Advertisment

ବିଶ୍ୱାସରେ ବିଷ ଦେଲେ ଭଡ଼ାଟିଆ: ଅବସରପ୍ରାପ୍ତ ସେନା ଅଧିକାରୀ ଓ ପତ୍ନୀଙ୍କୁ ମାରିଦେଲେ

ଏପରି ଭୟଙ୍କର ହତ୍ୟାକାଣ୍ଡରେ ମୋଟ ୬ ଜଣ ସାମିଲ ରହିଛନ୍ତି। ଗିରଫ ଦମ୍ପତିଙ୍କ ବ୍ୟତୀତ ମହିଳାଙ୍କ ବାପା, ଭାଇ ଓ ଉତ୍ତର ପ୍ରଦେଶରୁ ମହିଳାଙ୍କ ବାପା ଦୁଇ ଜଣ ସୁପାରୀ କିଲରଙ୍କୁ ମଧ୍ୟ ଆଣିଥିଲେ।

author-image
Hemant Lenka
Army

Army

ଦୁଇ ଦିନ ତଳେ ରାଜସ୍ଥାନର ବିକାନେର ଅନ୍ତର୍ଗତ ମୁକ୍ତାପ୍ରସାଦ କଲୋନୀରେ ରହୁଥିବା ୬୭ ବର୍ଷୀୟ ଅବସରପ୍ରାପ୍ତ ସେନା ଅଧିକାରୀ ଗୋପାଲ ବର୍ମା ଓ ତାଙ୍କ ୬୨ ବର୍ଷୀୟ ପତ୍ନୀ ନିର୍ମଳା ବର୍ମାଙ୍କ ଅଧା ପୋଚି ଯାଇଥିବା ମୃତଦେହକୁ ପୁଲିସ୍‌ ସେମାନଙ୍କ ଘର ଭିତରୁ ଜବତ କରିଥିଲା। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଥିବା ଦମ୍ପତି ପୂର୍ବରୁ ଶ୍ରୀ ବର୍ମାଙ୍କ ଘରେ ଭଡ଼ାରେ ରହୁଥିଲେ। ପୂର୍ବତନ ଭଡ଼ାଟିଆ ହିଁ ଶ୍ରୀ ବର୍ମା ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ।

Advertisment

ପୁଲିସ୍‌ କହିଛି ଯେ ଏପରି ଭୟଙ୍କର ହତ୍ୟାକାଣ୍ଡରେ ମୋଟ ୬ ଜଣ ସାମିଲ ରହିଛନ୍ତି। ଗିରଫ ଦମ୍ପତିଙ୍କ ବ୍ୟତୀତ ମହିଳାଙ୍କ ବାପା, ଭାଇ ଓ ଉତ୍ତର ପ୍ରଦେଶରୁ ମହିଳାଙ୍କ ବାପା ଦୁଇ ଜଣ ସୁପାରୀ କିଲରଙ୍କୁ ମଧ୍ୟ ଆଣିଥିଲେ। ଜୁଲାଇ ୧୩ ରାତି ୯ରୁ ୧୦ଟା ମଧ୍ୟରେ ଅଭିଯୁକ୍ତମାନେ ଶ୍ରୀ ବର୍ମା ଓ ତାଙ୍କ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଘରେ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ବିକାନେର ଆଇଜି ଓମ ପ୍ରକାଶ କହିଛନ୍ତି, ଗିରଫ ଅଭିଯୁକ୍ତମାନେ ହେଲେ ୨୮ ବର୍ଷୀୟ ଅରୁଣ କୁମାର, ୨୪ ବର୍ଷୀୟ ରୋହିତ ବଂଶଲ ଓ ୨୩ ବର୍ଷୀୟ ପ୍ରିୟା ସିସୋଦିଆ। ଶ୍ରୀ ବର୍ମାଙ୍କ ଘରେ ଲିଭ ଇନରେ ରହୁଥିଲେ ଅରୁଣ ଓ ପ୍ରିୟା। ସେମାନେ ଭଡ଼ା ଦେଇ ଡିସେମ୍ବରରୁ ଚଳିତ ବର୍ଷ ଫେବୃଆରୀ ଯାଏ ରହିଥିଲେ। ଭଡ଼ାରେ ରହିବା ସମୟରେ ପ୍ରିୟାଙ୍କ ବାପା କରମବୀର ସିସୋଦିଆ ଓ ଭାଇ ପ୍ରିୟାଂଶୁ ପ୍ରାୟତଃ ସେଠାକୁ ଯାଆନ୍ତି। ସେମାନେ ଗୁଣି ଗାରେଡ଼ି କରୁଥିବା କଥା କହି ଶ୍ରୀ ବର୍ମା ଓ ନିର୍ମଳାଙ୍କ ନିକଟତର ହୋଇଥିଲେ। ସମୟକ୍ରମେ ଦମ୍ପତିଙ୍କ ବିଶ୍ୱାସ ମଧ୍ୟ ଜିତି ନେଇଥିଲେ।

