Anwarul Azim Anwar's File Photo
କୋଲକାତାରେ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନୱାରଙ୍କ ହତ୍ୟା ମାମଲାରେ ଏକ ସାଙ୍ଘାତିକ ଦିଗ ସାମ୍ନାକୁ ଆସିଛି। ହତ୍ୟା ପରେ ସାଂସଦ ଅନୱାରଙ୍କ ଚର୍ମ କାଢି ନିଆଯିବା ସହ ହାଡ଼କୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ସିଆଇଡି ଟିମ୍।
କେବଳ ଏତିକି ନୁହେଁ, ସାଂସଦଙ୍କ ହତ୍ୟା ପଛରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ହାତ ଥିବା ବେଳେ ଏଥିପାଇଁ 5 କୋଟି ଟଙ୍କାର ସୁପାରି ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ସୂଚନା ଅନୁସାରେ, କୋଲକାତା ବିମାନବନ୍ଦର ସ୍ଥିତ ଏକ ଭଡ଼ା ଘରୁ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ପରିଚୟ ନଷ୍ଟ ପାଇଁ ଶରୀରରୁ ଚର୍ମ କାଢି ନିଆଯିବା ସହ ହାଡକୁ ଖଣ୍ଡ ଖଣ୍ଡ କରାଯାଇଛି। ପଶ୍ଚିମବଙ୍ଗ ଅପରାଧ ତଦନ୍ତକାରୀ ସଂସ୍ଥା(ସିଆଇଡି) ଏହି ମାମଲାର ଜଣେ ସନ୍ଦିଗ୍ଧକୁ ଗିରଫ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି।
ସିଆଇଡି ସୂତ୍ରରୁ ଜଣାପଡିଛି ଯେ, ସନ୍ଦିଗ୍ଧ ଜିହାଦ ହାୱଲଦାର ଅଜିମ ଅନୱାରଙ୍କୁ କୋଲକାତାରେ ହତ୍ୟା କରିଛି। ହାୱଲଦାର ହେଉଛି ଜଣେ ପେସାଦାର ବଚର୍(ଯିଏକି ପଶୁ ହତ୍ୟା କରିବା ସହ ସେମାନଙ୍କ ଚମଡା ବାହାର କରିଥାଏ)। ସେ ବାଂଲାଦେଶର ଖୁଲନା ଜିଲ୍ଲାର ବାରକପୁରର ବାସିନ୍ଦା ହୋଇଥିବା ବେଳେ ବେଆଇନ ଭାବେ ମୁମ୍ବାଇରେ ରହୁଥିଲା।
ହତ୍ୟାକାଣ୍ଡ ପଛର ମାଷ୍ଟରମାଇଣ୍ଡ ଅନୱାରଙ୍କ ବନ୍ଧୁ ଅଖତାରୁଜମାନ ହାୱଲଦାରକୁ ସୁପାରି ଦେଇଥିଲେ। କୋଲକାତାର ଯେଉଁ ଭଡା ଘରେ ଅନୱାରଙ୍କୁ ହତ୍ୟା କରାଯାଇଥିଲା, ସେଠାରେ ହାୱଲଦାର 2 ମାସ ହେବ ରହି ଆସୁଥିଲା। ପଚରାଉଚରା ବେଳେ ହତ୍ୟା କରିଥିବା ସ୍ୱୀକାର କରିଛି ହାୱଲଦାର। ଅଖତାରୁଜମାନ ନିର୍ଦ୍ଦେଶକ୍ରମେ ହତ୍ୟା କରିଥିବା ମଧ୍ୟ ମାନିଛି।
ପଚରାଉଚରା ବେଳେ ହାୱଲାଡର ସ୍ୱୀକାର କରିଛି ଯେ, ସେ ଏବଂ ଅନ୍ୟ ଚାରିଜଣ ବାଂଲାଦେଶୀ ନାଗରିକ କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟରେ ସାଂସଦଙ୍କୁ ହତ୍ୟା କରିଥିଲେ। ପରିଚୟ ନଷ୍ଟ କରିବା ପାଇଁ ଚର୍ମ କାଢିନେବା ସହ ହାଡକୁ ଖଣ୍ଡ ଖଣ୍ଡ କରି ଏକାଧିକ ପ୍ଲାଷ୍ଟିକ ପ୍ୟାକେଟରେ ରଖିଥିଲେ ଏବଂ ପରେ ଗୋଟିଏ ପରେ ଗୋଟିଏ ପ୍ୟାକେଟକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ।
ମେ 13ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ସାଂସଦଙ୍କ ମୃତଦେହ ମିଳିପାରିନାହିଁ। ସେ କୋଲକାତାରୁ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହେବା ପରେ ବାଂଲାଦେଶ ସିଆଇଡି ଟିମ୍ ଖୋଳତାଡ କରି ମାମଲାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ସିଆଇଡି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
