Advertisment

ବାହାଘର ପ୍ରସ୍ତାବ ଗ୍ରହଣ କଲେନି ପ୍ରେମିକା, ଛୁରୀ ଭୁଷି ଦେଲେ ପ୍ରେମିକ

୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଏକାଧିକ ଥର ଛୁରୀ ଭୁଷିବା ପରେ ସିଧା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ

author-image
Hemant Lenka
Farida

Farida

ତୁ ଯଦି ମୋର ନୁହଁ, ତା’ହେଲେ ତତେ ମୁଁ ଆଉ କାହାର ହେବାକୁ ଦେବନି। ଏତେ ଦିନ ମୋତେ ପ୍ରେମ କଲୁ। ଆଉ ଏବେ ବାହା ହେବାକୁ ମନା କରୁଛୁ। ବାସ୍‌ ଏମିତି କିଛି କହି ବାହାଘର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ପ୍ରେମିକାଙ୍କୁ ଛୁରୀ ଭୁଷି ହତ୍ୟା କରି ଦେଇଛନ୍ତି ଜଣେ ହତାଶ ପ୍ରେମିକ।

Advertisment

ବେଙ୍ଗାଲୁରୁରେ କ୍ୟାବ୍‌ ଚଳାଇ ଜୀବିକା ନିର୍ଭାୟ କରୁଥିବା ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଏକାଧିକ ଥର ଛୁରୀ ଭୁଷିବା ପରେ ସିଧା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ପୁଲିସ୍‌ ଆଗରେ ନିଜର ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି। ପ୍ରେମିକ ଠାରୁ ଖବର ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାର ମୃତଦେହକୁ ଜବତ କରିଛି।

ଶନିବାର ଶାଲିନୀ ଗ୍ରାଉଣ୍ଡରେ ପୂରା ଘଟଣା ଘଟିଛି। ଅଭିଯୁକ୍ତ ପ୍ରେମିକ ଜଣଙ୍କ ହେଲେ ବେଙ୍ଗାଲୁରୁର ଜୟାନଗରରେ ରହୁଥିବା ଗିରିଶ। ସେ ୪୨ ବର୍ଷୀୟ ଫରିଦା ଖାତୁନଙ୍କୁ ଭଲ ପାଉଥିଲେ। ଫରଦାଙ୍କ ଘର ପଶ୍ଚିମବଙ୍ଗରେ। ସେ ବେଙ୍ଗାଲୁରୁର ଗୋଟିଏ ସ୍ପାରେ କାମ କରୁଥିଲେ।

Advertisment

ଭଉଣୀ ପାଇଁ ଉପଯୁକ୍ତ ବର ନ ମିଳିବାରୁ ଗିରିଶ ୨୦୧୧ରେ ଇସଲାମ ଗ୍ରହଣ କରିଥିଲେ। ପରେ ପୁଣି ସେ ନିଜ ପୁରୁଣା ଧର୍ମକୁ ଫେରିଥିଲେ। କିନ୍ତୁ ଇସଲାମର କିଛି ପରମ୍ପରା ସେ ନିଜ ଇଚ୍ଛା ଅନୁସାରେ ପାଳନ କରୁଥିଲେ। ଏସବୁ ଭିତରେ ଫରିଦାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଫରିଦା ବିବାହିତ ଥିଲେ ମଧ୍ୟ ଗିରିଶଙ୍କୁ ପ୍ରେମ କରୁଥିଲେ।

ମାର୍ଚ୍ଚ ୨୬ରେ ଫରିଦା ପଶ୍ଚିମବଙ୍ଗରୁ ନିଜର ଦୁଇ ଝିଅଙ୍କ ସହ ବେଙ୍ଗାଲୁରୁକୁ ଆସିଥିଲା। ଗିରିଶଙ୍କ ଜନ୍ମ ଦିନ ମାର୍ଚ୍ଚ ୨୯ରେ ଥିବାରୁ ସେ ୨୬ରେ ଏଠାକୁ ଆସିଥିଲେ। ତାଙ୍କ ଝିଅର ମଧ୍ୟ କଲେଜରେ ନାଁ ଲେଖାଇବାର ଥିଲା।

ଘଟଣା ଦିନ ଗିରିଶ, ଫରିଦା ଓ ଦୁଇ ଝିଅ ଏକାଠି ଶପିଂ କରିବା ସହ ଲଞ୍ଚ କରିଥିଲେ। ପରେ ସେମାନେ ହୋଟେଲରେ ରହିଥିଲେ। ସନ୍ଧ୍ୟା ବେଳେ ଗିରିଶ ଓ ଫରିଦା ଶାଲିନୀ ଗ୍ରାଉଣ୍ଡକୁ ଯାଇଥିଲେ। ସେଠାରେ ଗିରିଶ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହା ଫରିଦା ଅଗ୍ରାହ୍ୟ କରି ଦେଇଥିଲେ।

ଏଥିରେ ରାଗି ଯାଇ ଗିରିଶ ତାଙ୍କୁ ଏକାଧିକ ଥର ଛୁରୀ ଭୁଷି ଦେଇଥିଲେ ଓ ଜୟାନଗର ପୁଲିସ୍‌ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ।

ଡିସିପି (ଦକ୍ଷିଣ) ଶିବପ୍ରକାଶ ଦେବରାଜୁ କହିଛନ୍ତି, ୩୦୨ ଦଫାରେ ମାମଲା ହୋଇଛି। ୧୧୨ ନମ୍ବରକୁ ରାତି ପ୍ରାୟ ୮.୩୦ରେ ଗୋଟିଏ ଫୋନ ଆସିଥିଲା। ଶାଲିନୀ ଗ୍ରାଉଣ୍ଡ ପାଖରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା।

ଫରିଦା ଓ ଗିରିଶ ପରସ୍ପରକୁ ୧୦ ବର୍ଷ ହେଲା ଜାଣିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ପୂର୍ବରୁ ମଧ୍ୟ ଗିରିଶ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ମନା କରି ଚାଲିଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଯୁକ୍ତିତର୍କ ହେଉଥିଲା। ଘଟଣା ସ୍ଥଳରେ ଥିବା ଜଣେ ଫଳ ବ୍ୟବସାୟୀ ଓ ଆଉ କିଛି ଲୋକଙ୍କ ବୟାନ ରେକର୍ଡ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ଶିବପ୍ରକାଶ କହିଛନ୍ତି।

Crime Bengaluru