/odisha-reporter/media/post_attachments/uploadimage/library/16_9/16_9_0/BJP_1691246659.jpg)
BJP
ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରାମ ଶଙ୍କର କଠେରିଆଙ୍କୁ ବଡ଼ ଝଟକା। ୨୦୧୧ ମସିହା ମାରପିଟ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମଧ୍ୟ ମିଳିଛି। ଆଗ୍ରାରେ ଥିବା ସାଂସଦ/ବିଧାୟକ କୋର୍ଟର ସ୍ପେଶାଲ ମାଜିଷ୍ଟ୍ରେଟ ଏପରି ଦଣ୍ଡାଦେଶ ଶୁଣାଇଛନ୍ତି।
ରାମ ଶଙ୍କରଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିବାରୁ ତାଙ୍କର ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇପାରେ। କାରଣ ଜନପ୍ରତିନିଧି ଆଇନ ଅନୁସାରେ ୨ ବର୍ଷ ବା ତା’ଠାରୁ ଅଧିକ ଜେଲଦଣ୍ଡ ମିଳିଲେ ଜଣେ ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟତା ପଦ ରଦ୍ଦ ହେବ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାମଲାରେ ସମାନ ପଦକ୍ଷେପ ନିଆଯାଇଥିଲା।
ମାନହାନୀ କେସ୍ରେ ଗୁଜରାଟର ଗୋଟିଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରୁ ତାଙ୍କର ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା। ଅବଶ୍ୟ ଶୁକ୍ରବାର ଏହା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ତେଣୁ ସେ ପୁଣି ସାଂସଦ ମାନ୍ୟତା ପାଇବେ।
କିନ୍ତୁ ରାମ ଶଙ୍କର ଏଯାଏ ସୁପ୍ରିମକୋର୍ଟ ଯାଇ ନାହାନ୍ତି। ତେଣୁ ନିୟମ ଅନୁସାରେ ତାଙ୍କ ସଦସ୍ୟତା ପଦ୍ଦ ପ୍ରାଥମିକ ଭାବେ ରଦ୍ଦ ହେବ। ସେ ୨୦୧୧ ମସିହା ନଭେମ୍ବର ୧୬ରେ ଗୋଟିଏ ମଲରେ ଥିବା ଟୋରେଣ୍ଟ ପାୱାର ଅଫିସରେ ପଶି ଭଙ୍ଗା ରୁଜା କରିଥିଲା। ଅଫିସର ଜଣେ କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏଥିପାଇଁ ତାଙ୍କୁ ଏବେ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ଦଣ୍ଡାଦେଶ ପରେ ରାମ ଶଙ୍କର କହିଛନ୍ତି, “ମୁଁ କୋର୍ଟରେ ସ୍ୱାଭାବିକ ଭାବେ ହାଜର ହୋଇଥିଲି। ଆଜି କୋର୍ଟ ମୋ ବିରୋଧରେ ରାୟ ଦେଇଛନ୍ତି। ମୁଁ କୋର୍ଟଙ୍କୁ ସମ୍ମାନ କରୁଛି। ଉପର କୋର୍ଟରେ ଆବେଦନ କରିବାର ଅଧିକାର ମୋର ରହିଛି। ଏହାକୁ ବ୍ୟବହାର କରିବି।”
ରାମ ଶଙ୍କର ଉତ୍ତର ପ୍ରଦେଶର ଇଟାୱାରୁ ଲୋକସଭାକୁ ଯାଇଛନ୍ତି। ଆଇପିସିର ଧାରା ୧୪୭ ଓ ୩୨୩ ଦଫାରେ ତାଙ୍କୁ ଜେଲଦଣ୍ଡ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
