/odisha-reporter/media/post_attachments/uploadimage/library/16_9/16_9_0/IMAGE_1754816977.jpg)
Dead Student and The Accused
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ନିଆଁରେ ଜଳିଯିବା ଘଟଣାରେ ତାଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ରବିବାର ଗିରଫ କରାଯାଇଛି। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ଏହି ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି, ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପ୍ରମୋଦ ମୋବାଇଲ୍ରେ ୬୦ଟି ଅଶ୍ଲୀଳ ଭିଡିଓ ଥିବାର ପ୍ରମାଣ ମିଳିଛି। ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ଗୋଟିଏ ଅଶ୍ଳୀଳ ଭିଡିଓ ସେ ପଠାଇଥିଲେ। ସେହି ସମାନ ଦିନ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ତାହା ପଠାଇଥିଲେ। ଅଗଷ୍ଟ ୫ରେ ଅଭିଯୁକ୍ତ ୫ରୁ ୬ ଥର ପୀଡ଼ିତାକୁ ମେସେଜ୍ କରିଥିଲେ। ଘଟଣା ଦିନ ସକାଳ ୭ଟା ୩୪ରେ କଲ୍ କରିଥିଲେ। ଆମେ ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍ ସିଜ୍ କରି ସାରିଛୁ।ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ତଦନ୍ତ ପରିସରଭୁକ୍ତ ଅଛନ୍ତି। ଆଉ କାହାକୁ ତଦନ୍ତପରିସରକୁ ଅଣାଯାଇନାହିଁ। ଅଭିଯୁକ୍ତ ପ୍ରମୋଦଙ୍କ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲାଗିଛି। ଏହା ଆତ୍ମହତ୍ୟା ନା ହତ୍ୟା, ତାହା SFSL, ଏଫ୍ଏନ୍ଟି, ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ସବୁ ସ୍ପଷ୍ଟ ହେବ। ସିସିଟିଭି ଫୁଟେଜ୍ରେ ପୀଡ଼ିତାଙ୍କ ବାପା, ମା’ଙ୍କ ଯିବା ଆସିବା ଦୃଶ୍ୟ ମିଳିଛି।ଅଭିଯୁକ୍ତ ପ୍ରମୋଦଙ୍କ ବାପାଙ୍କ ଏତଲା ନେଇ ମଧ୍ୟ ତଦନ୍ତ କରାଯିବ।
ମୃତ ଛାତ୍ରୀଙ୍କ ବାପା ଘଟଣା ଘଟିବା ଦିନ କହିଥିଲେ ଯେ ତାଙ୍କ ଝିଅର ଜଣେ ଯୁବକଙ୍କ ସହିତ ସଂପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଯାଇଥିଲା। ବ୍ରେକ୍ଅପ୍ ପରେ ସେ ତାଙ୍କ ଝିଅର କିଛି ନଗ୍ନ ଫଟୋ ରଖି ବ୍ଲାକ୍ମେଲ୍ କରୁଥିଲେ। ଯୁବକଙ୍କ ଏଭଳି ନିର୍ଯାତନା ସହି ନପାରି ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ସେ କହିଥିଲେ।
ଘଟଣାର ୪ ଦିନ ପରେ ଅର୍ଥାତ୍ ଗତକାଲି ମୃତ ଛାତ୍ରୀଙ୍କ ବାପା ଓ ଭାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ନାଁରେ ଏତଲା ଦେଇଥିଲେ। ପ୍ରମୋଦ ତାଙ୍କ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରିବା ସହିତ ମାନସିକ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ମୃତ ଛାତ୍ରୀଙ୍କ ବାପା ଏତଲାରେ ଉଲ୍ଲେଖ କରିଛନ୍ତି।
ଥାନା ସମ୍ମୁଖରେ ଅଭିଯୁକ୍ତଙ୍କ ବାପାମା’ଙ୍କ ଧାରଣା
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଧାରଣାରେ ବସିଛନ୍ତି ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବାପା ଓ ମା’। ସେମାନଙ୍କ ସହିତ ଶତାଧିକ ଲୋକ ଧାରଣାରେ ବସିଛନ୍ତି। ଏମିତିକି ପ୍ରମୋଦଙ୍କ ବାପା ଆତ୍ମାହୁତି ଧମକ ଦେଇଛନ୍ତି। ତେଣୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସେଠାରେ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ତା’ ସହିତ କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ପୁଲିସ ଉପସ୍ଥିତ ରହିଛି।
ପ୍ରମୋଦଙ୍କ ପରିବାର ଲୋକେ କହିଛନ୍ତି ଯେ ଉଭୟ ପୁଅ ଓ ଝିଅ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ସେମାନେ ଗରିବ ହୋଇଥିବାରୁ ଝିଅ ଘର ଲୋକେ ଏହି ସଂପର୍କକୁ ଗ୍ରହଣ କରି ପାରୁ ନଥିଲେ। ପ୍ରମୋଦଙ୍କୁ ଫସାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୬ ତାରିଖରେ ମୃତ ଛାତ୍ରୀଙ୍କ ବାପାମା’ ପଟ୍ଟାମୁଣ୍ଡାଇର ପତ୍ରପୁରକୁ ଯାଇଥିଲେ। ସେମାନେ ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ ଝିଅ ଦ୍ୱାର ଫିଟାଇ ନଥିଲେ। ତା’ପରେ ତାଙ୍କ ବାପା ତାଙ୍କୁ ଫୋନ୍ କରିଥିଲେ। ତଥାପି କିଛି ଉତ୍ତର ମିଳି ନଥିଲା। ତେଣୁ ତାଙ୍କ ବାପା ପଡ଼ୋଶୀଙ୍କୁ ଡାକିଥିଲେ ଓ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ଘର ଭିତରେ ଥିବା ସିଡିରେ ଝିଅର ଜଳନ୍ତା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।
ମୃତ ଛାତ୍ରୀ ଜଣଙ୍କ ଘରେ ତାଙ୍କ ବାପା ଓ ମା’ଙ୍କ ସହିତ ରହୁଥିଲେ। ତାଙ୍କ ଭାଇ ଗୁଜରାଟରେ ରହନ୍ତି।
ଏହି ଘଟଣା ଘଟିବା ପରେ ପୁଲିସ ଅନୁସନ୍ଧାନ କରି ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରେ ଧରିଥିଲା। ତାଙ୍କୁ ଚେନ୍ନାଇରୁ ଏଠାକୁ ଅଣାଯିବା ପରେ ଜେରା କରାଯାଇଥିଲା। ଏହା ପରେ ଆଜି ତାଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
