Advertisment

ମାଲିକଙ୍କୁ ଖଣ୍ଡଖଣ୍ଡ କରିଦେଲେ, ଦୁଇଟି ବ୍ୟାଗରେ ପୂରାଇ ଫିଙ୍ଗି ଦେଲେ କର୍ମଚାରୀ

ମେ’ ୧୨ରୁ ନିଖୋଜ ଥିବା ଗୋଟିଏ ଘରୋଇ ସିକ୍ୟୁରିଟୀ ଏଜେନ୍ସିର ମାଲିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି।

Gujarat

Gujarat

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ମେ’ ୧୨ରୁ ନିଖୋଜ ଥିବା ଗୋଟିଏ ଘରୋଇ ସିକ୍ୟୁରିଟୀ ଏଜେନ୍ସିର ମାଲିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୁଜରାଟର ସୁରତ ଅନ୍ତର୍ଗତ ଅଲଥାନ ଅଞ୍ଚଳରେ ପଡ଼ିଥିବା ଦୁଇଟି ବ୍ୟାଗରୁ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ୍‌ ଜବତ କରିଛି। ଏପରି ଭୟଙ୍କର ଘଟଣା ବ୍ୟକ୍ତିଙ୍କ କମ୍ପାନୀରେ ୧୮ ମାସ ହେଲା କାମ କରୁଥିବା ଜଣେ କର୍ମଚାରୀ ଘଟାଇଛନ୍ତି।

Advertisment

ବ୍ୟାଗରୁ ଚନ୍ଦ୍ରଭାନ ଦୁବେଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ପୁଲିସ୍‌ ସିସିଟିଭି ଫୁଟେଜରୁ ଦୁବେଙ୍କ ହତ୍ୟା ପଛରେ ତାଙ୍କ କମ୍ପାନୀର କର୍ମଚାରୀ ରାଶିଦ ଅନସାରୀଙ୍କ ହାତ ଥିବା ଜାଣିବା ପରେ ତାଙ୍କୁ ଖୋଜିବାରେ ଲାଗିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିହାରର ମୂଳବାସିନ୍ଦା ଅନସାରୀ ପ୍ରଥମେ ଦୁବେଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କୁ ଛାଡ଼ିବା ପାଇଁ ୧ କୋଟି ଟଙ୍କା ମାଗିଥିଲେ। 

ତଦନ୍ତକାରୀ ଅଧିକାରୀ କହିଛନ୍ତି, ମୃତଦେହ ଶୁକ୍ରବାର ମିଳିଥିଲା। ଅନସାରୀ ଶୁକ୍ରବାର ମଧ୍ୟ ଦୁବେଙ୍କ ପରିବାର ଲୋକଙ୍କୁ ଫୋନ କରି ୧ କୋଟି ଟଙ୍କା ମାଗିଥିଲା। ସେହି ଦିନ ଦୁବେଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲେ ହେଁ ସମ୍ଭବତଃ ଏକଥା ଅନସାରୀଙ୍କୁ ଜଣାପଡ଼ିଥିଲା।

Advertisment

ମେ’ ୧୨ ତାରିଖରେ ଅନସାରୀ ଉନ ଅଞ୍ଚଳରେ ଥିବା ତାଙ୍କ ଘରକୁ ଦୁବେଙ୍କୁ ବିଭିନ୍ନ ଆଳ ଦେଖାଇ ନେଇ ଯାଇଥିଲେ। ସେଠାରେ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଦୁଇଟି ବ୍ୟାଗରେ ଭର୍ତ୍ତି କରି ଅଲଥାନ ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ଦୁବେ ଗୋଟିଏ ସୁରକ୍ଷା ଏଜେନ୍ସି ଚଳାଉଥିଲେ। ଦୁବେ ସିକ୍ୟୁରିଟୀ ସର୍ଭିସ ନାଁରେ ଏହାର ଅଫିସ ସାଲାବାତପୁରାରେ ରହିଛି।

୧୮ ମାସ ତଳେ ଅନସାରୀ ଏଠାରେ କାମ ଆରମ୍ଭ କରିଥିଲେ। ସେ ଦୁବେଙ୍କ ଏତେ ନିଜର ହୋଇଯାଇଥିଲେ ଯେ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ କାମ ସବୁ ତାଙ୍କ ତତ୍ତ୍ୱାବଧାନରେ ହେଉଥିଲା। ଦୁବେଙ୍କ କମ୍ପାନୀରେ ୨୦୦ ଜଣ ସିକ୍ୟୁରିଟୀ ଗାର୍ଡ କାମ କରୁଥିବା ବେଳେ ସେମାନେ ସହରର ବିଭିନ୍ନ ସ୍ଥାନରେ ନିଯୁକ୍ତି ରହିଛନ୍ତି।

