Advertisment

ମା’ ଆଖିରୁ ଶୁଖୁନି ଲୁହ, କହିଲେ- ଜଣେ ଅଭିଯୁକ୍ତ ତ ମରିଛି, ଆଉ ଜଣକୁ ଫାଶୀ ଦିଅ

ବଲାଙ୍ଗିର ଗସ୍ତରେ ଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ମୃତ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ।

ଅଦ୍ୟତନ ହୋଇଛି
ମମିତା ମେହରଙ୍କ ମା’ ଓ ମମିତା ମେହର ।

ମମିତା ମେହରଙ୍କ ମା’ ଓ ମମିତା ମେହର ।

Advertisment

ଦୁଇ ବର୍ଷ ହେଲା ଝିଅକୁ ଝୁରି ଝୁରି ଆଖିରୁ ଶୁଖୁନି ଲୁହ। ଝିଅ ଘରୁ ଗୋଡ଼ କାଢ଼ି ଯାଇଥିଲା ଯେ ଆଉ ଫେରି ପାରିଲାନି। ଅତି ନିର୍ମମ ଭାବେ ତାକୁ ହତ୍ୟା କରି ମୃତଦେହକୁ ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ସେବେଠୁ ଝିଅକୁ ଝୁରି ବାହୁନି ହେଉଛନ୍ତି ବହୁ ଚର୍ଚ୍ଚିତା ମମିତା ମେହରଙ୍କ ମା’ ।

Advertisment

ବଲାଙ୍ଗିର ଗସ୍ତରେ ଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ମୃତ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ। ତୁରେକେଲା ବ୍ଲକ ଝରଣୀ ଗାଁରେ ରାଜ୍ୟ ସଭାପତିଙ୍କ ସହିତ ପୁରା ବିଜେପି ଟିମ୍ ମମିତାଙ୍କ ବାପା ମା’ଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦିଥିଲେ ମା ତୁଳସୀ।

ନିଜ ଆଖିର ଲୁହ ପୋଛି ସେ କହିଥିଲେ, ‘ଜଣେ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ମରିଗଲା। ହେଲେ ସେ କଲବଲ ହୋଇ ମରିବାର ଥିଲା, ତାକୁ ଫାଶି ଦେବାର ଥିଲା। ଏବେ ଆଉ ଜଣେ ଅଭିଯୁକ୍ତ ବଞ୍ଚିଥିବାରୁ ତାକୁ ଫାଶି ହେବା ଦରକାର।’

Advertisment

ଝିଅ ମୃତ୍ୟୁକୁ ଦୁଇ ବର୍ଷ ପୂରିଥିବା ବେଳେ ଏପରି ଭାବେ ନ୍ୟାୟ ଦାବି କରିଛନ୍ତି ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’। ଏଥିସହ ଏହିହତ୍ୟାକାଣ୍ଡ ପଛରେ ଲୁଚି ରହିଥିବା ସତ ପଦାକୁ ଆଣିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର।

ଦୁଇ ବର୍ଷ ପୂର୍ବେ ଅକ୍ଟୋବର ୮ ତାରିଖରେ କାମକୁ ଯାଉଛି କହି ଆଉ ଘରକୁ ଫେରି ନ ଥିଲେ ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହର । ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ହତ୍ୟା ତାଙ୍କୁ ଅତି ନିର୍ମମ ଭାବେ କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ସେଠାରେ ଗତବର୍ଷ ଡିସେମ୍ବର ୨୨ରେ ସେ ଗାମୁଛାରେ ଝୁଲି ଆଖି ବୁଜିଥିଲେ। ମାତ୍ର ଏହି ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିବା ତାଙ୍କ କାର୍‌ ଡ୍ରାଇଭର କିନ୍ତୁ ଏ ଯାଏ ଆଇନ୍‌ ଜାଲ୍‌ ବାହାରେ ଅଛନ୍ତି। ତେଣୁ ତାଙ୍କୁ ବି ତୁରନ୍ତ ଗିରଫ କରି ଫାଶୀ ଦିଆଯାଉ ବୋଲି ମମିତାଙ୍କ ମା’ ଦାବି କରିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମମିତା ମର୍ଡର କେସ୍‌ରେ ଯେଉଁ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଦଣ୍ଡିତ କରିବାକୁ ରାଜ୍ୟ ସରକାରଙ୍କ ସାହସ ନାହିଁ। ଗୋବିନ୍ଦ ସାହୁ କିପରି ଜେଲ୍‌ରେ ମଲେ ତାହା ଏବେ ବି ସ୍ପଷ୍ଟ ହୋଇପାରିନି। ଦୁଇ ପ୍ରଭାବଶାଳୀ ଲୋକ ସାମିଲ ଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆଣି ନାହାନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ । ଫଳରେ ଯେଉଁମାନେ ହତ୍ୟାକାରୀ, ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ୍‌ଠୁ ଉପରେ କେହି ନୁହନ୍ତି ବୋଲି ମୁଖ୍ୟନ୍ତ୍ରୀ କହୁଥିବା ବେଳେ ପଦକ୍ଷେପ କିନ୍ତୁ କିଛି ନେଉ ନାହାନ୍ତି। ତୁରନ୍ତ ଏହାର ସିବିଆଇ ତଦନ୍ତ ଆରମ୍ଭ ନ ହେଲେ ଅନ୍ୟ ବାଟ ଆପଣାଇବୁ ବୋଲି ବିଜେପି ରାଜ୍ୟ ସଭାପତି ଚେତାବନୀ ଦେଇଛନ୍ତି।

Bjp Murder Mamita Mehar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe