Advertisment

୫୫ ହେଲାଣି, କମିନି ପ୍ରେମ ନିଶା; ପୁଲିସ୍‌ ଇନ୍ସପେକ୍ଟର କହି ଯୁବତୀଙ୍କୁ ବିବାହ କରୁଥିଲେ

ମନୋଜଙ୍କ ମିଠା ମିଠା କଥା ଓ ସେ ଜଣେ ପୁଲିସ୍‌ ଅଫିସର ବୋଲି ଜାଣିବା ପରେ ଯୁବତୀଙ୍କ ମନ ବଦଳିଥିଲା। ଏହାର ସୁଯୋଗ ନେଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ମନୋଜ। ଆଉ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଯୁବତୀ ଜଣକ(ରେଖା)।

Police

Police

Advertisment

୫୫ ବର୍ଷ ହେଲାଣି। ବାର୍ଦ୍ଧକ୍ୟ ଆଡକୁ ଗୋଡ଼ ବଢ଼ାଇଲେଣି। ହେଲେ ପ୍ରେମ ନିଶା କମିନି। ଦୁଇ ଜଣଙ୍କୁ ବିବାହ କରିବା ପରେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ଫେସ୍‌ବୁକ୍‌ରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ହେଲେ ତୃତୀୟ ବିବାହ ପରେ ଖୋଲିଯାଇଥିଲା ରଙ୍ଗୀଲାଙ୍କ ରାଜ୍‌। ଆଜି ଏହି ରଙ୍ଗୀଲା ନକଲି ପୁଲିସ୍‌ ଇନ୍ସପେକ୍ଟରଙ୍କୁ ବାନ୍ଧିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।

Advertisment

କମିଶନରେଟ୍‌ ପୁଲିସ୍‌ ହାତରେ ଧରା ପଡ଼ିଥିବା ରଙ୍ଗୀଲା ହେଉଛନ୍ତି ଭଦ୍ରକର ସୁବାସ ଚନ୍ଦ୍ର କହଁର। ତାଙ୍କର ବୟସ ୫୫ ବର୍ଷ। ଦୁଇ ଦୁଇ ଥର ବିବାହ କରିଛନ୍ତି। ୨୫ ବର୍ଷର ପିଅଟିଏ ରହିଛି। ମୁଣ୍ଡରେ ଚୁଟି କେରେ ନାହିଁ। ପୂରା ଚନ୍ଦା। ହେଲେ ଏ ବୟସରେ ତାଙ୍କର ପ୍ରେମ ନିଶା କମିନି। ବାର୍ଦ୍ଧକ୍ୟ ଆଡକୁ ଗୋଡ଼ ବଢ଼ାଉଥିବା ବୟସରେ ରୋମାନ୍ସ କରୁଛନ୍ତି ରଙ୍ଗୀଲା ସୁବାସ। ପ୍ରେମ ନିବେଦନ ପାଇଁ ନିଜ ନାଁ ବଦଳାଇଛନ୍ତି। ଆଉ ସୁବାସ ଚନ୍ଦ୍ର କହଁରରୁ ପାଲଟି ଯାଇଛନ୍ତି ଇନ୍ସପେକ୍ଟର ମନୋଜ କୁମାର ମିଶ୍ର। ତା’ପରେ ସୋଶାଲ୍‌ ମିଡ଼ିଆରେ ଫେସ୍‌ବୁକ୍‌ରେ ସୁନ୍ଦର ସୁନ୍ଦର ଯୁବତୀଙ୍କୁ ନିଜ ପ୍ରେମ ଫାଶରେ ଫସାଉଛନ୍ତି।

ସୁବାସ ଚନ୍ଦ୍ର କହଁର ନିଜକୁ ଇନ୍ସପେକ୍ଟର ମନୋଜ କୁମାର ମିଶ୍ରର ପରିଚୟ ଦେଇ ଫେସ୍‌ବୁକ୍‌ ଷ୍ଟାଟସ୍‌ ଅପ୍‌ଡେଟ୍‌ କରିଥିଲେ। ତା’ରେ ଜଣେ ଶିକ୍ଷିତ ଯୁବତୀଙ୍କ ପାଖକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ପୁଲିସ୍‌ ବୋଲି ଜାଣିବା ପରେ ଯୁବତୀ ଜଣକ ଫ୍ରେଣ୍ଡ ରିକ୍ୱେଷ୍ଟ ଏକ୍ସେପ୍ଟ କରିଥିଲେ। ତା’ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ସେହି କଥାବାର୍ତ୍ତା ଭିତରେ ମନୋଜ ନିଜକୁ ରାଉରକେଲା ସେକ୍ଟର-୧୫ ପୁଲିସ୍‌ ଥାନାର ଇନ୍ସପେକ୍ଟର ବୋଲି ପରିଚୟ ଦେଇଥିଲେ। ଖାଲି ପରିଚୟ ଦେଇନଥିଲେ, ପୁଲିସ୍‌ ଡ୍ରେସ ପିନ୍ଧି ବିଭିନ୍ନ ପୋଜର ଫଟୋ ତାଙ୍କ ପାଖକୁ ପଠାଇଥିଲେ। ଏପରିକି ନିଜ ଚାମ୍ୱର ଓ ପୁଲିସ୍‌ ଗାଡ଼ିରେ ବସିବାର ଭିଡିଓ ମଧ୍ୟ ଯୁବତୀଙ୍କ ପାଖକୁ ମନୋଜ ପଠାଇଥିଲେ।

