Advertisment

NHRCଙ୍କୁ ଭେଟି ଫେରାଦ ହେଲା ରାଜ୍ୟ ବିଜେପି

ମାମଲାକୁ ଗୁରୁତର ଭାବେ ନେଇଥିଲେ ହୋମଗାର୍ଡ ଡିଜି। ସେ ଏ ନେଇ ଅନୁଗୋଳ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ। ହେଲେ ଏହି ମାମଲାରେ ଆଜି ପର୍ଯ୍ୟନ୍ତ ନା ମୁହଁ ଖୋଲୁଛି ଗୃହ ବିଭାଗ ନା ପ୍ରତିକ୍ରିୟା ରଖୁଛନ୍ତି ପୁଲିସ ଡିଜି।

author-image
Manoranjan Sial
ଅଦ୍ୟତନ ହୋଇଛି
Home Guard

Home Guard

ହୋମଗାର୍ଡଙ୍କୁ ବଡ଼ବଡ଼ିଆ ଅଫିସର ଦେଉଛନ୍ତି କି ନିର୍ଯାତନା? ଅଫିସରଙ୍କ ପରିବାର ଲୋକ ହୋମଗାର୍ଡଙ୍କ ଉପରେ ଦେଖାଉଛନ୍ତି କି ହୁକୁମାତି ? ରାଜ୍ୟ ହୋମଗାର୍ଡ ସର୍ଭିସ ରୁଲର ହେଉଛି କି ଖୋଲା ଉଲଂଘନ? ଚାକିରିରୁ ଛଟେଇର ନାଲିଆଖି ଦେଖାଇ ହୋମଗାର୍ଡଙ୍କୁ ଘର କାମରେ ନିୟୋଜିତ କରାଉଛନ୍ତି କି ଅଫିସର? ଡିଆଇଜି ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ନିର୍ଯାତନା ଦିଆଯାଉଥିବା ମାମଲା ସାମ୍ନାକୁ ଆସିବା ପରେ ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Advertisment

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅନୁଗୋଳରେ ଅବସ୍ଥାପିତ ବ୍ରିଜେଶ କୁମାର ରାୟଙ୍କ ବାସଭବନରେ ନିୟୋଜିତ ହୋଇଥିଲେ ହୋମଗାର୍ଡ ସୈରିନ୍ଦ୍ରୀ। ତେବେ ତାଙ୍କୁ ଡିଆଇଜିଙ୍କ ପତ୍ନୀ ସବୁବେଳେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ସୈରିନ୍ଦ୍ରୀ ସାହୁଙ୍କୁ ଧକ୍କା ଦେଇ ବାହାର କରି ଦେଇଥିଲେ। ଏହାପରେ ସୈରିନ୍ଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ମାମଲାକୁ ଗୁରୁତର ଭାବେ ନେଇଥିଲେ ହୋମଗାର୍ଡ ଡିଜି। ସେ ଏ ନେଇ ଅନୁଗୋଳ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ। ହେଲେ ଏହି ମାମଲାରେ ଆଜି ପର୍ଯ୍ୟନ୍ତ ନା ମୁହଁ ଖୋଲୁଛି ଗୃହ ବିଭାଗ ନା ପ୍ରତିକ୍ରିୟା ରଖୁଛନ୍ତି ପୁଲିସ ଡିଜି। ଏସବୁ ଭିତରେ ଦିଲ୍ଲୀରେ ଆଜି ଜାତୀୟ ମାବାଧିକାର କମିଶନ ଓ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି ଟିମ୍‌। ମାମଲା ତଦନ୍ତ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ପଠାଇବାକୁ ଜାତୀୟ ମାବାଧିକାର କମିଶନଙ୍କୁ କହିଛି ଦଳ।

Advertisment

ତେବେ ଗୋଟିଏ ପଟେ ନିର୍ଯାତନାର ଶିକାର ଆଉ ସେପଟେ ସରକାରୀ ସହାୟତା କ୍ଷେତ୍ରରେ ଉଦାସୀନତା। ଘଟଣା ସାମ୍ନାକୁ ଆସିବାର ୩ ଦିନ ପରେ ମଧ୍ୟ ମାମଲା ଯଥା ପୂର୍ବଂ ତଥା ପରଂ। କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ। ତୁରନ୍ତ ରାଜ୍ୟ ସରକାର ପୀଡ଼ିତା ଓ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ରାଜ୍ୟରେ ରହିଛନ୍ତି ୧୫ ହଜାର ୭୦୮ ଜଣ ଗୃହରକ୍ଷୀ। ରାଜ୍ୟ ହୋମଗାର୍ଡ ସର୍ଭିସ ରୁଲ୍ ଅନୁଯାୟୀ, ଆଇନଶୃଙ୍ଖଳା ସ୍ଥିତି ଠାରୁ ବିପର୍ଯ୍ୟୟ ମୁକାବିଲା, ଟ୍ରାଫିକ୍ ନିୟନ୍ତ୍ରଣ, ଅଫିସ ସହାୟକ, ରକ୍ଷଣାବେକ୍ଷଣ ପାଇଁ ହୋମଗାର୍ଡ ମାନଙ୍କୁ ବ୍ୟବହାର କରାଯିବା କଥା। କିନ୍ତୁ ବଡ଼ବଡ଼ିଆ ଅଫିସରଙ୍କ ଘରେ ନିଯୁକ୍ତ ହୋମଗାର୍ଡଙ୍କୁ ସର୍ଭିସ ରୁଲର ଉଲଂଘନ କରି ଘରର ସହାୟକ ଭାବେ କାମ କରାଉଥିବା ଅଭିଯୋଗ ଉଠୁଛି। ଆଉ ନିର୍ଯାତନାର ଶିକାର ହେଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୈରିନ୍ଦ୍ରୀ। ପୂର୍ବରୁ ମଧ୍ୟ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ବିଭିନ୍ନ ବର୍ଗରେ ଅସନ୍ତୋଷ ଦେଖାଦେଇଛି।

Bjp Angul