Advertisment

ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବୋର୍ଡ ଉପସଭାପତି ଗିରଫ

ନିହାର ରଞ୍ଜନ ମହାନ୍ତି ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Nihar Ranjan Mohanty

Nihar Ranjan Mohanty

Advertisment

ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରବିବାର ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ନିହାରଙ୍କୁ ଡାକି ଜେରା କରିଥିଲା କ୍ରାଇମବ୍ରାଞ୍ଚ୍‌। ତାଙ୍କ ଲାପଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ତାଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରୀ ଅପରେଟର ଜିତନ ମହାରଣା ଲାପଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ କରିଥିଲେ।

Advertisment

ନିହାର ରଞ୍ଜନ ମହାନ୍ତି ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଜିତନ ମହାରଣାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରେ କିଛି ଶିକ୍ଷକ ନେତା ଅଛନ୍ତି।

ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ ହେବା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଛି। ପ୍ରାୟ ୨/୩ ମାସ ଭିତରେ ଉଭୟେ ଫୋନ୍‌ରେ ୧୦୦ ଥର କଥା ହୋଇଛନ୍ତି। ଅଫିସ ସମୟ ବାଦ୍‌ ସେମାନେ ୧୦୦ ଥର ଫୋନ୍‌ରେ କଥା ହେବାର ପ୍ରମାଣ କଲ୍‌ରେକର୍ଡରୁ ମିଳିଛି।  ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା। ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ଜଣେ ବ୍ୟକ୍ତିଙ୍କ ସହ ବୋର୍ଡ ଉପସଭାପତି ଏତେ ଥର କଥା ହେଲେ କାହିଁକି? ଏଥିରୁ ଆମର ସନ୍ଦେହଜାତ ହୋଇଥିଲା। ଜିତନଙ୍କୁ ପଚରାଉଚରା କରିବା ପରେ ସେ ଦୋଷ ସ୍ୱୀକାର କରିଥିଲେ। ଆମେ ପ୍ରମାଣ ବି ପାଇଥିଲୁ। ଲାପଟପ୍‌ରେ ପ୍ରଶ୍ନପତ୍ର ଦେଖିବା ବେଳେ ଯେଉଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା କଥା, ତାହାକୁ ସେ (ବୋର୍ଡ ଉପସଭାପତି ନିର ରଞ୍ଜନ ମହାନ୍ତି) ଜାଣିଶୁଣି ଅନୁସରଣ କରି ନଥିଲେ। ଆଉ ତା’ ସହିତ ଡାଟାଏଣ୍ଟ୍ରୀ ଅପରେଟର ଜିତନ ମହାରଣାଙ୍କୁ ଲାପଟପ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଫଳରେ ପ୍ରଶ୍ନପତ୍ର ଲିକ୍‌ ହେଲା।

Advertisment

ଜିତନ ମହାରଣା ୧୧ ବର୍ଷ ହେଲାଣି ଏହି ଅଫିସରେ ଅଛନ୍ତି। ପୂର୍ବରୁ ବି ତାଙ୍କ ଆଚରଣ ସନ୍ଦେହଜନକ ଥିଲା। ତେଣୁ ତାଙ୍କୁ ସିକ୍ରେଟ ୱିଙ୍ଗରୁ ବାହାର କରି ଦିଆଯାଇଥିଲା। କିନ୍ତୁ ପରେ ତାଙ୍କୁ ପୁଣି ସେଠାକୁ ନିଆଯାଇଥିଲା। ଏହା ପଛର ରହସ୍ୟ କ’ଣ? ବୋର୍ଡ ଉପସଭାପତି ଭଲ ଭାବେ ଜିତନଙ୍କ ସନ୍ଦେହଜନକ ଆଚରଣ ବିଷୟରେ ଅବଗତ ଥିଲେ। ଏ କଥା ସେ ଜେରା ବେଳେ ସ୍ୱୀକାର ବି କରିଥିଲେ। ତଥାପି ସେ ଜିତନଙ୍କୁ ନିଜ ଲାପଟପ୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏହିସବୁ କଥାରୁ ପ୍ରମାଣିତ ହେଉଛି ଯେ ଜିତନ ଓ ବୋର୍ଡ ସଭାପତିଙ୍କ ମଧ୍ୟରେ ଗୋଟିଏ ଭଲ ସମନ୍ୱୟ ଓ ସହଯୋଗ ରହିଥିଲା। ବୋର୍ଡ ଉପସଭାପତିଙ୍କୁ ଜେରା ବେଳେ ଅନେକ କଥାରେ ତାଳମେଳ ରହି ନଥିବା ବେଳେ ତାଙ୍କର ଅବହେଳା ରହିଥିବା ସ୍ପଷ୍ଟ ହୋଇଥିଲା ତଥା ଜିତନଙ୍କ ସହିତ ତାଙ୍କର ସଂପର୍କ ମଧ୍ୟ ସ୍ପଷ୍ଟ ହୋଇଥିଲା। ତେଣୁ ଆମେ ତାଙ୍କୁ ଗିରଫ କରିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।      