Advertisment

ମନୋଜଙ୍କ ମିଠା ମିଠା କଥା ଓ ସେ ଜଣେ ପୁଲିସ୍‌ ଅଫିସର ବୋଲି ଜାଣିବା ପରେ ଯୁବତୀଙ୍କ ମନ ବଦଳିଥିଲା। ଏହାର ସୁଯୋଗ ନେଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ମନୋଜ। ଆଉ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଯୁବତୀ ଜଣକ(ରେଖା)। ତା’ପରେ ହୋଇଥିଲା ବିବାହ। ବାହାଘର ସରିବା ପରେ ବୋହୂ ହିସାବରେ ଶାଶୁ ଘରକୁ ଯିବା ପାଇଁ ଚାହିଁଥିଲେ ରେଖା। ହେଲେ ଚତୁର ମନୋଜ ନିଜ ସ୍ତ୍ରୀଙ୍କୁ ଘରକୁ ନେବା ପରିବର୍ତ୍ତେ ଭୁବନେଶ୍ୱର ନେଇ ଆସିଥିଲେ। ଖଣ୍ଡଗିରି ସରକନ୍ତରାରେ ଏକ ଭଡାଘରେ ଉଭୟ ରହୁଥିଲେ। ସେଠାରେ କିଛି ଦିନ ରହିବା ପରେ ମନୋଜ ଚାକିରିକୁ ଯାଉଥିବା କହି ପଳାଇ ଯାଇଥିଲେ। ଭୁବନେଶ୍ୱରରେ ପତ୍ନୀ ଏକୁଟିଆ ରହୁଥିଲେ। ମଝିରେ ମଝିରେ ସେ ଆସୁଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ।

ମନୋଜ ଯେତେବେଳେ ଭୁବନେଶ୍ୱର ଆସୁଥିଲେ ସେତେବେଳେ ରେଖା ଶାଶୁ ଘର ଯିବା ପାଇଁ ଅଳି କରୁଥିଲେ। ହେଲେ ସେ କେବଳ ବାହାନା କରୁଥିଲେ। ଯେଉଁଥିପାଇଁ ତାଙ୍କ ମନରେ ସନ୍ଦେହ ହୋଇଥିଲା। ତା’ପରେ ମନୋଜ ଚଢ଼ୁଥିବା କାର ନମ୍ୱର ଯାଞ୍ଚ କରିଥିଲେ ରେଖା। ସେହି ସମୟରେ ତାଙ୍କ ନାଁ ସୁବାସ ଚନ୍ଦ୍ର କହଁର ଥିବା ଜଣାପଡ଼ିଥିଲା। ତେଣୁ ରେଖାଙ୍କ ସନ୍ଦେହ ଆହୁରି ଦୃଢ଼ିଭୁତ ହୋଇଥିଲା। ସେ ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ମନୋଜ ମିଶ୍ରଙ୍କୁ ଗିରଫ କରିଥିଲା। ଆଉ ତାଙ୍କଠାରୁ ପୁଲିସ୍‌ କ୍ୟାପ୍‌ ଓ ବିଭିନ୍ନ ନକଲି ଆଧାରକାର୍ଡ ଜବତ କରିଥିଲେ।

ଭୁବନେଶ୍ୱର ଏସିପି ତାପସ ପ୍ରଧାନ କହିଛନ୍ତି, ଯାଞ୍ଚ ବେଳେ ଜଣାପଡ଼ିଛି ମନୋଜ ମିଶ୍ର ନାଁରେ କେହି ପୁଲିସ୍‌ କର୍ମଚାରୀ ନାହାନ୍ତି। ତାଙ୍କର ପ୍ରକୃତ ନାଁ ହେଉଛି ସୁବାସ ଚନ୍ଦ୍ର କହଁର। ତାଙ୍କ ଘରୁ ଦୁଇଟି ଆଧାରକାର୍ଡ ଜବତ ହୋଇଛି। ଗୋଟିଏ ଅସଲି ଓ ଅନ୍ୟଟି ନକଲି। ସେ ପୂର୍ବରୁ ଦୁଇ ଥର ବିବାହ କରିଥିବା ଜଣାପଡ଼ିଛି। ବିବାହ ପାଇଁ ଯୁବତୀଙ୍କୁ ପ୍ରସ୍ତାବ ଦେବା ବେଳେ ନିଜର ବୟସ କମ୍‌ ଦେଖାଉଥିଲେ ବୋଲି ଏସିପି କହିଛନ୍ତି।

Bhubaneswar Bhubaneswar News Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe