Advertisment

ମହିଳା ବିରୋଧୀ ହିଂସା: ବାଇଁଆଙ୍କୁ ନେଇ ନବୀନ ନିରବ, କଂଗ୍ରେସଠୁ ଶିଖୁ ବିଜେଡି

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ଚଳିତ ସପ୍ତାହକ ମଧ୍ୟରେ ଦୁଇ ଦୁଇଜଣ ଯୁବତୀଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ଅଭିଯୋଗ ଆସିଲାଣି । ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା, ଏବେ ଅନ୍ୟଜଣେ ଯୁବତୀଙ୍କ ଦ୍ୱାରା ଥାନାରେ ଦୁଷ୍କର୍ମ ଓ ଭୃଣହତ୍ୟା ଭଳି ସଙ୍ଗୀନ ଅଭିଯୋଗ ହେଲାଣି । ତଥାପି ମହିଳା ହିଂସା ବିରୁଦ୍ଧରେ ଲଢ଼େଇ ଓ ଲମ୍ବାଚଉଡ଼ା ଭାଷଣ ଦେଉଥିବା ବିଜେଡି କାହିଁକି ଅମରେଶ ଓରଫ ବାଇଁଆଙ୍କୁ କୋଳେଇ ଧରିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
Amaresh Jena

Amaresh Jena

ରାଜ୍ୟରେ ମହିଳା ବିରୋଧୀ ହିଂସା-ନିର୍ଯାତନା ଘଟଣାକୁ ନେଇ ସୋସିଆଲ ମିଡିଆଠୁ ଆରମ୍ଭ କରି ରାଜରାସ୍ତାରେ ତୁମ୍ଭିତୋଫାନ କରୁଛି ବିଜେଡି । କିନ୍ତୁ ନିଜର ଜଣେ ଆଗଧାଡ଼ିର ନେତାଙ୍କ ବିରୁଦ୍ଧରେ ଯୁବତୀଙ୍କୁ ଯୌନଶୋଷଣ,ଦୁଷ୍କର୍ମ ଓ ଭୃଣହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ମଧ୍ୟ ତାଙ୍କୁ କୋଳେଇ ଧରିଛି ଦଳ । ଏପରିକି ଥାନାରେ ମାମଲା ରୁଜୁ ହେବା ଓ ପୀଡ଼ିତା ନିଜେ ଗଣମାଧ୍ୟମକୁ ଆସି ବୟାନ ଦେବାପରେ ମଧ୍ୟ ବିଜେଡିର ଚେତା ପଶିନାହିଁ । ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଅନୁଗତ ପ୍ରଣବପ୍ରକାଶ ଦାସଙ୍କ ସହ ଥିବା ଘନିଷ୍ଠତା ଓ ଅନୈତିକ ବୁଝାମଣା ଯୋଗୁ ଦୁଷ୍କର୍ମ ଅଭିଯୁକ୍ତ ବିଜେଡି ନେତା ତଥା ଭୁବନେଶ୍ୱରର କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକଙ୍କ ବିଜେଡି କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିନଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିବା ମାତ୍ରେ ତାଙ୍କୁ ସଙ୍ଗେସଙ୍ଗେ ଦଳରୁ ନିଲମ୍ବନ କରି କଂଗ୍ରେସ ନାକେବଳ ମହିଳା ବିରୁଦ୍ଧ ହିଂସାକୁ ନେଇ ଆଭିମୁଖ୍ୟରେ ସ୍ପଷ୍ଟତା ଆଣିଛି ବରଂ ସାଧାରଣ ଲୋକଙ୍କ ମଧ୍ୟରେ ନିଜର ଛବିକୁ ଅଧିକ ଆସ୍ଥାଭାଜନ କରାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି ।

