Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ପ୍ଲଟ୍‌ ପ୍ରେମୀ ବାବୁ; ୪୪ଟି ପ୍ଲଟ୍ ଠାବ, ଜମା ରଖିଛନ୍ତି ୧.୩୫ କୋଟି ଟଙ୍କା

ଗୋଲାପ ଚନ୍ଦ୍ର ହାଁସଦା ୧୯୯୧ ମସିହା ଏପ୍ରିଲ ୧୮ ତାରିଖରେ ଜଣେ ଆଇପିଓ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
MVI Golap Hansda

MVI Golap Hansda

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଗୋଲାପ ଚନ୍ଦ୍ର ହାଁସଦା। ସେ ବୌଦ୍ଧରେ ଏମ୍‌ଭିଆଇ ବା ମୋଟର ଭେଇକଲ ଇନ୍‌ସପେକ୍ଟର ଅଛନ୍ତି।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କର ୬ଟି ଠିକଣାରେ ଚଢ଼ାଉ କରାଯାଇଥିବା ବେଳେ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ।

ଏମ୍‌ଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ୪୪ଟି ପ୍ଲଟ୍ ରହିଛି। ସେଥିରୁ ୪୩ଟି ବାରିପଦା ଓ ଏହା ଆଖପାଖ ଅଞ୍ଚଳରେ ରହିଛି। ଅନ୍ୟଟି ବାଲେଶ୍ୱର ସହର ବାହାରେ ରହିଛି। ଏହି ସବୁ ପ୍ଲଟ୍‌ଗୁଡ଼ିକର ସେଲ୍ ଡିଡ୍ ୧ କୋଟି ୪୯ ଲକ୍ଷ ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ରେଜିଷ୍ଟ୍ରେସନ ବେଳେ ପ୍ଲଟ୍‌ଗୁଡ଼ିକର ମୂଲ୍ୟ କମ୍ ଦର୍ଶାଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ। ଏହି ସନ୍ଦର୍ଭରେ ଭିଜିଲାନ୍ସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରାଯାଇଛି। 

Advertisment

ବାରିପଦାରେ ତାଙ୍କର ଗୋଟିଏ ଦୁଇ ମହଲା କୋଠା ଅଛି। ପ୍ରାୟ ୩୩୦୦ ବର୍ଗଫୁଟ୍ ଅଞ୍ଚଳରେ ଏହା ନିର୍ମିତ ହୋଇଛି। ସମସ୍ତ ପ୍ଲଟ୍‌ ଓ ଘରର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଜାରି ରହିଛି।

ଏମ୍‌ଭିଆଇ ଶ୍ରୀ ହାଁସଦାଙ୍କ ଘରୁ ନଗଦ ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କ, ପୋଷ୍ଟ ଅଫିସ ସହିତ ବୀମା ବାବଦକୁ ସେ ୧ କୋଟି ୩୪ ଲକ୍ଷ ୯ ହଜାର ୧୯୩ ଟଙ୍କା ଜମା ରଖିଛନ୍ତି।

ତାଙ୍କ ଘରୁ ୧ କେଜି ସୁନାଗହଣା ଓ ୨.୧୨୬ କେଜି ରୁପା ଗହଣା ଜବତ କରାଯାଇଛି। ୧ କେଜି ସୁନା ମଧ୍ୟରେ ୨ଟି ସୁନା ବିସ୍କୁଟ ରହିଛି। ସେଗୁଡ଼ିକ ୫୦ ଗ୍ରାମ ଲେଖାଏଁ। ତାଙ୍କର ଗୋଟିଏ ୪ ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଯାନ ଅଛି। ଏହାବାଦ୍‌ ଝିଅର ମେଡିକାଲ ପାଠପଢ଼ାରେ ସେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତାଙ୍କ ଘରେ ଥିବା ବିଭିନ୍ନ ଘରକରଣା ଓ ଆସବାବପତ୍ରର ମୂଲ୍ୟ ୧୬.୦୬ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ କହିଛି।  

Ornamentsଶ୍ରୀ ହାଁସଦାଙ୍କ ଘରୁ ଜବତ ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା

ଶ୍ରୀ ହାଁସଦାଙ୍କର ବାରିପଦା ସ୍ଥିତ ଘର ସହିତ ବୌଦ୍ଧରେ ଥିବା ତାଙ୍କ ଭଡ଼ା ଘର, ବୌଦ୍ଧ ଆରଟିଓ ଅଫିସ୍‌ରେ ଥିବା ତାଙ୍କ ଚାମ୍ବର, ମୟୂରଭଞ୍ଜର ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡ଼ିଡ଼ିହା ସ୍ଥିତ ତାଙ୍କ ପୈତୃକ ଘର, ଭୁବନେଶ୍ୱରର ପାଣ୍ଡ୍ରା ସ୍ଥିତ ତାଙ୍କ ଝିଅଙ୍କ ଭଡ଼ା ଘର ଓ ବାରିପଦା ସ୍ଥିତ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୪ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ହୋଇଥିଲେ।

୧୯୬୬ରେ ଜନ୍ମିତ ଗୋଲାପ ଚନ୍ଦ୍ର ହାଁସଦା ୧୯୯୧ ମସିହା ଏପ୍ରିଲ ୧୮ ତାରିଖରେ ଜଣେ ଆଇପିଓ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ ସମ୍ବଲପୁର ଓ ଦେବଗଡ଼ ଡିଆଇସିରେ କାର୍ଯ୍ୟ କରିଥିଲେ। ୨୦୦୩ରେ ସେ କନିଷ୍ଠ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇଥିଲେ ଓ ସୁନ୍ଦରଗଡ଼ର ତାପରିଆ ଚେକ୍‌ ଗେଟ୍‌ ଓ ସମ୍ବଲପୁରର ଲକ୍ଷ୍ମୀଡୁଙ୍ଗୁରି ଚେକ୍ ଗେଟ୍‌ରେ କାର୍ଯ୍ୟ କରିଥିଲେ। ପରେ ମୟୂରଭଞ୍ଜ ଓ ବରଗଡ଼ ଆରଟିଓ ଅଫିସରେ ସେ କିଛି ବର୍ଷ କାର୍ଯ୍ୟ କରିଥିଲେ। ୨୦୨୦ରେ ତାଙ୍କୁ ଏମ୍‌ଭିଆଇ ଭାବେ ପଦୋନ୍ନତି ଦିଆଯାଇ ବୌଦ୍ଧ ଆର୍‌ଟିଓରେ ଅବସ୍ଥାପିତ କରାଯାଇଥିଲା। ସେବଠାରୁ ସେ ସେଠାରେ ଅଛନ୍ତି। ସେ ବର୍ତ୍ତମାନ ମାସିକ ୧.୦୮ ଲକ୍ଷ ଟଙ୍କା ଦରମା ପାଉଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କିଛି ଦିନ ତଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କର ୯ଟି ପ୍ଳଟ୍ ଠାବ କରାଯାଇଥିବା ବେଳେ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କର ୧୩ଟି ପ୍ଲଟ୍ ଠାବ କରାଯାଇଥିଲା। ସେହିପରି ପ୍ରାୟ ୧୦ ଦିନ ତଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦୁଝର ଜିଲ୍ଲା କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୧୨୩ଟି ପ୍ଳଟ୍ ଠାବ କରାଯାଇଥିଲା।

Odisha Vigilance Vigilance Net