ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି : ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ

ଏହି ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜାମିନ ଆବେଦନ କରିଛନ୍ତି।

ଗିରଫ ହୋଇଥିବା ୩ ଅଭିଯୁକ୍ତ

  • Published: Tuesday, 11 July 2023
  • , Updated: 11 July 2023, 05:57 PM IST

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ପୁଣି ୪ ଦିନ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ। ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ସିବିଆଇ। ଆଜି ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ।

ଆଜି ଅଭିଯୁକ୍ତମାନଙ୍କ ୫ ଦିନିଆ ରିମାଣ୍ଡ ସରିଥିଲା। ପରେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ ଚନ୍ଦକା ଥାନାକୁ ଅଣାଯାଇଥିଲା। ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ। ଏହି ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜାମିନ ଆବେଦନ କରିଛନ୍ତି। ସିନିୟର୍ ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ ଓ ସେକ୍ସନ ଇଂଜିନିୟର ଅମୀର ଖାନ୍‌ଙ୍କ ପାଇଁ ତାଙ୍କ ଓକିଲ ଏହି ଜାମିନ ଆବେଦନ କରିଛନ୍ତି।

ସୂଚନା ଥାଉକି, ଗତ ଜୁନ୍ ୨ ତାରିଖରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଘଟିଥିଲା ଦୁର୍ଘଟଣା। ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା। ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା।

Related story