/odisha-reporter/media/post_attachments/uploadimage/library/16_9/16_9_0/IIC__1697462933.jpg)
IIC
ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣା ସାମ୍ନାକୁ ଆସିବାର ଦିନକ ପରେ ଆଜି ବଦଳିଛନ୍ତି ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟ। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ବୋଲଗଡ଼ ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ବେଗୁନିଆ ଆଇଆଇସି ଭାବେ ବଦଳି କରାଯାଇଛି।
ଜବତ ବାଣ ଓ ମଦର ଚୋରାଚାଲାଣ ଘଟଣାରେ ଗତକାଲି ବେଗୁନିଆ ଥାନାର ହୋମଗାର୍ଡ ପ୍ରକାଶ ମୁଦୁଲିଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।
ଶନିବାର ବେଗୁନିଆ ଥାନା ପୁଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବେଗୁନିଆ ଷ୍ଟାଡିୟମ ନିକଟରୁ ଏକ ମଦ ବୋଝେଇ କାର୍କୁ ଜବତ କରିଥିଲା।
ଜବତ ବାଣ ଓ ମଦ ଥାନା ପରିସରରେ ଥିଲା। ଶନିବାର ରାତି ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଓମିନି କାରରେ ବହୁ ପରିମାଣରେ ବାଣ ଓ ମଦ ନେଇ କୌଣସି ସ୍ଥାନକୁ ଯାଉଥିଲେ। ସେତିକି ବେଳେ ବେଗୁନିଆ ସରପଞ୍ଚ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିଥିଲେ। ବାଣ ଓ ମଦ ନେଇ ସେମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଲୋକେ ପଚାରିଥିଲେ। କିନ୍ତୁ ହୋମଗାର୍ଡ ପ୍ରକାଶ ମୁଦୁଲି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଓଲଟି ସେ ସ୍ଥାନୀୟ ଲୋକଙ୍କୁ ହାତଯୋଡ଼ି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ।
ବେଗୁନିଆ ଥାନାର କନଷ୍ଟେବଳ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ମୁଦୁଲି କାରରେ ବାଣ ଓ ମଦ ନେଇ ଯାଉଥିଲେ ବୋଲି ଲୋକଙ୍କ ଆଗରେ କହିଥିଲେ। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ବେଗୁନିଆ ସରପଞ୍ଚ ଖୋର୍ଦ୍ଧା ଏସ୍ଡିପିଓ ଦିଲ୍ଲୀପ ଦାସଙ୍କୁ ଖବର ଦେଇଥିଲେ। ଏସ୍ଡିପିଓ ଦିଲ୍ଲୀପ ଦାସ ଓ ବେଗୁନିଆ ଥାନା ଆଇଆଇସି ଲୋକଙ୍କୁ ବୁଝାସୁଝା କରି କାରଟିକୁ ଜବତ କରି ଥାନାକୁ ନେଇଥିଲେ।
ସୂଚନାଯୋଗ୍ୟ, ବୋଲଗଡ଼ ଆଇଆଇସିଙ୍କୁ ବେଗୁନିଆ ବଦଳି କରାଯାଇଥିବା ବେଳେ ମଡେଲ ଥାନାର ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କୁ ବୋଲଗଡ଼ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଛି। ସେହିପରି ବାଘମାରୀ ଥାନା ଏସ୍ଆଇ ଗାୟତ୍ରୀ ଗୋଚ୍ଛାୟତଙ୍କୁ ବାଣପୁର ଥାନାକୁ, କୁହୁଡ଼ି ଆଉଟ୍ପୋଷ୍ଟ ଏସ୍ଆଇ ପ୍ରସନ୍ନ କୁମାର ଜେନାଙ୍କୁ ମଡେଲ ଥାନା, ବାଣପୁର ଥାନା ଏସ୍ଆଇ ବସନ୍ତ କୁମାର ମିଶ୍ରଙ୍କୁ କୁହୁଡ଼ି ଆଉଟ୍ ପୋଷ୍ଟ ଏବଂ ମଡେଲ ଥାନା ଏସ୍ଆଇ ସୁକାନ୍ତ ଦଳେଇଙ୍କୁ ବାଣପୁର ଥାନାକୁ ବଦଳି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
