/odisha-reporter/media/post_attachments/uploadimage/library/16_9/16_9_0/Kashi_1750233388.jpg)
Kashi
ପ୍ରେମ ଆଗରେ ସ୍ୱାମୀ ତୁଚ୍ଛ। ପ୍ରେମ ପାଇଁ ନିଜ ମଥାର ସିନ୍ଦୂରକୁ ବି ପୋଛି ଦେଇଛନ୍ତି ଜଣେ ମହିଳା। ସେ ନିଜର ପ୍ରେମିକ ଓ କିଛି ସୁପାରି କିଲରଙ୍କ ସହଯୋଗରେ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ପରେ ସେ ନିଜରକୁ ନିରୀହ ବୋଲି ପ୍ରମାଣିତ କରିବାକୁ ପୂରା ଚେଷ୍ଟା ବି କରିଥିଲେ। କିନ୍ତୁ ତାଙ୍କର ୯ ବର୍ଷର ପୁଅ ସବୁ ଖେଳରେ ପାଣି ପକାଇ ଦେଇଛି।
ବାପାଙ୍କୁ ମା’ ଓ କିଛି ଲୋକ ହତ୍ୟା କରିବା ବେଳେ ପିଲାଟି ସବୁ ଦେଖି ଦେଇଥିଲା। ଏବେ ସେ ପୁଲିସର ମୁଖ୍ୟ ସାକ୍ଷୀ ପାଲଟି ଯାଇଛି। ତା’ର ବୟାନ ଆଧାରରେ ପୁଲିସ୍ ତଦନ୍ତ ଆଗକୁ ନେବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ପୂରା ଘଟଣା ରାଜସ୍ଥାନର ଅଲୱର ଠାରେ ଜୁନ ୭ ତାରିଖରେ ଘଟିଥିଲା। ଏବେ ପୂରା ଘଟଣା ସାମ୍ନାକୁ ଆସିଛି।
ମୃତକ ଜଣଙ୍କ ହେଲେ ବୀରୁ ଓରଫ ମନ ସିଂହ ଯାତବ। ତାଙ୍କ ମୃତଦେହକୁ ତାଙ୍କରି ଘର ଭିତରୁ ପୁଲିସ୍ ଜବତ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବୀରୁଙ୍କ ପତ୍ନୀ ଅନୀତା ସମସ୍ତଙ୍କୁ କହିଥିଲେ ଯେ ସ୍ୱାମୀଙ୍କ ଦେହ ହଠାତ୍ ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଘଟଣାର ୪୮ ଘଣ୍ଟା ପରେ ସେମାନଙ୍କ ୯ ବର୍ଷର ପୁଅ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି।
ବୀରୁଙ୍କ ୯ ବର୍ଷର ପୁଅ କହିଛି ଯେ ତାଙ୍କ ମା’ ଜାଣି ଶୁଣି ଘଟଣା ଦିନ ଘରର ମୁଖ୍ୟ ଫାଟକକୁ ଖୋଲା ରଖିଥିଲେ। ମଧ୍ୟରାତ୍ର ବେଳକୁ ପିଲାଟି ଚିହ୍ନି ଥିବା କାଶୀଙ୍କ ସହ ୪ ଜଣ ଲୋକ ଘର ଭିତରୁ ପ୍ରବେଶ କରିଥିଲେ। କାଶୀ ଓରଫ କାଶୀରାମ ପ୍ରଜାପତି ହେଉଛନ୍ତି ଅନୀତାଙ୍କ ପ୍ରେମିକ। ସେମାନେ ଘର ଭିତରେ ପଶିବା ବେଳେ ବୀରୁ ଶୋଇଥିଲେ। ସେମାନେ ମିଳିତ ଭାବେ ତାଙ୍କୁ ମାଡ଼ ମାରିବା ସହ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ଘଟଣା ବେଳେ ପିଲାଟି ବୀରୁଙ୍କ ପାଖରେ ହିଁ ଶୋଇଥିଲା। ସେ ସବୁ ନିଜ ଆଖିରେ ଦେଖିଥିଲେ ହେଁ ଶୋଇବାର ଅଭିନୟ କରିଥିଲା ବୋଲି ପୁଲିସ୍କୁ କହିଛି।
ପିଲାଟି ପୁଲିସ୍ କହିଛି ଯେ “କବାଟ ଶବ୍ଦ ଶୁଣାଯିବା ବେଳେ ମୁଁ ଶୋଇଥିଲି। ମୁଁ ଆଖି ଖୋଲିବା କ୍ଷଣି ଦେଖିଥିଲେ ଯେ ମା’ କବାଟ ଖୋଲୁଛନ୍ତି। କାଶୀ ଅଙ୍କଲ ବାହାରେ ଛିଡ଼ା ହୋଇଥିଲେ। ତାଙ୍କ ସହ ଆଉ ୪ ଜଈ ଲୋକ ମଧ୍ୟ ରହିଥିଲା। ମୁଁ ସେମାନଙ୍କୁ ଦେଖି ଡରି ଯାଇଥିଲି ଓ ବେଡରୁ ଉଠି ନଥିଲି। ମୁଁ ସବୁ କିଛି ଶୋଇବାର ଅଭିନୟ କରି ଚୁପଚାପ ଦେଖି ଚାଲିଥିଲି। ସେମାନେ ଆମ ରୁମକୁ ଆସିଥିଲେ। ଏହି ସମୟରେ ମୋ ମା’ ବେଡ ନିକଟରେ ଛିଡ଼ା ହୋଇଥିଲେ।
କାଶୀ ଅଙ୍କଲ ଓ ତାଙ୍କ ସହ ଥିଲା ଲୋକମାନେ ମୋ ବାପାଙ୍କୁ ଶୋଇଥିବା ଅବସ୍ଥାରେ ମୁଥ ମାରି ଚାଲିଥିଲେ। ତାଙ୍କ ଗୋଡ଼ ମୋଡ଼ି ଦେଇଥିଲେ ଓ ତାଙ୍କ ତଣ୍ଟି ଚିପିଥିଲେ। କାଶୀ ଅଙ୍କଲ ବାପାଙ୍କ ପାଟିରୁ ଗୋଟିଏ ତକିଆ ଦ୍ୱାରା ଚାପି ଧରିଥିଲେ। ଏସବୁ ଦେଖି ମୁଁ ଉଠି ଯାଇଥିଲି ଓ ବାପାଙ୍କ ପାଖକୁ ଯିବାକୁ ଚେଷ୍ଟା କରିଥିଲି। କିନ୍ତୁ କାଶୀ ଅଙ୍କଲ ମୋତେ କୋଳେଇ ନେଇଥିଲେ ଓ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ ମୋତେ ଧମକ ମଧ୍ୟ ଦେଇଥିଲେ। ମୁଁ ଭୟରେ ଚୁପ ହୋଇ ଯାଇଥିଲି। କିଛି ସମୟ ପରେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତେ ସେଠାରୁ ଚାଲି ଯାଇଥିଲେ। ମା’ ସବୁ କିଛି ସେଠାରେ ଛିଡ଼ା ହୋଇ ଦେଖୁଥିଲେ।”
ତଦନ୍ତର ଦିଗ
ପୁଲିସ୍ର କହିବା କଥା ଯେ ଅନୀତା ଓ କାଶୀରାମ ପୂର୍ବରୁ ହିଁ ବୀରୁଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। କାଶୀ ଓ ଅନୀତ ପରକୀୟା ପ୍ରୀତିରେ ମାତିଥିଲେ। ଏଥିପାଇଁ ସେମାନେ ବୀରୁଙ୍କୁ ହତ୍ୟା କରିଛନ୍ତି। ଖେରଲିରେ ଅନୀତାଙ୍କ ଗୋଟିଏ ଦୋକାନ ରହିଛି। କଶୀ ରାମ ଉକ୍ତ ଦୋକାନ ନିକଟରେ କଚୋଡ଼ି ବିକ୍ରି କରନ୍ତି। ଉଭୟଙ୍କ ମଧ୍ୟରେ ସବୁ ଦିନ ଦେଖା ହୁଏ। ଧୀରେଧୀରେ ଏହି ଦେଖା ସାକ୍ଷାତ ପ୍ରେମରେ ପରିଣତ ହୋଇଥିଲା। ଉଭୟ ଏକାଠି ଅନେକ ସମୟ ମଧ୍ୟ ବିତାନ୍ତି।
ଏହି ଅନୈତିକ ସମ୍ପର୍କରେ ଅନୀତାଙ୍କ ସ୍ୱାମୀ ବୀରୁ ପ୍ରତି ବନ୍ଧକ ସାଜିଥିଲେ। ଏଥିପାଇଁ ଉଭୟ ତାଙ୍କୁ ମାରିବାକୁ ଯୋଜନା କରିଥିଲେ। ଏଥିପାଇଁ ଉଭୟ ୨ ଲକ୍ଷ ଟଙ୍କା ଦେଇ ୪ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଆଣିଥିଲେ। ଜୁନ ୭ ତାରିଖ ମଧ୍ୟରାତ୍ରରେ ଅନୀତା ଯୋଜନା ଅନୁସାରେ ଘରର ମୁଖ୍ୟ ଫାଟକକୁ ଜାଣିଶୁଣି ଖୋଲା ରଖିଥିଲେ। କାଶୀ ରାମ ୪ ସୁପାରି କିଲରଙ୍କୁ ଧରି ବାଇକରେ ସେଠାରେ ପହଞ୍ଚିଥିଲେ। ସମସ୍ତେ ମିଳିତ ଭାବେ ନିଦରେ ଶୋଇଥିବା ବୀରୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରାଥମିକ ଭାବେ ଅନୀତା ତାଙ୍କ ସମ୍ପର୍କୀୟମାନଙ୍କୁ କହିଥିଲେ ଯେ ବୀରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ମୃତଦେହରେ ଥିବା କ୍ଷତ ଚିହ୍ନ, ଭଙ୍ଗା ଦାନ୍ତ ଓ ଶ୍ୱାସରୁଦ୍ଧର ସଙ୍କେତ ସନ୍ଦେହ ସୃଷ୍ଟି କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବୀରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ଗିରଫଦାରୀ ଓ ପ୍ରମାଣ
ବୀରୁଙ୍କ ଭାଇ ଗବର ଯାତବ ହତ୍ୟା ସମ୍ପର୍କରେ ପୁଲିସ୍ରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୧୦୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ କଲ ରେକର୍ଡର ବିଶ୍ଲେଷଣ କରିଥିଲା। ଏହାପରେ ପୂରା ସତ ସାମ୍ନାକୁ ଆସିଥିଲା। ପୁଲିସ୍ ବୀରୁଙ୍କୁ ହତ୍ୟା କରିବା ଘଟଣାରେ ଅନୀତା, କାଶୀରାମ ଓ ଜଣେ ସୁପାରି କିଲର ବ୍ରିଜେଶ ଯାତବଙ୍କୁ ଗିରଫ କରିଛି। ଏବେ ଫେରାର ଥିବା ବାକି ୩ ସୁପାରି କିଲରଙ୍କୁ ପୁଲିସ୍ ଖୋଜୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