Advertisment

ଅବସର ପରେ ଶ୍ରୀ ବର୍ମା ପତ୍ନୀଙ୍କ ସହ ଏକାକୀ ରହୁଥିବାରୁ ଅରୁଣ, ପ୍ରିୟା, କରମବୀର ଓ ପ୍ରିୟାଂଶୁ ସେମାନଙ୍କୁ ଲୁଟ କରିବାକୁ ଯୋଜନା କରିଥିଲେ। ଜୁଲାଇ ୧୩ରେ କରମବୀର ନିଜର ସହଯୋଗୀ ଗାଜିଆବାଦର ସୁମିତ ଓ ରୋହିତ ବଂଶଲଙ୍କ ସହ ଶ୍ରୀ ବାର୍ମାଙ୍କ ଘରେ ପ୍ରବେଶ କରିଥିଲେ। ସେମାନଙ୍କୁ ପ୍ରିୟା, ପ୍ରିୟାଂଶୁ ଓ ଅରୁଣ ସାଥ ଦେଇଥିଲେ।

୬ ଜଣ ଯାକ ମିଳିତ ଭାବେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବା ସହ ଘରର ଜିନିଷପତ୍ର ଏଣେତେଣ ଫିଙ୍ଗି ଦେଇଥିଲେ। ଏହାପରେ ଘରେ ଥିବା ମୂଲ୍ୟବାନ ଜିନିଷ ସବୁ ଧରି ଚମ୍ପଟ ମାରିଥିଲେ। ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ବାକି ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଏବେ ପୁଲିସ୍‌ ପ୍ରୟାସ କରୁଛି।

ପୁଲିସ୍‌ର କହିବା କଥା ଯେ ମୃତଦେହ ମିଳିବା ପରେ ବିଭିନ୍ନ ଲୋକଙ୍କୁ ଜେରା କରାଯାଇଥିଲା। ଏମାନଙ୍କ ମଧ୍ୟରେ ପୂର୍ବତନ ଭଡ଼ାଟିଆ ଅରୁଣ ମଧ୍ୟ ରହିଥିଲେ। ଅରୁଣଙ୍କୁ ଜେରା କରିବା ବେଳେ ତାଙ୍କ ବ୍ୟବହାର ପୁଲିସ୍‌ ମନରେ ସନ୍ଦେହ ସୃଷ୍ଟି କରିଥିଲା। ସେ ଗୋଟିଏ ହୋଟେଲର ରୁମକୁ ନିଜ ନାଁରେ ବୁକିଂ କରିବା ସହ ପ୍ରିୟାଙ୍କୁ ସେଠାରେ ରଖିଥିଲେ। ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ଓ ନିଜର କଲ ତଥ୍ୟକୁ ଡିଲିଟ କରି ଦେଇଥିବାରୁ ପୁଲିସ୍‌ର ସନ୍ଦେହ ତାଙ୍କ ଉପରେ ଆହୁରି ବଢ଼ିଥିଲା।

ତେବେ ମୋବାଇଲ ଲୋକେସନ ତଥ୍ୟ ଓ ହୋଟେଲ ରେକର୍ଡ ପୁଲିସ୍‌କୁ ଅରୁଣଙ୍କ ଅପରାଧ ଧରାଇବାରେ ସହାୟତା କରିଥିଲେ। ଅରୁଣଙ୍କ ଉପରେ ପୁଲିସ୍‌ ଚାପ ପକାଇବାରୁ ସେ ନିଜର ଅପରାଧ ସ୍ୱୀକାର କରିଥିଲେ। ସେହିପରି ବିଭିନ୍ନ ସ୍ଥାନରେ ରେଡ କରି ପୁଲିସ୍‌ ଶ୍ରୀ ବର୍ମାଙ୍କ ଘରୁ ଚୋରି ହୋଇଥିବା ଅଳଙ୍କାର ଓ ନଗଦ ଟଙ୍କାକୁ ଜବତ କରିଛି।

ଶ୍ରୀ ବର୍ମା ଓ ପତ୍ନୀ ନିର୍ମଳା ଏକାକୀ ସେକ୍ଟର୪/୧୧ ସ୍ଥିତ ଘରେ ଏକାକୀ ରହୁଥିଲେ। ସେମାନଙ୍କର ଦୁଟି ପୁଅ ରହିଛନ୍ତି। ଜଣେ ନୋଏଡାରେ ଓ ଆଉ ଜଣେ କାନାଡାରେ ରୁହନ୍ତି। ଜୁଲାଇ ୧୫ରେ ନୋଏଡାରେ ରହୁଥିବା ଗୋପାଲ ବର୍ମାଙ୍କ ବାରମ୍ବାର ବାପା ମା’ଙ୍କୁ ଫୋନ କରିଥିଲେ ହେଁ କୌଣସି ଉତ୍ତର ପାଇ ନଥିଲେ। ଏଥିରେ ବ୍ୟସ୍ତ ହୋଇ ସେ ନିକଟରେ ରହୁଥିବା ମାମୁଙ୍କୁ ଘରକୁ ପଠାଇଥିଲେ। ଏହାପରେ ହିଁ ଦମ୍ପତିଙ୍କ ମୃତଦେହ ଘର ଭିତରୁ ମିଳିଥିଲା।

Murder Rajasthan