Advertisment

ଖୋଲିବ ପୁରୁଣା ଫାଇଲ୍‌; ବିଜେଡି ନେତାଙ୍କ ଛାତି ଧଡ୍‌ ଧଡ୍‌

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ଫିଟିବ ଗୁମର। ସେତେବେଳେ ସରକାରଙ୍କ ଦ୍ୱାରା ଚାପି ଦିଆଯାଇଥିବା ଏଭଳି ଅନେକ ପୁରୁଣା କେସ୍‌ ରିଓପନ କରାଯିବ।

BJD

BJD

Advertisment

ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ୍‌। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାଠାରୁ ଆରମ୍ଭ କରି ମମିତା ମେହେର ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା କେସର ହେବ ରି-ଓପନ୍‌। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଖବର ପ୍ରକାଶ ପାଇବା ପରେ ଏବେ ବିଜେଡି ଶିବିରରେ ଛାନିଆ ପଶିଛି। ବିବାଦୀୟ ନେତାଙ୍କ ଛାତି ଧଡ୍‌ ଧଡ୍‌ ହେଉଥିବା ଚର୍ଚ୍ଚା ହେଉଛି।

Advertisment

୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ ତତ୍କାଳୀନ ମନ୍ତ୍ରୀ ନବ ଦାସ। ଭିଡ଼ ଭିତରେ ପଶି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା ASI ଗୋପାଳ ଦାସ। ଘଟଣାସ୍ଥଳରୁ ଗୋପାଳଙ୍କୁ ଗିରଫ କରିଥିଲା ପୁଲିସ୍‌। ସୁରକ୍ଷାକର୍ମୀ ଓ ସମର୍ଥକଙ୍କୁ ଚକମା ଦେଇ ଗୋପାଳ କିପରି ଏ କାଣ୍ଡ ଭିଆଇଲା? ଏହା ପଛର କାରଣ କ’ଣ? ମାମଲାର ତଦନ୍ତଭାର ତତ୍କାଳୀନ ବିଜେଡି ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଉପରୁ ପରଦା ହଟିନି। ଏବେ ଘଟଣାକୁ ଦେଢ଼ ବର୍ଷ ବିତି ସାରିଥିବା ବେଳେ, ସେହି ମାମଲା ରିଓପନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

Advertisment

ଠିକ୍‌ ସେମିତି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ଫିଟିବ ଗୁମର। ସେତେବେଳେ ସରକାରଙ୍କ ଦ୍ୱାରା ଚାପି ଦିଆଯାଇଥିବା ଏଭଳି ଅନେକ ପୁରୁଣା କେସ୍‌ ରିଓପନ କରାଯିବ। ପୁଣିଥରେ ନୂଆ କରି ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ।

୨୦୨୧ ମସିହାରେ କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟିଥିଲା। ସେଥିରେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ନେଇ ସେତେବେଳେ ଜୋରଦାର ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା। ତେବେ ୨୦୨୨ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ, ଶୀତଳଭଣ୍ଡାରକୁ ଚାଲିଯାଇଛି ଏହାର ତଦନ୍ତ ପ୍ରକ୍ରିୟା।

ସେହିଭଳି ଆଉ ଏକ ବହୁଚର୍ଚ୍ଚିତ ମାମଲା ହେଉଛି- ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ୪ ଶିଷ୍ୟଙ୍କୁ ହତ୍ୟା ମାମଲା। କନ୍ଧମାଳରେ ବ୍ୟାପକ ସାଂପ୍ରଦାୟିକ ହିଂସାକୁ ଜନ୍ମ ଦେଇଥିବା ଏହି ଲୋମହର୍ଷକ ଘଟଣାର ଅନେକ ଦିଗ ଏବେବି ସନ୍ଦେହ ଘେରରେ ରହିଛି। ତେଣୁ ଏସବୁ ପୁରୁଣା ପେଡ଼ିରୁ କେଉଁ ମହାଗୁମର ପଦାକୁ ଆସୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

BjD Bjp Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe