Advertisment

ରାଜଧାନୀରେ ମାତିଛି ଦଲାଲ; ଗୋଟିଏ ଘର ଦେଖାଇ ଅନେକଙ୍କଠାରୁ ଲୁଟିଛି ଲକ୍ଷାଧିକ ଟଙ୍କା

ଶିଖାଗୁପ୍ତାଙ୍କ ପରି ଆଉ ଜଣେ ଯୁବକ ସମାନ ଘରକୁ ଭଡ଼ାରେ ନେବା ପାଇଁ ୨ ମାସର ଆଡଭାନ୍ସ ଦେଇ ଠକାମୀର ଶିକାର ହୋଇଛନ୍ତି। ସେ ଯାଜପୁର ଜିଲ୍ଲାର ଶୁଭମ ଶାଶ୍ୱତ ପୋଥାଳ। ପେସାରେ ସେ ଜଣେ ସଫଟୱେର କର୍ମଚାରୀ।

author-image
Manoranjan Sial
Bhubaneswar

Bhubaneswar

ରାଜଧାନୀ ଭୁବନେଶ୍ୱରରେ ମାତିଛି ହାଉସ୍ ରେଣ୍ଟ ବ୍ରୋକର୍। OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଲଗାଉଛି ଚୂନ। ଗୋଟିଏ ଘରକୁ ଏକାଧିକ ବ୍ୟକ୍ତିଙ୍କୁ ଦେଖାଇ ଲୁଟି ନେଇଛି ଲକ୍ଷାଧିକ ଟଙ୍କା। ଅଫଲାଇନ୍ ହେଉ କି ଅନଲାଇନ୍ ସବୁ ଫୋରମରେ ଦଲାଲ ସକ୍ରିୟ ରହିଛନ୍ତି। ଖାଲି ଭଡ଼ାଟିଆ ନୁହଁନ୍ତି, ଘର ମାଲିକଙ୍କୁ ମଧ୍ୟ ଚିଟିଂ କରିଛି। ଏନେଇ ଅଭିଯୋଗ ହେବା ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଜାଲ ବିଛାଇଛି କମିଶନରେଟ୍‌ ପୁଲିସ୍‌।

Advertisment

ଝାଡ଼ଖଣ୍ଡର ଶିଖା ଗୁପ୍ତା ଶର୍ମା ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ଭୁବନେଶ୍ୱରରେ ଏକ ସଫ୍ଟୱେର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ପରିବାର ସହ ରହିବାକୁ ଭଲ ଘରଟିଏ ଖୋଜୁଥିଲେ। ମୈତ୍ରୀବିହାର ଅନ୍ତର୍ଗତ ବାଇପାସ ରୋଡରେ ଥିବା ଓଁ ଗାର୍ଡେନରେ ଏଇ ଘର ଖାଲି ଥିବା କଥା ସୋଶାଲ ମିଡିଆରୁ ଜାଣିବାକୁ ପାଇଥିଲେ। ସେଥିରେ ଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ। ଜଣେ ବ୍ୟକ୍ତି ନିଜକୁ ହାଉସ୍‌ ଓନର ପରିଚୟ ଦେଇ ଘର ବୁଲାଇ ଦେଖାଇଲେ ଓ ମାସକର ୧୧ ହଜାର ଟଙ୍କା ଆଡଭାନ୍ସ ନେଇଥିଲେ। ହେଲେ ଜିନିଷପତ୍ର ଧରି ସେ ଘରେ ରହିବାକୁ ଆସିଲା ବେଳେ ହତବାକ ହେଲେ। ଜାଣିବାକୁ ପାଇଲେ ମାଲିକ ଟଙ୍ଗାଇ ଥିବା ଟୁ ଲେଟ୍‌ ଲେଖାକୁ ବ୍ୟବହାର କରି ଜଣେ ଠକ ତାଙ୍କୁ ଚିତା କାଟିଛି। ଶେଷରେ ମୈତ୍ରୀବିହାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶିଖାଗୁପ୍ତା।

