Advertisment

ଘର ଭିତରେ ନାବାଳିକାଙ୍କୁ ପିଟୁଥିଲେ ଓ ସିଗାରେଟ ଚେଙ୍କ ଦେଉଥିଲେ

ତାଙ୍କୁ ଗୋଟିଏ ଅନ୍ଧାର ଘର ଭିତରେ ବନ୍ଦୀ କରି ମଧ୍ୟ ରଖିଥିଲେ। ମହାରାଷ୍ଟ୍ରର ନାଗପୁରରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

author-image
Hemant Lenka
Nagpur

Nagpur

ମରିଗଲା ମାନବିକତା। ହଜିଗଲା ମଣିଷ ପଣିଆ। ଜଣେ ୧୨ ବର୍ଷୀୟ ଝିଅକୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ଗୋଟିଏ ପରିବାର ଲୋକମାନେ ନାବାଳିକାଙ୍କୁ ସେମାନଙ୍କ ଘରେ କାମ କରାଉଥିଲେ। ଏହି ସମୟରେ ସେମାନେ ତାଙ୍କୁ ପ୍ରବଳ ପିଟୁଥିଲେ। ସିଗାରେଟ ଚେଙ୍କ ଦେଉଥିଲେ।

Advertisment

ଏଥିସହ ତାଙ୍କୁ ଗୋଟିଏ ଅନ୍ଧାର ଘର ଭିତରେ ବନ୍ଦୀ କରି ମଧ୍ୟ ରଖିଥିଲେ। ମହାରାଷ୍ଟ୍ରର ନାଗପୁରରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ନାଗପୁରର ଅର୍ଥବ ନାଗାରି ସୋସାଇଟିରେ ରହୁଥିବା ଗୋଟିଏ ପରିବାର ଜଣେ ୧୨ ବର୍ଷୀୟ ଝିଅକୁ ଘର କାମ ପାଇଁ ଆଣିଥିଲେ। ତେବେ ଛୋଟ ପିଲାଟିକୁ ଘର କାମରେ ନିୟୋଜିତ କରିବା ପରେ ପରିବାରର ସଦସ୍ୟମାନେ ତାଙ୍କ ଉପରେ ଆରମ୍ଭ କରିଥିଲେ ନିର୍ଯାତନା।

Advertisment

ସେ କୌଣସି ଭୁଲ କଲେ ତାଙ୍କୁ ପରିବାରର ସଦସ୍ୟମାନେ ତତଲା ତାୱା ଓ ସିଗାରେଟ ନିଆଁରେ ଚେଙ୍କ ଦେଉଥିଲେ। ତାଙ୍କୁ ସେମାନେ ପ୍ରବଳ ପିଟିବାକୁ ମଧ୍ୟ ପଛାଉ ନଥିଲେ। ନାବାଳିକାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଚିହ୍ନ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପରିବାରର ସଦସ୍ୟମାନେ ଯେତେବେଳେ ବେଙ୍ଗାଲୁରୁ ଯାଇଥିଲେ ସେତେବେଳେ ସେମାନେ ନାବାଳିକାଙ୍କୁ ଗୋଟିଏ ଘର ଭିତରେ ଭର୍ତ୍ତି କରି ବାହାରକୁ ତାଲା ପକାଇ ଦେଇଥିଲେ। ସେ ୪ ଦିନ କାଳ ଘର ଭିତରେ ବନ୍ଦୀ ହୋଇ ରହିଥିଲେ।

ପଡ଼ୋଶୀମାନେ ଝିଅଟିକୁ ଏପରି ଭୟଙ୍କର ନର୍କରୁ ଉଦ୍ଧାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଘର ଭିତରେ ବନ୍ଦୀ ହୋଇ ରହିଥିବା ବେଳେ ଝିଅଟି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ଓ ଝରକା ଭାଙ୍ଗି ବାହାରକୁ ଆସିବା ପାଇଁ ଚେଷ୍ଟା କରିବା ବେଳେ ପଡ଼ୋଶୀମାନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ପଡ଼ୋଶୀମାନେ ଘର ଭିତରୁ ତାଙ୍କୁ ବାହାର କରିବା ସହ ଖାଦ୍ୟ ଓ ପାଣି ଦେଇଥିଲେ। ଏହାପରେ ପୁଲିସ୍‌କୁ ସୂଚନା ମିଳିଥିଲା।

ପଡ଼ୋଶୀଙ୍କ କହିବା କଥା ଯେ ନାବାଳିକାଙ୍କୁ କାମ କରାଉଥିବା ପରିବାର ପକ୍ଷରୁ ଘର ପାଇଁ ବିଜୁଳି ବିଲ୍‌ ଦିଆଯାଇ ନଥିଲା। ତେଣୁ ବିଜୁଳି ସଂଯୋଗ କାଟି ଦିଆଯାଇଥିଲା। ଫଳରେ ନାବାଳିକା ଜଣଙ୍କ ଅନ୍ଧାର ଭିତରେ ରାତି କାଟିବାକୁ ବାଧ୍ୟ ହୋଇଥିଲେ। ସେହିପରି ତାଙ୍କୁ ମାତ୍ର ଗୋଟିଏ ରୁଟି ହିଁ ଖାଇବାକୁ ମିଳିଥିଲା।

ଜଣେ ପଡ଼ୋଶୀ କହିଛନ୍ତି, “ଆମେ ଗୋଟିଏ ଦିନ ରାତିରେ ଦେଖିବାକୁ ପାଇଥିଲୁ ଯେ ନାବାଳିକା ଜଣଙ୍କ ଝରକା ବାଟେ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ। ଆମେ ତାଙ୍କୁ ଉଦ୍ଧାର କରିବା ସହ ଖାଇବାକୁ ଦେଇଥିଲୁ। ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ଜଣାଇଥିଲୁ।”

ପିଲାଟିକୁ ଉପଯୁକ୍ତ ଶିକ୍ଷା ଦିଆଯିବ ଓ ତାଙ୍କର ଯତ୍ନ ନିଆଯିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ତାଙ୍କ ବାପା ମା’ଙ୍କ ଠାରୁ ନାଗପୁର ଅଣାଯାଇଥିଲା। ହେଲେ ଏଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା।

ସମାଜିକ କର୍ମୀ ତଥା କୈଳାସ ସତ୍ୟାର୍ଥୀ ଚିଲିଡ୍ରେନ ଫାଉଣ୍ଡେସନର ସଦସ୍ୟ ଶୀତଲ ପାଟିଲ କହିଛନ୍ତି, ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ପିଲାଟିର ମେଡିକାଲ ପରୀକ୍ଷା ହୋଇଛି। ଏହି ସମୟରେ ତାଙ୍କ ଶରୀରରୁ ଅନେକ ସ୍ଥାନରେ କ୍ଷତ ଚିହ୍ନ ଓ ଚେଙ୍କ ଦିଆଯାଇଥିବା ଚିହ୍ନ ଠାବ ହୋଇଛି। ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ କ୍ଷତ ଚିହ୍ନ ରହିଛି। ଏବେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ପରିବାର ଲୋକଙ୍କ ନାଁରେ ପୁଲିସ୍‌ ମାମଲା କରି ଘଟଣାର ଅଧିକ ତଦନ୍ତ କରୁଛି।

Maharashtra Police Maharashtra