ଅନସାରୀ ପ୍ରଥମେ ଦୁବେଙ୍କ ଡ୍ରାଇଭର ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ବୁଝିବା ଆରମ୍ଭ କରିଥିଲେ। ସୋମବାର ସନ୍ଧ୍ୟାରେ ଦୁବେ ଅଫିସରୁ ଅନସାରୀଙ୍କ ଅଟୋରେ ବାହାରିଥିଲେ। ପ୍ରଥମେ ସେମାନେ ପାଣ୍ଡେସାରା ସିଇଟିପି ପ୍ଲାଣ୍ଟକୁ ଯାଇଥିଲେ। ସେଠାରେ ଦୁବେ କାମ କରୁଥିବା ଗାର୍ଡଙ୍କୁ ପେମେଣ୍ଟ କରିଥିଲେ। ସେଠାରେ ଅଭୱା ସ୍ଥିତ ଗୋଟିଏ ସ୍କୁଲକୁ ଯାଇ ଗାର୍ଡଙ୍କୁ ସେମାନଙ୍କ ଦରମା ଦେଇଥିଲେ।

କିନ୍ତୁ ଦୁବେ ଠିକ ସମୟରେ ଘରକୁ ନ ଫେରିବାରୁ ପରିବାର ଲୋକ ଅନସାରୀଙ୍କୁ ଫୋନ କରିଥିଲେ। ଅନସାରୀ ସେମାନଙ୍କୁ କହିଥିଲେ ଯେ ସେ ଦୁବେଙ୍କୁ ସିବି ପଟେଲ ଷ୍ଟାଡିୟମ ପାଖରେ ଛାଡ଼ିଥିଲେ ଓ ସେଠାରୁ ସେ ଗୋଟିଏ ଧଳା ରଙ୍ଗର କାରରେ ଅନ୍ୟତ୍ର ଚାଲି ଯାଇଥିଲେ। ଦୁବେ ମେ’ ୧୨ରୁ ଘରୁ ଫେରି ନଥିବାରୁ ପରିବାର ଲୋକ ୧୩ ତାରିଖ ସକାଳ ଯାଏ ତାଙ୍କୁ ଖୋଜିଥିଲେ। ତଥାପି ତାଙ୍କର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକ ବାଧ୍ୟ ହୋଇ ଅଲଥାନ ପୁଲିସ୍‌ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ।

ମେ’ ୧୩ରେ ଅନସାରୀ ନିଜ ଆଡ଼ୁ ପୁଲିସ୍‌ ଓ ପରିବାର ଲୋକଙ୍କ ସହ ମିଶି ଦୁବେଙ୍କୁ ଖୋଜାଖୋଜି କାମରେ ଲାଗି ପଡ଼ିଥିଲେ। ପୁଲିସ୍‌ ତାଙ୍କ ଉପରେ ସନ୍ଦେହ ମଧ୍ୟ କରି ନଥିଲା। କିନ୍ତୁ ପୁଲିସ୍‌ ସିସିଟିଭି ଯାଞ୍ଚ କରିବାରୁ ଅନସାରୀ ଧରାପଡ଼ିଯିବା ଭୟରେ ହଠାତ ଅନ୍ତର୍ଧ୍ୟାନ ହୋଇଯାଇଥିଲେ।

ଡେପୁଟି କମିଶନର ଅଫ ପୁଲିସ୍(ଜୋନ ୪) ବିଜୟ ଗୁରଜର କହିଛନ୍ତି, “ଆମେ ପ୍ରାୟ ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲୁ। ଗୋଟିଏ ଫୁଟେଜରୁ ଜଣାପଡ଼ିଥିଲା ଯେ ଦୁବେ କୌଣସି କାରରେ ବସି ନଥିଲେ। ସେ ଅଟୋରେ ହିଁ ରହିଥିଲେ। ଅନସାରୀ ତାଙ୍କୁ ଉନ ଅଞ୍ଚଳର ଭିଣ୍ଡି ବଜାର ସ୍ଥିତ ଘରକୁ ନେଇ ଯାଇଥିଲେ। ଦୁବେଙ୍କୁ ଆଉ ଅନସାରୀଙ୍କ ଘର ବାହାରକୁ ଆସିବାର ଦେଖାଯାଇ ନାହିଁ।

ଅନସାରୀ ମଙ୍ଗଳବାର ସକାଳେ ଦୁଇଟି ବ୍ୟାଗ ସହ ଘରୁ ବାହାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ବ୍ୟାଗ ଦୁଇଟିକୁ ସେ ନିଜର ମୋପେଡରେ ଲୋଡ କରିବା ସହ ସେଠାରୁ ଚାଲି ଯାଇଥିଲେ। ଆମେ ତାଙ୍କର ଗତିବିଧିକୁ ଟ୍ରାକ କରିଥିଲୁ। ଶେଷରେ ସେ ଘରୁ ଯେଉଁ ଦୁଇଟି ବ୍ୟାଗ ଧରି ବାହାରିଥିଲେ, ତା’ ଭିତରୁ ଅଗ୍ନିଶମ କର୍ମଚାରୀମାନେ ଦୁବେଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଛନ୍ତି। ଦୁବେ ନିଖୋଜ ହେବା ପରଠାରୁ ଅନସାରୀ ତାଙ୍କ ପରିବାର ଲୋକଙ୍କୁ ଫୋନ କରି ୧ କୋଟି ଟଙ୍କା ମଧ୍ୟ ମାଗିଥିଲେ। ଏବେ ଅନସାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।”

Crime Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe