Advertisment

ଆଦିବାସୀଙ୍କୁ ଗୁଳି ମାରି ବିଜେପି ବିଧାୟକଙ୍କ ପୁଅ ଫେରାର୍‌

କିଛି ଦିନ ତଳେ ମଧ୍ୟପ୍ରଦେଶରେ ଆଦିବାସୀ ଶ୍ରମିକଙ୍କ ଉପରେ ବିଜେପି ବିଧାୟକଙ୍କ ଜଣେ ପ୍ରତିନିଧି ପରିସ୍ରା କରିବା ଭଳି ଅତ୍ୟନ୍ତ ଘୃଣ୍ୟ କାଣ୍ଡ କରିଥିବା ଖବର ଆସିଥିଲା।

BJP MLA

BJP MLA

Advertisment

ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପିର ଜଣେ ବିଧାୟକଙ୍କ ପୁଅ ବିଚ୍‌ ରାସ୍ତାରେ ଗୁଣ୍ଡାଗିରି କରିଛନ୍ତି। ସେ ବିଜେପି ବିଧାୟକଙ୍କ ପୁଅ ହୋଇଥିବାରୁ ବେଧଡ଼କ ନିଜ ପାଖରେ ରଖିଥିବା ବନ୍ଧୁକରୁ ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଗୁଳିମାଡ଼ ପରେ ଭୟରେ ବିଧାୟକଙ୍କ ପୁଅ ଫେରାର ହୋଇଯାଇଛନ୍ତି।

Advertisment

କିଛି ଦିନ ତଳେ ମଧ୍ୟପ୍ରଦେଶରେ ଆଦିବାସୀ ଶ୍ରମିକଙ୍କ ଉପରେ ବିଜେପି ବିଧାୟକଙ୍କ ଜଣେ ପ୍ରତିନିଧି ପରିସ୍ରା କରିବା ଭଳି ଅତ୍ୟନ୍ତ ଘୃଣ୍ୟ କାଣ୍ଡ କରିଥିବା ଖବର ଆସିଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜି ପୁଣି ଜଣେ ଆଦିବାସୀଙ୍କୁ ବିଜେପି ବିଧାୟକଙ୍କ ପୁଅ ଗୁଳି କରିଛନ୍ତି।

ବାରମ୍ବାର ଆଦିବାସୀଙ୍କ ସହ ଏମିତି ଘଟଣା ଘଟୁଥିବାରୁ ବିରୋଧୀ ଦଳଗୁଡ଼ିକ କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ରାଜ୍ୟ କଂଗ୍ରେସ ମୁଖ୍ୟ କମଲନାଥ କହିଛନ୍ତି, ଆଦିବାସୀ, ଦଳିତ, ମହିଳା ଓ ସବୁ ସଂପ୍ରଦାୟର ଲୋକଙ୍କୁ ହଇରାଣ କରିବା କାମ କେବଳ ବିଜେପି ନେତାମାନଙ୍କ ପାଖରେ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେପି ବିଧାୟକ ରାମ ଲାଲୁ ବୈଶୟାଙ୍କ ପୁଅ ବିବେକାନନ୍ଦ ଗୁରୁବାର ସନ୍ଧ୍ୟାରେ ୩୪ ବର୍ଷୀୟ ସୂର୍ଯ୍ୟ କୁମାର ଖଇରିୱାରଙ୍କୁ ଗୁଳି ମାଡ଼ କରିଥିଲେ। ଏଥିପାଇଁ ବିବେକାନନ୍ଦଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଅନ୍ୟାନ୍ୟ ଦଫାରେ ମାମଲା ହୋଇଛି। ସିଙ୍ଗରଉଲି ଜିଲ୍ଲା ମୁଖ୍ୟାଳୟରୁ ବିବେକାନନ୍ଦ ନିଜ କାର୍‌ରେ ଯାଉଥିଲେ।

ତେବେ ଗୋଟିଏ ଛୋଟିଆ ରାସ୍ତାରେ କିଛି ଲୋକ ଛିଡ଼ା ହୋଇଥିବାରୁ ଏହାକୁ ନେଇ ବିବେକାନନ୍ଦଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସୂର୍ଯ୍ୟ କୁମାର ଏଥିରେ ହସ୍ତକ୍ଷେପ କରିଥିଲେ ଓ ଝଗଡ଼ା ବନ୍ଦ କରିବାକୁ କହିଥିଲେ। କିନ୍ତୁ ବିଧାୟକଙ୍କ ପୁଅ ହଠାତ୍‌ ନିଜ ପାଖରେ ରଖିଥିବା ବନ୍ଧୁକରୁ ସୂର୍ଯ୍ୟ କୁମାରଙ୍କ ଉପରକୁ ଗୁଳି କରିଥିଲେ।

ଗୁଳିଟି ସୂର୍ଯ୍ୟ କୁମାରଙ୍କ ଡାହାଣ ହାତ ପାପୁଲିରେ ମାଡ଼ ହୋଇଛି। ସେ ଏବେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଓ ସେ ଭଲ ଥିବା ପୁଲିସ କହିଛି।

ଘଟଣା ପରଠାରୁ ବିବେକାନନ୍ଦ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି। ତାଙ୍କ ବିଷୟରେ ସୂଚନା ହାସଲ କରିବାକୁ ପୁଲିସ୍‌ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି। ଗତବର୍ଷ ମଧ୍ୟ ବିଧାୟକଙ୍କ ପୁଅ ବିବେକାନନ୍ଦ କିଛି ଜଙ୍ଗଲ ଗାର୍ଡଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଜାମିନରେ ମୁକୁଳିଥିଲେ। ଏବେ ପୁଣି ସେ ଗିରଫ ହେବା ନିଶ୍ଚିତ ହୋଇଛନ୍ତି।

Bjp Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe