓ ଯନ୍ତ୍ରୀ। ବଲାଙ୍ଗିର ପୁଲିସ୍‌ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଉଭୟଙ୍କୁ ବିଦ୍ୟୁତ ବିଭାଗ ସସ୍‌ପେଣ୍ଡ କରିଥିବା ବେଳେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଟାଟା ପାୱାର ଗାଇଡ୍‌ଲାଇନ୍‌ ଜାରି କରିଛି।

ବୁଧବାର ଟିଟିଲାଗଡ ଥାନା ଟିମନଭାଡି ଗାଁରେ ତଳେ ଝୁଲୁଥିବା ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୨ ବର୍ଷୀୟ ଉଦ୍ଧବ ପୋଢଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଗୁରୁତର ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଦ୍ୟୁତ ବିଭାଗକୁ ଫୋନ କରିଥିଲେ। ହେଲେ ଅଫିସ୍‌ରେ କେହି ଫୋନ୍‌ ଉଠାଇ ନଥିଲେ। ଅଭିଯୋଗ ହେଉଛି ସେତେବେଳେ ଅଫିସ୍‌ରେ କୁଆଡେ କେହିନଥିଲେ। ଡ୍ୟୁଟି ସମୟରେ ଅଫିସ୍‌ର ସମସ୍ତ କର୍ମଚାରୀ ରାସ୍ତା ପାର୍ଶ୍ୱରେ ଭୋଜିଭାତ ମାତିଥିଲେ।

ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପ୍ରତିକ୍ରିୟା ଆଣିବା ପାଇଁ ଓଟିଭିର ଟିଟିଲାଗଡ ପ୍ରତିନିଧି ଅବିନାଶ ନନ୍ଦଙ୍କ ସମେତ ୩ ଜଣ ସାମ୍ବାଦିକ ବିଦ୍ୟୁତ୍‌ ବିଭାଗ ଅଫିସ୍‌ ଯାଇଥିଲେ। ମାତ୍ର ସେତେବେଳେ ଅଫିସ୍‌ରେ କେହି ନଥିଲେ। ତେଣୁ ଏମାନେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଭୋଜି କରୁଥିବା ସ୍ଥାନକୁ ଯାଇଥିଲା। ସେତେବେଳକୁ ମଦ ନିଶାରେ ଟୁଳୁଟୁଳୁ ହେଉଥିଲେ କଣ୍ଟାବାଂଜି ଇଲେକ୍ଟ୍ରିକାଲ ଏସ୍‌ଡିଓ ଜଗନ୍ନାତ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ।

ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍‌ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଓଟିଭି ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଖାଲି ସେତିକି ନୁହେଁ, ଫୋନ କରି ଅନ୍ୟମାନଙ୍କୁ ଡାକିବାକୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲେ। ଗାଡି ମଡାଇ ସାମ୍ବାଦିକଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ମାତାଲ ଯନ୍ତ୍ରୀଙ୍କ ଅନ୍ୟ ସାଥୀମାନେ।

ଜୀବନ ବିକଳରେ ସେମାନଙ୍କ କବଳରୁ ମୁକୁଳିଥିଲେ ସାମ୍ୱାଦିକ। ଆଜି ଏହି ଘଟଣା ପ୍ରଘଟ ହେବା ପରେ ସାମ୍ୱାଦିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆକ୍ରମଣ ଘଟଣାକୁ ନିନ୍ଦା କରି ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସ୍ଥାନୀୟ ସାମ୍ବାଦିକ ଓ ଜିଲ୍ଲା ସାମ୍ବାଦିକ ସଂଘ। ଜିଲ୍ଲାର ବିଭିନ୍ନ ଜାଗାରେ ମାତାଲ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବିଭିନ୍ନ ସାମ୍ବାଦିକ ସଂଘ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଏସ୍‌ଡିଓ ଜଗନ୍ନାତ ପତି ଓ ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ବିଦ୍ୟୁତ ବିଭାଗ ମଧ୍ୟ ଉଭୟଙ୍କ ନିଲମ୍ୱିତ କରାଯାଇଛି।

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନାନ୍ଦ

Related story