Canara Bank
ପୂରା ଯୋଜନାବଦ୍ଧ ଭାବେ ବେଶ ନାଟକୀୟ ଢଙ୍ଗରେ ବ୍ୟାଙ୍କରୁ ଲୁଟ ହୋଇଛି ୫୯ କେଜି ଓଜନର ସୁନା ଅଳଙ୍କାର ଓ ୫.୨ ଲକ୍ଷ ନଗଦ ଟଙ୍କା। ଲୁଟେରାମାନେ କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାରେ ଥିବା କାନାରା ବ୍ୟାଙ୍କର ଗୋଟିଏ ବ୍ରାଞ୍ଚରୁ ଏପରି ଲୁଟ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି ଯେ ଲୁଟ କରିବା ପରେ ସେମାନେ ଗୋଟିଏ କଳା ରଙ୍ଗର କଣ୍ଢେଇ ବ୍ୟାଙ୍କରେ ଛାଡ଼ି ଯାଇଛନ୍ତି। ଏଥିରେ ଗୁଣି ଗାରେଡ଼ି ବେଳେ ଯେମିତି କଣ୍ଢେଇରେ ହଳଦୀ ଲଗା ଯାଏ, ସେଭଳି ମଧ୍ୟ କରାଯାଇଛି। ଲୁଟେରାମାନେ ପୁଲିସ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏପରି କରିଥିବା କୁହାଯାଉଛି।
ରବିବାର ଅର୍ଥାତ ମେ’ ୨୫ରେ ସମ୍ଭବତଃ ବ୍ୟାଙ୍କରୁ ଲୁଟ କରାଯାଇଛି। ମାନାଗୁଲି ସହରରେ ଥିବା କାନାରା ବ୍ୟାଙ୍କର ଏହି ବ୍ରାଞ୍ଚ ରବିବାର ଯୋଗୁ ବନ୍ଦ ରହିଥିଲା। ଏହାର ଫାଇଦା ଉଠାଇ ଲୁଟ କରାଯାଇଛି। ବିଜୟପୁରା ଏସ୍ପି ଲକ୍ଷ୍ମଣ ନିମ୍ବାରଗି କହିଛନ୍ତି ଯେ ସୋମବାର ସକାଳେ ବ୍ୟାଙ୍କ ସଫା କରିବାକୁ ଆସିଥିବା କର୍ମଚାରୀ ପ୍ରଥମେ ଲୁଟ ସମ୍ପର୍କରେ ଖବର ପାଇଥିଲେ।
ତାଙ୍କ କହିବା କଥା ମେ’ ୨୬ ତାରିଖରେ କାନାରା ବ୍ୟାଙ୍କର ମ୍ୟାନେଜର ଲୁଟ ନେଇ ଅଭିଯୋଗ କରିଥିଲେ। ମେ’ ୨୪ ତାରିଖ ୪ର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିଥିଲା। ସୋମବାର ପାର୍ଟ ଟାଇମ ସୁଇପର ସଫା କରିବାକୁ ଆସିବା ବେଳେ ବ୍ୟାଙ୍କର ଶଟର ଲକ ଖୋଲା ଥିବା ଦେଖିଥିଲେ। ଏହାପରେ ସେ ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ।
ପୁଲିସ୍ ଟିମ ଭଲ ଭାବେ ଯାଞ୍ଚ କରିବା ପରେ ବ୍ୟାଙ୍କରୁ ୫୯ କେଜି ଓଜନର ସୁନା ଅଳଙ୍କାର ଲୁଟ ହୋଇଥିବା ଜଣାପଡ଼ିଛି। ଏହି ସବୁ ସୁନା ଗ୍ରାହକମାନଙ୍କର। ସେମାନେ ବ୍ୟାଙ୍କରେ ଏହାକୁ ବନ୍ଧା ରଖି ଋଣ ନେଇଥିଲେ। ଲୁଟରେ ପ୍ରାୟ ୬ରୁ ୮ ଜଣ ସାମିଲ ଥିବା ଜଣାପଡ଼ିଛି। ସେମାନେ ଡୁପ୍ଲିକେଟ ଚାବି ଦ୍ୱାରା ସୁନା ରହିଥିବା ନିର୍ଦ୍ଦିଷ୍ଟ ଲକରକୁ ଖୋଲିଥିଲେ। ଲୁଟ ପୂର୍ବରୁ ସେମାନେ ଦୁଇ ଦିନ ଧରି ବ୍ୟାଙ୍କରେ ରେକି କରିଥିଲେ।
ସେମାନେ ମୁଖ୍ୟ ପ୍ରବେଶ ଲକ ଭାଙ୍ଗିଛନ୍ତି, ସତର୍କ ଘଣ୍ଟିକୁ ଅଚଳ କରିଛନ୍ତି ଓ ଏହା ପରେ ଚୋରି କରିଛନ୍ତି। ଆଉ ଏକ ଲକରରେ ମଧ୍ୟ ସୁନା ରହିଥିଲା। କିନ୍ତୁ ସେମାନେ ଏହାକୁ ସ୍ପର୍ଶ ବି କରି ନାହାନ୍ତି। ତେଣୁ ବ୍ୟାଙ୍କର ଆଭ୍ୟନ୍ତରୀଣ ବିଷୟବସ୍ତୁ ସମ୍ପର୍କରେ ପୂର୍ବରୁ ଲୁଟେରାମାନଙ୍କୁ ସୂଚନା ଥିବା ପୁଲିସ୍ ସନ୍ଦେହ କରୁଛି।
ଗୋଟିଏ ଭଙ୍ଗା ଝରକା ପାଖରେ ଲୁଟେରାମାନେ ଗୋଟିଏ କଳା ରଙ୍ଗର କଣ୍ଢେଇ ଛାଡ଼ି ଯାଇଛନ୍ତି। ଗୁଣି ଗାରେଡ଼ି ଦିଗକୁ ଏହା ଇଙ୍ଗିତ କରୁଛି। କିନ୍ତୁ ପୁଲିସ୍ର ତଦନ୍ତକୁ ବାଟମଣା କରିବା ପାଇଁ ଏହା ଲୁଟେରାମାନଙ୍କ ଚାଲ ବୋଲି ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି।
ଚୋରି ବେଳେ ବ୍ୟାଙ୍କରେ ପ୍ରାୟ ୫୩ କୋଟିର ସୁନା ଓ ୭ ଲକ୍ଷ ନଗଦ ଟଙ୍କା ରହିଥିଲା। ହେରନାଲ ଓ ହୁବ୍ବାଲି ଭଳି ପଡ଼ୋଶୀ ଜିଲ୍ଲାର ଲୋକମାନେ ଏହି ବ୍ରାଞ୍ଚରେ ସୁନା ବନ୍ଧା ରଖି ଋଣ ନିଅନ୍ତି। ଲୁଟର ପରିମାଣକୁ ଦେଖିଲେ, ଏହା ଦେଶର ଅନ୍ୟତମ ବଡ଼ ବ୍ୟାଙ୍କ ଡକାୟତି ମାମଲା ବୋଲି ଜଣେ ଗ୍ରାହକ ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1748946696.jpg)