Prisoners birthday party in jail
ଜେଲ୍ ଭିତରେ ଜନ୍ମଦିନ ପାଳିଲେ କଏଦୀ। କାଟିଲ କେକ୍। କେବଳ ସେତକି ନୁହେଁ ଜମିଲା ମଦ ମାଂସର ଆସର। କଏଦୀମାନେ ମିଶି କଲେ ପକୋଡା ପାର୍ଟି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଆକ୍ସନ ମୁଡ୍କୁ ଆସିଛି ପୁଲିସ। ପୂରା ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।
ପଞ୍ଜାବ ଲୁଧିଆନାର ସେଣ୍ଟ୍ରାଲ ଜେଲ୍ ଭିତରେ ଜଣେ ବିଚାରଧୀନ କଏଦୀଙ୍କ ଜନ୍ମଦିନ ବେଶ୍ ଧୁମ୍ଧାମରେ ପାଳନ କରାଯାଇଛି। ଗୁରୁବାର ଦିନ ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଅନ୍ୟ କଏଦୀମାନେ ହାତରେ ମଦ ଗ୍ଲାସ ଆଉ ଚିକେନ୍ ପକୋଡା ଖାଉଥିବା ନଜର ଆସିଥିଲେ। କେବଳ ସେତିକି ନୁହେଁ ଆଜି ମଣି ଭାଇଙ୍କ ଜନ୍ମଦିନ ବୋଲି ଗୀତ ମଧ୍ୟ ଗାଉଥିଲେ। ଏହି ଭିଡଓ ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ କଏଦୀମାନେ ଜେଲ ଭିତରେ ୨୦୧୯ରେ ଏକ ଲୁଟ୍ ମାମଲାରେ ଗିରଫ ହୋଇ ବିଚାରଧୀନ ଥିବା ହିମାଚଳ ପ୍ରଦେଶର ଅରୁଣ କୁମାର ଓରଫ ମଣି ରାଣାଙ୍କ ଜନ୍ମଦିନ ପାଳନ କରୁଥିଲେ। ଜେଲର ଅଧିକାରୀମାନେ କହିଛନ୍ତି ଯେ ସେମାନେ ରାଣାଙ୍କ ନିକଟରୁ ଭିଡିଓ ରେକର୍ଡ ଏବଂ ଅପଲୋଡ୍ କରିବା ପାଇଁ ବ୍ୟବହୃତ ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ତେବେ ଉକ୍ତ ଫୋନ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଫୋନ୍ରୁ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଗ୍ରହଣ କରାଯାଇ ନାହିଁ ବୋଲି ସେ କହିଛନ୍ତି।
ଅଧିକାରୀ କହିଛନ୍ତି ଯେ ଅନ୍ୟ ୧୦ ଜଣ କଏଦୀଙ୍କ ସହ ରାଣାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଅନ୍ୟ ୧୦ କଏଦୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସ୍ଥାନୀୟ ପୁଲିସ ଷ୍ଟେସନକୁ ଏନେଇ ସୂଚନା ଦିଆଯାଇଛି।
ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇ ଇନ୍ସପେକ୍ଟର ଜେନେରାଲ୍ (ଜେଲ୍) ଆର.କେ ଆରୋରା କହିଛନ୍ତି ଯେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଡିଜି) ପଟିଆଲା ରେଞ୍ଜ, ସୁରିନ୍ଦର ସିଂ ସାଇନି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଅଭିଯୁକ୍ତ କଏଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଜେଲ୍କୁ ସ୍ୱଚ୍ଛ କରିବା ପାଇଁ ତୁମ ବ୍ୟକ୍ତିଗତ ସୁରକ୍ଷାରେ ବ୍ୟବହାର ହେଉଥିବା ଫାଇଭ୍-ଜି ଜାମର କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଜେଲ ମାନୁଆଲ ଅନୁଯାୟୀ ୬ଜଣ କଏଦୀଙ୍କ ପାଇଁ ଜଣେ ବ୍ୟକ୍ତି ଦାୟୀ ହେବା ଉଚିତ ... ଜଣେ ପଞ୍ଜାବ ଜେଲରେ ୨୬ଜଣଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଏହିପରି ଭାବରେ ତୁମର ଜେଲଗୁଡିକରେ ସୁରକ୍ଷାରେ ତ୍ରୁଟି ହେଉଛି। ତୁମ ଜେଲ ମନ୍ତ୍ରୀ ବିଫଳ ହୋଇଛନ୍ତି ଏବଂ ତୁମେ ଚାକିରି କଥା କହୁଛ ବୋଲି କହିଛନ୍ତି ସିଦ୍ଧୁ।
ତେବେ ପଞ୍ଜାବର ଜେଲଗୁଡିକରେ ଏଭଳି ଘଟଣା ଘଟିବା ପ୍ରଥମ ନୁହେଁ। ଅନେକ ଥର ଜେଲ ସୁରକ୍ଷାରେ ତ୍ରୁଟି ଘଟୁଥିବା ସାମ୍ନାକୁ ଆସୁଛି। ଏହାକୁ ନେଇ ଗତବର୍ଷ ରାଜ୍ୟପାଳ ବନୱାରିଲାଲ ପୁରୋହିତ କହିଥିଲେ ଯେ ଜେଲ ଭିତରେ ବସି ଅପରାଧୀମାନେ ରାକେଟ ଚଳାଉଥିବାରୁ ଜେଲ ସୁରକ୍ଷାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1704523217.jpeg)