Advertisment

କାହିଁକି ବିଜେଡି ନିରବ, ଗଳାର କଂଟା ସାଜିଛନ୍ତି କି ବାଇଁଆ

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ଚଳିତ ସପ୍ତାହକ ମଧ୍ୟରେ ଦୁଇ ଦୁଇଜଣ ଯୁବତୀଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ଅଭିଯୋଗ ଆସିଲାଣି । ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା, ଏବେ ଅନ୍ୟଜଣେ ଯୁବତୀଙ୍କ ଦ୍ୱାରା ଥାନାରେ ଦୁଷ୍କର୍ମ ଓ ଭୃଣହତ୍ୟା ଭଳି ସଙ୍ଗୀନ ଅଭିଯୋଗ ହେଲାଣି । ତଥାପି ମହିଳା ହିଂସା ବିରୁଦ୍ଧରେ ଲଢ଼େଇ ଓ ଲମ୍ବାଚଉଡ଼ା ଭାଷଣ ଦେଉଥିବା ବିଜେଡି କାହିଁକି ଅମରେଶ ଓରଫ ବାଇଁଆଙ୍କୁ କୋଳେଇ ଧରିଛନ୍ତି । କ୍ୟାମେରା ସମ୍ମୁଖରେ ଚିତ୍କାର କରୁଥିବା ବିଜେଡି ମୁଖପାତ୍ର ଓ ନେତାମାନେ କାହିଁକି ଦୋମୁହାଁ ନୀତି ଆପଣାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବାଇଁଆଙ୍କ ନାଁରେ ମାମଲା ରୁଜୁ ପରେ ଦଳର ନେତାମାନେ ବ୍ୟାକଫୁଟରେ ଥିବା ସତ୍ତ୍ୱେ ଦଳୀୟ କାର୍ଯ୍ୟାନୁଷ୍ଠାନ କରିବାରେ କିଏ ବାଧକ ସାଜିଛି ।

ଚର୍ଚ୍ଚା ହେଉଛି, ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ବିଜେଡି ଶାସନ କାଳରେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଓରଫ ବବିଙ୍କ ବେଶ୍ ଘନିଷ୍ଠ ପାଲଟିଯାଇଥିଲେ ବାଇଁଆ । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ମଧ୍ୟ ବାଇଁଆ ଚର୍ଚ୍ଚାରେ ରହିଥିଲେ । ଯଦି ଅର୍ଚ୍ଚନାଙ୍କ ଅଭିଯୋଗକୁ ବିଶ୍ୱାସ କରାଯାଏ ତା’ହେଲେ ବାଇଁଆ ଓ ବବିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଆଉ ବବି ଓ ତାଙ୍କ ଗଡ଼ଫାଦର ଭିକେ ପାଣ୍ଡିଆନଙ୍କ ଅନେକ ଗୁମର ଖୋଲିଯିବାର ଭୟରେ ବାଇଁଆଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବାରେ ବିଜେଡି ସକ୍ଷମ ହୋଇପାରୁନି । ଯଦିଓ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଟିକେଟ୍ ପାଇଁ ବାଇଁଆ ଆଶାୟୀ ରହି ଦଳରେ ଅସ୍ଥିରତା ସୃଷ୍ଟି ସହ ଦଳୀୟ ପ୍ରାର୍ଥୀଙ୍କୁ ଦୃଢ଼ ବିରୋଧ କରିଥିଲେ । ନିର୍ବାଚନରେ ପରାଜିତ ପରେ ମଧ୍ୟ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । କିନ୍ତୁ କେବଳ ପାଣ୍ଡିଆନ-ବବିଙ୍କ ଛତ୍ରଛାୟାରେ ରହିଥିବା ଓ ସେମାନଙ୍କର ଅନେକ କାର୍ଯ୍ୟର ସାକ୍ଷୀ ଥିବା ବାଇଁଆଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରିନଥିଲା । ଏବେ ସେହି ବାଇଁଆ ସେମାନଙ୍କ ପାଇଁ ଗଳାର କଂଟା ପାଲଟିଛନ୍ତି । ନା ଢ଼ୋକି ପାରୁଛନ୍ତି ନା କାଢ଼ିପାରୁଛନ୍ତି ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

Advertisment

କଂଗ୍ରେସଠୁ ଶିଖୁ ବିଜେଡି, ନବୀନଙ୍କଠୁ ଢ଼େର ଆଗରେ ଭକ୍ତ

କଂଗ୍ରେସର ରାଜ୍ୟ ଛାତ୍ର ଶାଖା ସଭାପତି ଉଦିତ୍ ପ୍ରଧାନଙ୍କ ବିରୁଦ୍ଧରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କ ଦଳ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା । ମହିଳାଙ୍କ ବିରୁଦ୍ଧ ହିଂସାକୁ ନେଇ ଦଳର ଜିରୋ ଟଲେରାନ୍ସ ନୀତିକୁ ବଜାୟ ରଖିବା ପାଇଁ ଉଦିତଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଂଗ୍ରେସ ସ୍ପଷ୍ଟୀକରଣ ଦେଇଥିଲା । ଯଦିଓ ଅଭିଯୋଗକାରିଣୀଙ୍କ ଡାକ୍ତରୀମାଇନା, ପାରିପାଶ୍ୱିର୍କ ପରିସ୍ଥିତି ଓ ସାକ୍ଷୀପ୍ରମାଣର ଅଭାବକୁ ଆଳ କରି କଂଗ୍ରେସ ନିରବ ରହିପାରିଥାନ୍ତା । ମାତ୍ର ଦଳ ସେଭଳି ନକରି ଉଦିତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲା ।

ମାତ୍ର ବିଜେଡି ଏଠି ବାଇଁଆଙ୍କ କ୍ଷେତ୍ରରେ ତାଙ୍କୁ ସୁହାଇବା ଭଳି କାର୍ଯ୍ୟ କରୁଛି । ମହିଳା ବିରୁଦ୍ଧ ହିଂସାକୁ ନେଇ ଲଢ଼େଇକୁ ପଛରେ ପକାଇ ବାଇଁଆଙ୍କୁ କିଭଳି ସୁରକ୍ଷା ଦେଇହେବ ସେହି ଦିଗରେ ବିଜେଡି କାର୍ଯ୍ୟ କରୁଛି । ଯାହାକି ବିଜେଡିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଅତ୍ୟନ୍ତପକ୍ଷେ ବିଜେଡିକୁ ବର୍ତ୍ତମାନର ପରିସ୍ଥିତିରେ କଂଗ୍ରେସଠୁ କିଛି ଶିଖିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମହିଳା ବିରୁଦ୍ଧ ହିଂସା ପ୍ରସଙ୍ଗରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଦଳ ଓ ଦଳୀୟ ନୀତିକୁ ପ୍ରାଥମିକତା ଦେଇ ଉଦିତଙ୍କ ହାତ ଛାଡ଼ି ଦେଇଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମାନ ପ୍ରସଙ୍ଗରେ ବାଇଁଆଙ୍କ ବିରୁଦ୍ଧରେ ଆକ୍ସନ ନନେଇ ନିଜର ଅପାରଗତା ଓ ମହିଳା ବିରୁଦ୍ଧ ମନୋଭାବକୁ ପଦାରେ ପକାଇ ଦେଇଛନ୍ତି । ଥାନାରେ ମାମଲା ରୁଜୁ ଓ ପୀଡ଼ିତାଙ୍କର ଗଣମାଧ୍ୟମରେ ବୟାନ ପରେ ମଧ୍ୟ ବିଜେଡି କେଉଁ ଚାପରେ ବାଇଁଆଙ୍କୁ ଧରିରଖିଛି ଓ ଦଳର ମହିଳା ନେତ୍ରୀମାନେ କାହିଁକି ନିରବ ବସିଛନ୍ତି ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସମ୍ପୃକ୍ତା ପୀଡ଼ିତା ଯଦି ବିଜେଡିର ତଥାକଥିତ ଶୀର୍ଷ ନେତୃତ୍ୱଙ୍କ ଝିଅ ଅବା ଭଉଣୀ ହୋଇଥାନ୍ତେ ତା’ହେଲେ ଦଳ କ’ଣ ସମାନ ଆଭିମୁଖ୍ୟ ଆପଣାଇଥାନ୍ତା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ଏପଟେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, “ଅମରେଶ ଜେନାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ନେଇ ଆଇନ ତା’ ବାଟରେ ଯିବ । ମାମଲାକୁ ନେଇ ଦଳର ଶୃଙ୍ଖଳା କମିଟିକୁ ଜଣାଇବି । ନାରୀ ସୁରକ୍ଷା ଓ ନାରୀକୁ ସମ୍ମାନକୁ ଦଳ ସର୍ବୋଚ୍ଚ ପ୍ରାଥମିକତା ଦେଉଛି । ସୌମ୍ୟଶ୍ରୀ ହେଉ କି ବଳଙ୍ଗା ପୀଡ଼ିତା ଆମର ଆଭିମୁଖ୍ୟ ସ୍ପଷ୍ଟ ।”

ତେବେ ଅମରେଶଙ୍କ ପ୍ରସଙ୍ଗରେ ଅଶୋକ ପଣ୍ଡାଙ୍କ ଏହି ବୟାନ ‘ବିରାଡ଼ି ବୈଷ୍ଣବ’ ସଦୃଶ ହୋଇଛି ଓ ବିଜେଡିର ଅସହାୟତାକୁ ମଧ୍ୟ ପଦାରେ ପକାଇ ଦେଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।