Advertisment

ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକଙ୍କ ଗୁଣ୍ଡାରାଜ!

ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ “ନ୍ୟାୟ ପାଇଁ ସଂଘର୍ଷ” ସଦସ୍ୟ ଦିଲ୍ଲୀପ ସାହୁ ଓ ବରିଷ୍ଠ ନଗରିକ ରାମଚନ୍ଦ୍ର ବେହେରା ଆହତ ହୋଇଛନ୍ତି।

author-image
Manoranjan Sial
Mahanga

Mahanga

ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକଙ୍କ ଗୁଣ୍ଡାରାଜ! ପ୍ରତିବାଦ କରିବାକୁ ଆସିଥିବା ଲୋକଙ୍କ ସହିତ ଯୁକ୍ତିତର୍କ କଲେ। ପରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଆକ୍ରମଣ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ମାହାଙ୍ଗା ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି।

Advertisment

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବା ପାଇଁ ସୋମବାର ସାଲେପୁର ଜେଏମ୍‌ଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଶାନ୍ତ ହୋଇପଡ଼ିଥିଲା ମାହାଙ୍ଗା। ଆଜି “ନ୍ୟାୟ ପାଇଁ ସଂଘର୍ଷ” ସାମାଜିକ ଅନୁଷ୍ଠାନର କେତେକ କର୍ମକର୍ତ୍ତା ମହାଙ୍ଗା ବ୍ଲକ୍‌ ଅଫିସ୍‌ ଆଗରେ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ପାଇଁ ଯାଉଥିଲେ। ଠିକ୍‌ ସେହି ସମୟରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଯାହାକୁ ହାବୁଡ଼ରେ ପାଇଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ “ନ୍ୟାୟ ପାଇଁ ସଂଘର୍ଷ” ସଦସ୍ୟ ଦିଲ୍ଲୀପ ସାହୁ ଓ ବରିଷ୍ଠ ନଗରିକ ରାମଚନ୍ଦ୍ର ବେହେରା ଆହତ ହୋଇଛନ୍ତି। ଆକ୍ରମଣ କରିଥିବା ଲୋକମାନେ ପ୍ରତାପ ଜେନାଙ୍କ ସମର୍ଥକ ବା ବିଜେଡି କର୍ମୀ ବୋଲି ଅଭିଯୋଗ ହୋଇଛି।

ଏନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ପୁଲିସ୍‌ ଉଭୟ ପକ୍ଷର ଏତେଲାକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଆହତ ହୋଇଥିବା ରାମଚନ୍ଦ୍ର ବେହେରା କହିଛନ୍ତି, ମୁଁ ଦୀର୍ଘ ଦିନ ହେଲା ପ୍ରତାପ ଜେନାଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଆସୁଥିଲି। ସେହି ରାଗରେ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ସେମାନେ ମୋତେ ମାଡ଼ ମାରିଛନ୍ତି। ମୋ’ ମୁଣ୍ଡ ଓ ଦେହରେ ଆଘାତ ଲାଗିଛି। ସାର୍ଟ ଚିରି ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ସୋମବାର ରାତିରେ ମୋ ଘର ଉପରେ ଆକ୍ରମଣ କରିବା ପାଇଁ ଯାଇଥିଲେ। ଏନେଇ ମାହାଙ୍ଗା ଥାନାକୁ ଖବର ଦେଇଥିଲି। ପୁଲିସ୍‌କୁ ଦେଖି ସେମାନେ ପଳାଇ ଯାଇଥିଲେ ବୋଲି ଶ୍ରୀ ବେହେରା କହିଛନ୍ତି।

ନ୍ୟାୟ ପାଇଁ ସଂଘର୍ଷ ପରିବାର ସଭ୍ୟ ଦିଲ୍ଲୀପ ସାହୁ କହିଛନ୍ତି, ମୋ ଭାଇଙ୍କୁ ନରହତ୍ୟାକାରୀ ପ୍ରତାପ ଜେନାଙ୍କ ସମର୍ଥକ ତଥା ସରପଞ୍ଚ ପ୍ରଶାନ୍ତ କିଶୋର ରାଉତ ଓରଫ୍‌ ନଣ୍ଡା ହତ୍ୟା କରିଥିଲା। ତା’ ନାଁକୁ ମହାଙ୍ଗା ପୁଲିସ୍‌ ଚାର୍ଜସିଟ୍‌ରୁ କାଟି ଦେଇଥିଲା। ସେହି ଦିନଠାରୁ ନ୍ୟାୟ ପାଇଁ ମୁଁ ଲଢ଼େଇ କରୁଛି। ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଆମେ(ନ୍ୟାୟ ସଂଘର୍ଷ ପରିବାର, ମୃତ କୁଳମଣି ବରାଳଙ୍କ ସଦସ୍ୟ ଓ ମାହାଙ୍ଗାର ବରିଷ୍ଠ ନାଗରିକ) ବ୍ଲକ ଅଫିସ୍‌ ଆଗରେ ପ୍ରତିବାଦ କରିବାକୁ ଯାଇଥିଲୁ। ସେତେ ବେଳେ ୧୦୦ରୁ ଅଧିକ ବିଜେଡି ଗୁଣ୍ଡା ଆକ୍ରମଣ କରିଥିଲେ। ପୁଲିସ୍‌ ଉପସ୍ଥିତିରେ ଆକ୍ରମଣ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା। ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ରିପୋର୍ଟ-ସାଲେପୁରରୁ ମନୋଜ ଆଚାର୍ଯ୍ୟ

BjD Mahanga Murder Case Pratap Jena