ଯଦିଓ ଠକ ଯୁବକକୁ ଶିଖାଗୁପ୍ତା ଚିହ୍ନି ନାହାନ୍ତି, ହେଲେ ଭଡ଼ା ଘର ଦେଖିବା ପାଇଁ ଗଲା ବେଳେ ଫ୍ଲାଟ ଭିତରେ ମୋବାଇଲରେ ଭିଡ଼ିଓ କରିଥିଲେ। ଯେଉଁଥିରେ ଯୁବକର ଚିତ୍ର ରହିଛି। ହେଲେ ବଡ଼କଥା ହେଲା, ଟୁ ଲେଟ ଲେଖିଥିବା ଘର ମାଲିକ କିନ୍ତୁ ସେହି ଯୁବକଙ୍କୁ ଜାଣିନାହାନ୍ତି। ହେଲେ ତାଙ୍କ ଘରର ସୁପରଭାଇଜରକୁ ହାତ କରି ଠକ ଯୁବକ OLXରେ ବିଜ୍ଞାପନ ଦେଇ ୨୦ରୁ ୨୫ ଜଣଙ୍କୁ ଘର ଦେଖାଇ ଅଗ୍ରୀମ ଭଡ଼ା ଆକାରରେ ଅଢେଇ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛି।

Advertisment

ଶିଖାଗୁପ୍ତାଙ୍କ ପରି ଆଉ ଜଣେ ଯୁବକ ସମାନ ଘରକୁ ଭଡ଼ାରେ ନେବା ପାଇଁ ୨ ମାସର ଆଡଭାନ୍ସ ଦେଇ ଠକାମୀର ଶିକାର ହୋଇଛନ୍ତି। ସେ ଯାଜପୁର ଜିଲ୍ଲାର ଶୁଭମ ଶାଶ୍ୱତ ପୋଥାଳ। ପେସାରେ ସେ ଜଣେ ସଫଟୱେର କର୍ମଚାରୀ। ସମାନ ଢଙ୍ଗରେ ତାଙ୍କୁ କେମିତି ଦଲାଲ ନିଜକୁ ମାଲିକ କହି ଘର ଦେଖାଇଥିଲେ। ସେ ମଧ୍ୟ ଘର ଦେଖିଲା ବେଳେ ଭିଡ଼ିଓ କରିଥିଲେ। ୨ ମାସର ଆଡ଼ଭାନ୍ସ ନେବା ପରେ ବାବୁଙ୍କ ଫୋନ୍ ସୁଇଚ ଅଫ୍। ସେ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଠକକୁ ଧରିବାକୁ ଜାଲ ବିଛାଇଛି।

ରାଜଧାନୀରେ ବାହାର ଲୋକଙ୍କ ସଂଖ୍ୟା ହୁ ହୁ ବଢୁଛି। ତେଣୁ ଭଡ଼ା ଘର ପାଇଁ ଲୋକେ ଘୁରି ବୁଲୁଛନ୍ତି। ଆଉ ଏଭଳି ସ୍ଥିତିରେ ବ୍ରୋକର ମାତୁଛନ୍ତି। ତେଣୁ କେମିତି ସେମାନଙ୍କ ଜାଲରୁ ମୁକୁଳିବେ? ସେ ବାଟ ବତାଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ। ଭଡ଼ା ଘର ଦେଖିବା ବେଳେ ପ୍ରଥମ ମାଲିକଙ୍କ ସହ ଯୋଗାଯୋଗ କରନ୍ତୁ। ଅନଲାଇନ୍ ଘରଭଡ଼ା ବିଜ୍ଞାପନଠୁ ଦୂରେଇ ରୁହନ୍ତୁ। ବିଜ୍ଞାପନର ସତ୍ୟାସତ୍ୟ ଯାଞ୍ଚ କରନ୍ତୁ। ଆଡ଼ଭାନସ୍ ଦେବାବେଳେ ପ୍ରମାଣ ସଂଗ୍ରହ କରନ୍ତୁ ଓ ଅଗ୍ରୀମ ନେଉଥିବାର ବ୍ୟକ୍ତି, ମାଲିକ ନା ନାହିଁ ତାହା ମଧ୍ୟ ପରଖନ୍ତୁ।

Bhubaneswar Bhubaneswar News Crime Fraud