Advertisment

୨ କୋଟି ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବା ସୂଚନା।

author-image
Debadatta Aryashrestha
Seized Brown Sugar

Seized Brown Sugar

ବାଲେଶ୍ୱର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ କଲା ଅବକାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ଅମଜାଦ ଖାନକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଏମାନେ ମଧ୍ୟପ୍ରଦେଶରୁ ବ୍ରାଉନ୍ ସୁଗାର ଆଣି କାରବାର ପାଇଁ ଅରଡ଼ ବଜାରରେ ନିଜ ଘରେ ଗଚ୍ଛିତ ରଖିଥିଲେ।

Advertisment

ଅରଡ଼ ବଜାରରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ଏହି ବ୍ରାଉନ୍ ସୁଗାର ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି। ତେବେ ଏନେଇ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ଚଢାଉ କରିଥିଲା। ଆଜି ସକାଳେ ଚଢ଼ାଉ ସମୟରେ ବାଲେଶ୍ଵର ଅରଡ଼ ବଜାର ନିକଟରେ ଗୋଟିଏ ଘରୁ ଦୁଇ କେଜି ବ୍ରାଉନ୍ ସୁଗାର ସହ ୫ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଓ ଜଣେ ଅଭିଯୁକ୍ତ ଅମଜାଦ ଖାନକୁ ଧରିବାରେ ସଫଳ ହୋଇଛି ବାଲେଶ୍ଵର ଅବକାରୀ ବିଭାଗ। ଜବତ ଦୁଇ କେଜି ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ବୋଲି କୁହାଯାଉଛି।

ଏନେଇ ବାଲେଶ୍ଵର ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀ କହିଛନ୍ତି ଯେ ବାଲେଶ୍ୱର ଅରଡ଼ ବଜାରରୁ ବ୍ରାଉନ୍ ସୁଗାର ଚାଲାଣ ହୋଉଥିବା ଖବର ଆମେ ପାଇଥିଲୁ। ଏହାକୁ ଧରିବା ପାଇଁ ଏକ ୧୫ ଜଣିଆ ଟିମ ଗଠନ କରାଯାଇଥିଲା। ସ୍ଥାନୀୟ ପୁଲିସର ସହାୟତା ମଧ୍ୟ ଆମେ ନେଇଥିଲୁ। ଅମଜାଦ ଖାନ ଓ ଶବିର ଖାନ ନାମକ ଦୁଇ ଅଭିଯୁକ୍ତଙ୍କ ଘରକୁ ରେଡ୍ କରାଯାଇଥିଲା। ସେଠାରୁ ୨ କେଜି ବ୍ରାଉନ୍ ସୁଗାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ତେବେ ଅମଜାଦ ଖାନକୁ ଗିରଫ କରାଯାଇଥିବାବେଳେ ଶବିର ଖାନ ଫେରାର୍ ଅଛି। ଘଟଣାରେ ଆଉ କାହାର ଲିଙ୍କ୍ ଅଛି ସେନେଇ ତଦନ୍ତ କରାଯାଉଥିବା ଅବକାରୀ ଅଧିକ୍ଷକ କହିଛନ୍ତି।

Advertisment
Brown Sugar Seized Balasore Brown Sugar Case 2kg Brown Sugar Seized