ବିହାରର ଏକ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଜାଳି ଦେଇଛନ୍ତି ଗ୍ରାମବାସୀ। ଏକ ନବ ଦମ୍ପତି ଜେଲରେ ଆତ୍ମହତ୍ୟା କରିବା ପରେ ଉତ୍ୟକ୍ତ ଲୋକେ ଥାନା ଜାଳି ଦେଇଥିବା ସୂଚନା ମିଳିଛି।
ଖବର ଅନୁସାରେ, ତାରାବରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ୧୪ ବର୍ଷର ଶାଳିକୁ ବିବାହ କରିଥିଲେ। ଦୁଇ ଦିନ ତଳେ ସେମାନଙ୍କ ବିବାହ ହୋଇଥିଲା। ଭାରତୀୟ ଆଇନ ଅନୁସାରେ ୧୮ ବର୍ଷରୁ କମ୍ ବୟସରେ ବିବାହ ବେଆଇନ ଦର୍ଶାଇ ପୁଲିସ ଉଭୟଙ୍କୁ ଅଟକ ରଖିଥିଲା।
ସ୍ଥାନୀୟ ଲୋକ କହିଛନ୍ତି ଯେ, ସେମାନଙ୍କ ବାହାଘର ସରୁ ସରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥାନାକୁ ନେଇଯାଇଥିଲା। ସେଠାରେ ପୁଲିସ ମାଡ଼ ମାରିବା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ଗ୍ରାମବାସୀ ତାରାବରୀ ପୁଲିସ ଷ୍ଟେସନକୁ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ଗ୍ରାମବାସୀ ଥାନାରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଅତି କମରେ ପାଞ୍ଚ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ଖବର ପାଇ ସଦର ଏସଡିପିଓ ରାମପୁକର ସିଂହଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିନ୍ତୁ ଘଟଣା ବାବଦରେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।