Advertisment

ସରକାରୀ କଲ୍ୟାଣମଣ୍ଡପରେ ଗଞ୍ଜେଇ ଚାଷ

ଗଛ ଗୁଡ଼ିକ ୩ ମାସର ହେବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରତାରେ ଏହି ଗଞ୍ଜେଇ ଚାଷ ହୋଇଛି।

author-image
Manoranjan Sial
Sonpur

Sonpur

ଟାଉନ୍ ଭିତରେ ଥିବା ସରକାରୀ କଲ୍ୟାଣମଣ୍ଡପ ପରିସରରେ ହୋଇଛି ଗଞ୍ଜେଇ ଚାଷ। ତାହା ପୁଣି ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ। ହେଲେ ଏ ସମ୍ପର୍କରେ ଅବକାରୀ ବିଭାଗ ପାଖରେ କୌଣସି ଖବର ନାହିଁ। ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସଦର ମହକୁମାରେ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ମଧ୍ୟ ଭାଗରେ ରହିଛି ମଙ୍ଗଳବାର ବଜାର। ଏଇଠି ପୌର ପରିଷଦ ପକ୍ଷରୁ ନିର୍ମାଣ ହୋଇଛି କଲ୍ୟାଣ ମଣ୍ଡପ। ଆଉ ସେହି କଲ୍ୟାଣମଣ୍ଡପ ପରିସରରେ ଗଞ୍ଜେଇ ଚାଷ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ୧୦ରୁ ଅଧିକ ଗଛ ଲାଗିଥିବା ଦେଖିବାକୁ ମିଳିଛି। ଯେଉଁ ଗଛ ଗୁଡ଼ିକ ଲାଗିଛି, ତାହାର ଉଚ୍ଚତା ୩ରୁ ୪ ଫୁଟ୍‌ରୁ ଅଧିକ ହେବ। ଗଛ ଗୁଡ଼ିକ ୩ ମାସର ହେବ ବୋଲି ଅନୁମାନ କରାଯାଉଛି। ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରତାରେ ଏହି ଗଞ୍ଜେଇ ଚାଷ ହୋଇଛି। ତେବେ ସେହି ଗଞ୍ଜେଇ ଗଛ କିଏ ରୋପଣ କରିଛି, ତାହା ଜଣାପଡ଼ି ନାହିଁ।

ସବୁଠାରୁ ବଡ଼କଥା ହେଉଛି ଗତ କିଛି ଦିନ ହେଲା କଲ୍ୟାଣମଣ୍ଡପ ପାଚେରୀର ରଙ୍ଗ ଦିଆଯାଉଛି। କ୍ୟାମ୍ପସ୍‌ ପରିସର ଓ ବାହାରେ ସଫେଇ କରାଯାଉଛି। ଅତି ଯତ୍ନର ସହକାରେ ଗଞ୍ଜେଇ ଗଛ ଚାରି ପାର୍ଶ୍ୱରେ ଥିବା ଅନାବନା ଲତା ଗୁଡ଼ିକ କାଟା ଯାଇଛି। ହେଲେ ସେହି ଗଞ୍ଜେଇ ଗଛ ଗୁଡ଼ିକୁ କଟା ଯାଉନି। ଏହାର ଅର୍ଥ ଯୋଜନା ବଦ୍ଧ ଭାବେ ଏଠାରେ ଗଞ୍ଜେଇ ଚାଷ ହେଉଛି। ଆଉ ଏ ସମ୍ପର୍କରେ ପୌର କର୍ମଚାରୀମାନେ ନିଶ୍ଚିତ ଜାଣିଥିବେ ବୋଲି ଚର୍ଚ୍ଚା ହେଉଛି।

Advertisment

ଟାଉନ୍‌ ଭିତରେ ଗଞ୍ଜେଇ ଚାଷ ନେଇ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନଥିବା ବେଳେ ଜିଲ୍ଲା ଅବକାରୀ ଏସ୍‌ପି ପ୍ରବୀର କୁମାର ସାମଲ କହିଛନ୍ତି, ଏ ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ। ଯଦି ଆପଣଙ୍କ ପାଖରେ କିଛି ସୂଚନା ଅଛି ଦିଅନ୍ତୁ। ସେ ଗୁଡ଼ିକ କାଟିବାର ବ୍ୟବସ୍ଥା କରାଯିବ। ସାଧାରଣତଃ ଏହି ସମୟରେ ଗଛ ରୋପଣ କରାଯାଏ। ଯଦି କେହି ରୋପଣ କରିଥିବ, ତାହାହେଲେ ଛୋଟ ଛୋଟ ଗଛ ହୋଇଥିବ। ସେ ଗୁଡ଼ିକ କାଟି ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Crime Subarnpur