Advertisment

ଲାଞ୍ଚ ନେବାକୁ ବିଧାୟକଙ୍କ ସମୀକ୍ଷା ବୈଠକରୁ ଉଠି ଯାଇଥିଲେ, ଧରାପଡ଼ି ଜେଲ୍ ଗଲେ

୧,୩୦,୦୦୦ ଟଙ୍କା ନେଇ ସାରିଥିଲେ। ଆଉ ୫୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ।

G. Prabhakar Patra

G. Prabhakar Patra

Advertisment

‘ଲାଞ୍ଚ ନିଅନ୍ତୁ ନାହିଁ। ପିସି କାରବାରକୁ ବନ୍ଦ କରନ୍ତୁ।’ ଦୁଇ ଦିନ ତଳେ ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାର ଅଧିକାରୀମାନଙ୍କୁ ଏହି ତାଗିଦ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଗତକାଲି ଏକ ସମୀକ୍ଷା ବୈଠକରେ ଜିଲ୍ଲା ଅଧିକାରୀମାନଙ୍କୁ ସମାନ ତାଗିଦ କରିଥିଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ। କିନ୍ତୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ବରଂ ବିଧାୟକଙ୍କ ବୈଠକ ଅଧାରୁ ଉଠି ଯାଇ ନିଜ କାର୍ଯ୍ୟାଳୟରେ ଏକ ରାଇସ ମିଲର ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ତେବେ ସେହି ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିପକାଇଥିଲେ। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବାରୁ ଆଜି ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Advertisment

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ଯେଉଁ ରାଇସ ମିଲ୍‌ର ମାଲିକଙ୍କଠାରୁ ଲାଞ୍ଚ ନେଇଥିଲେ, ତାଙ୍କ ନାଁ ଆଶିଷ ଶର୍ମା। ଅଭିଯୋଗ ଅନୁଯାୟୀ, ଧାନକିଣା ଋତୁ ଆରମ୍ଭରୁ ଅନେକ ମିଲରଙ୍କ ସହିତ ଆଶିଷଙ୍କୁ ବି ହଇରାଣ କରୁଥିଲେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର। ପ୍ରତି କଥାରେ ଟଙ୍କା ମାଗୁଥିଲେ। ପେକ୍ସରୁ ଧାନ ଉଠାଇବାକୁ ତାଙ୍କୁ ଟଙ୍କା ଦେବାକୁ ପଡୁଥିଲା। କଷ୍ଟମ ମିଲିଂର ବିଲ ପାସ କଲେ ବି ଟଙ୍କା ଦେବାକୁ ହେଉଥିଲା। ଟଙ୍କା ନଦେଲେ ପଡ଼ିରହୁଥିଲା ବିଲ୍‌। ଏପରିକି ଅଧିକ ହାତଗୁଞ୍ଜା ଦେଇଥିବା ମିଲର୍ସଙ୍କୁ କ୍ୟାପାସିଟି ବାହାରେ କଷ୍ଟମ ମିଲିଂ ପାଇଁ ଧାନ ଦେଉଥିଲେ। ମୋଟା ଅଙ୍କର ଟଙ୍କା ଦେଇନପାରିଲେ, କ୍ୟାପାସିଟି ଥିବା ସତ୍ତ୍ୱେ କଷ୍ଟମ ମିଲିଂ ପାଇଁ କମ୍ ଧାନ ଦେଉଥିଲେ। ରାଇସ ମିଲ ମାଲିକ ଆଶିଷ ଶର୍ମାଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଥିଲା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ରଙ୍କ ନିର୍ଯାତନା। ତେଣୁ ସେ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ଯୋଜନା ମୁତାବକ, ଗତକାଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ତାଙ୍କ ଅଫିସରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

କୃଷକ ନେତା ଲକ୍ଷ୍ମଣ ମେହେର କହିଛନ୍ତି, ଗତକାଲି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ। ମୁଁ ମଧ୍ୟ ବୈଠକରେ ଥିଲି। ଲାଞ୍ଚ ନନେବାକୁ ଓ ପିସି କାରବାର ନ କରିବାକୁ ବିଧାୟକ ବାରମ୍ବାର ଅଫିସର ମାନଙ୍କୁ ଅନୁରୋଧ ଓ ତାଗିଦ କରିଥିଲେ। ତେବେ ବୈଠକ ଚାଲିଥିବା ବେଳେ ହଠାତ୍ କ’ଣ ଘଟିଲା କେଜାଣି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ସେଠାରୁ ଚାଲି ଯାଇଥିଲେ। ପରେ ଆମେ ଖବର ପାଇଲୁ ଯେ ସେ ଜଣେ ମିଲ୍ ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଧାୟକଙ୍କ ସମୀକ୍ଷା ବୈଠକର ଦିନେ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ତାଙ୍କ ସମୀକ୍ଷା ବୈଠକରେ ପିସି କାରବାରକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ତା’ ସତ୍ତ୍ୱେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ଲାଞ୍ଚ ନେଇଥିଲେ। ସେ ଜଣେ ଲାଞ୍ଚୁଆ ସରକାରୀ ଅଧିକାରୀ। ଅନେକ ସମୟରେ ମିଲ୍ ମାଲିକ ଓ ଚାଷୀମାନଙ୍କୁ ବହୁତ ହଇରାଣ କରିଥିଲେ। ତା’ର ଫଳ ସେ ପାଇଛନ୍ତି। ତାଙ୍କୁ ଅତିଶୀଘ୍ର ନିଲମ୍ବନ କରିବାକୁ ଆମେ ଦାବି କରୁଛୁ।

Advertisment

ସୂଚନାଯୋଗ୍ୟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ମିଲ୍ ମାଲିକ ଆଶିଷ ଶର୍ମାଙ୍କଠାରୁ କିଛି ଦିନ ତଳେ ୧,୩୦,୦୦ ଟଙ୍କା ଲାଞ୍ଚ ନେଇଥିଲେ। ଅବଶିଷ୍ଟ ୫୦ ହଜାର ଟଙ୍କା ସେ ଗତକାଲି ନେଉଥିବା ବେଳେ ଧରାପଡ଼ିଥିଲେ। ଗତକାଲି ରେଡ୍ ବେଳେ ଶ୍ରୀ ପାତ୍ରଙ୍କ ବଲାଙ୍ଗିର ସ୍ଥିତ ବାସଭବନରୁ ନଗଦ ୪ ଲକ୍ଷ ୩୯ ହଜାର ଟଙ୍କା ଓ ୨୬୦ ଗ୍ରାମ ସୁନା ମିଳିଥିଲା।

Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe