Advertisment

ସୁନା କିଣିବା ବେଳେ ହୁସିଆର! ଆସିଛି ଏମିତି ତଥ୍ୟ

୨୦୨୩-୨୪ରେ ମଧ୍ୟ ୮,୪୬୯ଟି ଚଢ଼ାଉ କରାଯାଇଥିଲା। ସେଥିରୁ ୪୯୫ଟି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା।

author-image
Jitendra Garnayak
Gold

Gold

ଠକୁଛନ୍ତି ସୁନା ଦୋକାନୀ। ସୁନାର ମାନ, ଓଜନ ଓ ଅନ୍ୟାନ୍ୟ ଅନିୟମିତତା କରି ଠକିବାକୁ ଅନାଇ ବସିଛନ୍ତି ଅନେକ ଅସାଧୁ ବ୍ୟବସାୟୀ। ଗତ ୫ ମାସ (ଏପ୍ରିଲରୁ ଅଗଷ୍ଟ) ମଧ୍ୟରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୩,୧୨୫ଟି ରେଡ୍ କରାଯାଇଥିବା ବେଳେ ରୁଜୁ ହୋଇଛି ୧୧୬ଟି ମାମଲା। ଏଥିସହ ଅନିୟମିତତା ବାବଦକୁ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଜୋରିମାନା। ସର୍ବାଧିକ ଠକେଇ ହୋଇଛି ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ। ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ସୁନା ଦୋକାନରେ ଅନିୟମିତତା ଅଭିଯୋଗରେ ଗତ ଆର୍ଥିକ ବର୍ଷ ୨୦୨୩-୨୪ରେ ମଧ୍ୟ ୮,୪୬୯ଟି ଚଢ଼ାଉ କରାଯାଇଥିଲା। ସେଥିରୁ ୪୯୫ଟି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। ସେମାନଙ୍କଠାରୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା।

ସୁନା ଦୋକାନରେ କେମିତି ହେଉଛି ଠକେଇ ? ଏ ସଂପର୍କରେ କେମିତି ସଚେତନ ହେବେ ଗ୍ରାହକ ? ପୂର୍ବରୁ ଛୋଟ ନିକିତିରେ ଓଜନ ହେଉଥିଲା, ଏବେ ଡିଜିଟାଲ ମେସିନ୍। ସବୁ ସୁନାରେ ପ୍ରାୟତଃ BIS ହଲମାର୍କର ଚିହ୍ନ। ତଥାପି ଠକେଇର ଶିକାର ହେଉଛନ୍ତି ଗ୍ରାହକ। ଆଇନଜୀବୀ କହିଛନ୍ତି, ବିନା ହଲମାର୍କରେ ସୁନା ବିକ୍ରି କରିବା ଦଣ୍ଡନୀୟ ଅପରାଧ। ସରକାରଙ୍କ ପକ୍ଷରୁ ଏନେଇ ରୀତିମତ ଯାଞ୍ଚର ଆବଶ୍ୟକତା ରହିଛି। ଯଦି କୌଣସି ଗ୍ରାହକ ଠକେଇର ଶିକାର ହେଉଛନ୍ତି ତା’ହେଲେ ସେ ଖାଉଟି ଅଦାଲତର ଆଶ୍ରୟ ନେଇପାରିବେ। ଫଳରେ ଶହେ ପ୍ରତିଶତ କ୍ଷତିପୂରଣ ପାଇପାରିବେ।

Advertisment

ଅନ୍ୟପକ୍ଷରେ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ବୈଧ ମାପ ବିଜ୍ଞାନ ବିଭାଗ ପକ୍ଷରୁ ୭ ଲକ୍ଷ ୬୩ ହଜାର ୫୦୩ଟି ବ୍ୟବସାୟିକ ଅନୁଷ୍ଠାନରେ ଚଢ଼ାଉ କରାଯାଇଥିଲା। ସେଥିରୁ ୩୯୧ଟି ସ୍ଥାନରେ ଓଜନରେ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୪୦ ଲକ୍ଷ ୯୨ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।

Gold Smuggling