Firing
କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନି। କାନାଡାର ସୁରେ ସହରରେ ଘଟିଛି ଏପରି ଘଟଣା।
ସୁରେ ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ପୂଜା ସତୀଶ କୁମାରଙ୍କ ବଡ଼ ପୁଅଙ୍କ ଘର ଉପରକୁ ଏହି ଫାୟାରିଂ ହୋଇଥିବା ଜଣାଯାଇଛି। ଗତ ବୁଧବାର ସକାଳେ କିଛି ଆତତାୟୀ ପହଞ୍ଚି ଆଖି ବୁଜା ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲେ। ସେମାନେ ପ୍ରାୟ ୧୪ ରାଉଣ୍ଡ ଗୁଳି ଚଳାଇଥିବା ସତୀଶ କୁମାର ସୂଚନା ଦେଇଛନ୍ତି।
ଖବର ପାଇ ପୁଲିସ୍ ତୁରନ୍ତ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା କରିବା ସହ ଆଖପାଖର ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଚଲାଇଛି।
ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଅଛି ନା ଆଉ କାହାର ହାତ ତାହା ସ୍ପଷ୍ଟ ହୋଇ ପାରିନି। ପୁଲିସ୍ ଘଟଣାର ତଦନ୍ତ କରୁଥିବାରୁ କିଛି ସଠିକ୍ ସୂଚନା ମିଳି ପାରି ନ ଥିବା କହିଛନ୍ତି ସତୀଶ କୁମାର। ଏଥିରେ କେହି ଆହତ କିମ୍ବା ମୃତାହତ ହୋଇ ନ ଥିବା ବେଳେ ଘର ଚାରିପଟେ ଗୁଳି ମାଡ଼ର ଦାଗ ସ୍ପଷ୍ଟ ଜଣାପଡ଼ୁଛି।
କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ହିଂସାତ୍ମକ ଘଟଣା ବଢ଼ି ଚାଲିଥିବା ବେଳେ ମନ୍ଦିରଗୁଡ଼ିକୁ ଟାର୍ଗେଟ କରାଯାଉଛି। କିଛି ଦିନ ପୂର୍ବେ ସୁରେସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ବ୍ରାମ୍ପଟନ୍ସ୍ଥିତ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା।
ସ୍ୱତନ୍ତ୍ର ଶିଖ୍ ରାଜ୍ୟ ଦାବିରେ ଖଲିସ୍ତାନୀ ଆତଙ୍କବାଦୀ ଏପରି ହିଂସାତ୍ମକ କାର୍ଯ୍ୟକଳାପ ଘଟାଉଥିବା ଅଭିଯୋଗ ହେଉଛି। ତୁରନ୍ତ ଏପରି ଆତତାୟୀ କାର୍ଯ୍ୟକଳାପକୁ ବନ୍ଦ କରିବା ସହ କାନାଡ଼ାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକ ତଥା ମନ୍ଦିରକୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
