Advertisment

BJD କର୍ମୀଙ୍କ ଦାଦାଗିରି; ବ୍ଲକ୍‌ ଅଫିସ୍‌ରେ ବିଡିଓଙ୍କୁ ଦୁର୍ବ୍ୟବହାର ଓ ଠେଲାପେଲା

ବ୍ଲକ ଅଫିସ୍‌ରେ ପହଞ୍ଚିବା ପରେ ବିଡିଓଙ୍କୁ ଘେରି ଯାଇଥିଲେ ବ୍ଲକ୍‌ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ବିଜେଡି କର୍ମୀ। ପରେ ତାଙ୍କୁ ବ୍ଲକ ଅଫିସ୍‌ ସମ୍ମିଳନୀ କକ୍ଷ ଭିତରରେ ପୂରାଇ ଦେଇଥିଲେ। ତା’ପରେ ତାଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

author-image
Manoranjan Sial
BDO was abused in the block office

BDO was abused in the block office

ବିଜେଡି କର୍ମୀଙ୍କ ଦାଦାଗିରି। ବ୍ଲକ ଅଫିସ୍‌ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ପୂରାଇ ଦୁର୍ବ୍ୟବହାର ସହ ଠେଲାପେଲା କଲେ! ବିଲ୍‌ ପାସ୍ କରୁନଥିବା ଅଭିଯୋଗ ଆଣି ବ୍ଲକ୍‌ ଅଧ୍ୟକ୍ଷାଙ୍କ ସହ କିଛି ବିଜେଡି ଜନପ୍ରତିନିଧି ବିଡିଓଙ୍କୁ ଠେଲାପେଲା କରି ସହିତ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଏପରି ଅଭିଯୋଗ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକରୁ ଆସିଛି। ଏନେଇ ବିଡିଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

Advertisment

ଆଜି ପାରାଦୀପ ଗଡ଼ରେ ହେଉଥିଲା ଜନ ଶୁଣାଣି। ଏଥିରେ ଯୋଗଦେଇଥିଲେ କୁଜଙ୍ଗ ବିଡିଓ ଦୀପକ କୁମାର ସ୍ୱାଇଁ। ଅଭିଯୋଗ ଅନୁସାରେ ଜନଶୁଣାଣି ଚାଲିଥିବା ବେଳେ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ବିଜେଡି କର୍ମୀ ବାରମ୍ୱାର ବିଡିଓଙ୍କୁ ଫୋନ୍‌ କରିଥିଲେ। ଶୀଘ୍ର ବ୍ଲକ ଅଫିସ୍‌ ଆସିବା ପାଇଁ ଧମକ ଦେଇଥିଲେ। ଯେଉଁଥିପାଇଁ ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ ବିଡିଓ। ଜନଶୁଣାଣିକୁ ଅଧାରୁ ଛାଡ଼ି ବ୍ଲକ ଅଫିସ୍‌ ଆସିଥିଲେ।

ବ୍ଲକ ଅଫିସ୍‌ରେ ପହଞ୍ଚିବା ପରେ ବିଡିଓଙ୍କୁ ଘେରି ଯାଇଥିଲେ ବ୍ଲକ୍‌ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ବିଜେଡି କର୍ମୀ। ପରେ ତାଙ୍କୁ ବ୍ଲକ ଅଫିସ୍‌ ସମ୍ମିଳନୀ କକ୍ଷ ଭିତରରେ ପୂରାଇ ଦେଇଥିଲେ। ତା’ପରେ ତାଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଘର ଭିତରେ ପୂରାଇ ରଖିଥିଲେ। କ’ଣ ପାଇଁ ଆମ ବିଲ୍‌ ପାସ୍‌ କରାଯାଉନି ବୋଲି ପ୍ରଶ୍ନ କରିଥିଲେ। ଖବର ପାଇଁ ବ୍ଲକ ଅଫିସ୍‌ରେ ପହଞ୍ଚିଥିଲେ ବିଜେପି କର୍ମୀ। ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। କହିବାକୁ ଗଲେ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ବ୍ଲକ ଅଫିସ୍‌ ସମ୍ମୁଖ। ଏହାରି ଭିତରେ ବିଡିଓଙ୍କୁ ସମ୍ମିଳନୀ କକ୍ଷରୁ ବାହାର କରାଯାଇଥିଲା।

Advertisment

ବ୍ଲକ୍‌ ସମ୍ମିଳନୀ କକ୍ଷରୁ ବାହାରିବା ପରେ ବିଡିଓ ଶ୍ରୀ ସ୍ୱାଇଁ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଅନେକ ବିଜେଡି ସମର୍ଥିତ ଜନପ୍ରତିନିଧିଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଏନେଇ ବ୍ଲକ୍‌ ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Odisha BjD Paradip