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବୋର୍ଡ ଉପସଭାପତି ଅଧିକ ଦାୟୀ। କାରଣ ସେ ଏକ ବଡ଼ ପଦବୀରେ ଅଛନ୍ତି। ତାଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ପ୍ରଶ୍ନପତ୍ର ସେଟିଂର ଦାୟିତ୍ୱ ତାଙ୍କର ଥିଲା। ତାହା ସହିତ ଯେଉଁଠି ପ୍ରଶ୍ନପତ୍ର ଛପାଯାଉଥିଲା, ସେହି କମ୍ପାନୀ ସହିତ ସେ ସମନ୍ୱୟ ରକ୍ଷା କରୁଥିଲେ। ବୋର୍ଡ ଉପସଭାପତି ନିହାର ବାବୁଙ୍କ ପାଖରେ OTET ପ୍ରଶ୍ନପତ୍ର ସମ୍ପର୍କିତ ପାସ୍‌ୱାର୍ଡ ଥିଲା। ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍‌ କରିବା କଥା, କିନ୍ତୁ ସେ ସେମିତି କରି ନ ଥିଲେ। ଅନ୍ୟପଟରେ ଜିତନ ମହାରଣାଙ୍କୁ ଲାପଟପ୍‌ ବ୍ୟବହାର କରିବା ପାଇଁ ସେ ଅନୁମତି ଦେଇଥିଲେ। ଏନେଇ କିଛି ଆର୍ଥିକ କାରବାର ହୋଇଛି ନା ନାହିଁ, ତାହାର ତଦନ୍ତ ଚାଲିଛି। ଆମେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛୁ। ଭୋପାଳର ଏକ କମ୍ପାନୀରେ ପ୍ରଶ୍ନପତ୍ର ପ୍ରିଣ୍ଟ କରାଯାଇଥିଲା। ସେହି କମ୍ପାନୀ ସହିତ ବୋର୍ଡ ଉପସଭାପତିଙ୍କ ପାରିବାରିକ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି। ଆବଶ୍ୟକ ହେଲେ ଗିରଫ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଓ ଅନ୍ୟମାନଙ୍କୁ ରିମାଣ୍ଡରେ ଆଣିବୁ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ କୁମାର ଖମାରୀଙ୍କୁ ଗିରଫ କରିଥିଲା। ତା’ପୂର୍ବରୁ ଡାଟାଏଣ୍ଟ୍ରୀ ଅପରେଟର ଜିତନ ମହାରଣା, ଦୁଇ ଶିକ୍ଷକ ନେତା ବିଜୟ କୁମାର ମିଶ୍ର ଓ ସନାତନ ବିଷୋୟୀ, ଶିକ୍ଷକ ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ତଦନ୍ତରୁ ଜଣାପଡ଼ିଛି ଯେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଂଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତନ ମହାରଣା ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପରୁ ପ୍ରଶ୍ନପତ୍ର ହାସଲ କରିଥିଲେ। ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ। ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ଆକୃଷ୍ଟ କରି ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ। ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ। ଚାକିରି ନିୟମିତକରଣ ଓ ବେତନ ବୃଦ୍ଧି ପାଇଁ ଆଶାୟୀ ଶିକ୍ଷକମାନଙ୍କୁ ଶୋଷଣ କରି ପ୍ରଶ୍ନପତ୍ର ବିକ୍ରି କରିବା ଏହି ଷଡ଼ଯନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଡାଟା ଏଂଟ୍ରି ଅପରେଟର ଜିତନ ମହାରଣା ଫୋନ-ପେ ମାଧ୍ୟମରେ ୨.୫୦ଲକ୍ଷ ଟଙ୍କା ପାଇଥିଲେ।

ଜୁଲାଇ ୨୦ତାରିଖରେ ସ୍ପେଶାଲ ଓଟିଇଟି ହେବାର ଥିଲା। କିନ୍ତୁ ଜୁଲାଇ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ବାତିଲ କରିଦେଇଥିଲେ।

ଅଗଷ୍ଟ ୩୧ରେ ସ୍ପେଶାଲ୍ OTET

ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET। ସକାଳ ୯ଟାରୁ ୧୧.୩୦ ଯାଏ ପେପର୍‌-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ।

ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ।

Crime Branch OTET BSE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe