Advertisment

ମଣ୍ଡପରେ ମା’ ଦୁର୍ଗା, ହୋଇ ପାରୁନି ବିସର୍ଜନ

ଜାଗାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଲାଗୁ ହୋଇଛି ୧୪୪ ଧାରା। ଫଳରେ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମା’ ।

author-image
Niharika Rout
Maa Durga At Mandap

Maa Durga At Mandap

ଧରାପୃଷ୍ଠରେ ଅବତରଣ ପରେ ଧୁମଧାମରେ ହେଲା ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ମାତ୍ର ଜାଗାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଲାଗୁ ହୋଇଛି ୧୪୪ ଧାରା। ଫଳରେ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମା’ । ମଣ୍ଡପରେ ବସି ରହିଛନ୍ତି ଦେବୀ ଦୁର୍ଗା। ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ ଦେଖିବାକୁ ମିଳିଛି ।

Advertisment

ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ ମଧ୍ୟରେ ଏ ବିବାଦୀୟ ପରିସ୍ଥିତି ଉପୁଜିଛି। ଏହି ଜମିକୁ ନେଇ ୧୪୪ ଧାରା ଜାରି ହୋଇଛି। ଏହାବାଦ ମା’ଙ୍କ ମଣ୍ଡପ ସମ୍ମୁଖରେ ଜମି ମାଲିକଙ୍କ ବାଲି ପଡି ଥିଵାରୁ ଦେବୀ ବାହାରି ପାରୁନଥିବା ପୂଜା କମିଟି ଅଭିଯୋଗ କରିଛି ।

ମନ୍ଦିର କମିଟି ସଦସ୍ୟ ଅମର ସାହାଣୀ କହିଛନ୍ତି, ସମସ୍ତ ପ୍ରକାର ଅନୁମତି ଆଣି ଆମେ ପୂଜାର୍ଚ୍ଚନା କରିଛୁ। ମାତ୍ର ଠାକୁରଙ୍କୁ ବିସର୍ଜନ କରାଯାଇ ସାରିଥିଲେ ବି ପାଣିକୁ ଯାଇ ପାରୁ ନାହାନ୍ତି । ସାମନା ଗେଟ୍‌ ପାଖରେ ବାଲି ଗଦା ହୋଇଥିବାରୁ ଗେଟ୍‌ ଖୋଲି ହେଉନି। ଦେବୀ ବାହାରି ପାଣିକୁ ଯାଇ ପାରୁ ନାହାନ୍ତି। ଉଭୟ ପକ୍ଷ ମଧ୍ୟରେ ବିବାଦ ହେବାରୁ ୧୪୪ ଧାରା ଲାଗୁ ହୋଇଛି। ଦୁର୍ଗା ଘର ରେଜିଷ୍ଟ୍ରି ଜାଗାରେ ହୋଇଛି। ସାମନା ଜମିକୁ ନେଇ ବିବାଦ ଆରମ୍ଭ ହୋଇଛି। କଥା କୋର୍ଟ ପର୍ଯ୍ୟନ୍ତ ଯାଇଛି। ବିବାଦ ସମାଧାନ ହୋଇ ନ ଥିଲେ ବି ବିସର୍ଜନ ନିମନ୍ତେ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ।

Advertisment

ସେପଟେ ଜମି ମାଲିକ ନାରାୟଣ ରାଉତ କହିଛନ୍ତି, ପୂଜା ପୂର୍ବରୁ ମୁଁ ବାଲି ପକାଇ, ଘର କାମ କରୁଥିଲି। ମୋ’ ତରଫରୁ କୌଣସି ମାମଲା ହୋଇନି। କମିଟି ତରଫରୁ ମୋ’ ନାଁରେ ମାମଲା ହୋଇଛି। ୧୬୩ ଦଫା ସମେତ ବିଭିନ୍ନ ଦଫା ଲାଗିଥିବାରୁ କୋର୍ଟ ନିୟମ ଅନୁଯାୟୀ ମୁଁ ସେଠାକୁ ଯାଇପାରୁନି। ମୋ’ ଘର କାମ ବନ୍ଦ ରହିଥିବା ବେଳେ ବାଲି ସେଠାରେ ପଡ଼ି ରହିଛି। ମୁଁ ଏହାକୁ ବିରୋଧ କରୁନି କିନ୍ତୁ ବାଲି ଉଠାଇ ପାରୁନି। ମାମଲା କୋର୍ଟରେ ଅଛି। କୋର୍ଟ ରାୟ ଆସିବା ପରେ ଯାହା ପଦକ୍ଷେପ ନିଆଯିବ । ଠାକୁରଙ୍କୁ ପାଣିରେ ପକାଇବା କାମ ସେମାନଙ୍କର। ଏଥିରେ ମୋର କୌଣସି ଆପତ୍ତି ଅଭିଯୋଗ ନାହିଁ।

ସେପଟେ ଦେବୀଙ୍କ ବିସର୍ଜନ ଲାଗି ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଭୟ ପକ୍ଷ ଦାବି କରିଛନ୍ତି। ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୈାଣସି ଅଭିଯୋଗ ହୋଇ ନ ଥିବା ବେଳେ ପୁଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲୋଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି।

Jajpur