Advertisment

ହୋଟେଲ ମାଲିକଙ୍କୁ ମାରିଥିଲା କେୟାରଟେକର୍, ବାନ୍ଧିଲା ପୁଲିସ୍‌

ସୁଙ୍କି କ୍ରମଶଃ ବିଶ୍ୱଜିତଙ୍କ ଘରକୁ ଯିବା ସହ ସେଠାରେ ତାଙ୍କ କେୟାରଟେକର ହିସାବରେ ରହୁଥିଲେ। ମାତ୍ର ମଝିରେ ମଝିରେ ସୁଙ୍କି ଆଶ୍ରମ ଯିବାକୁ ଚାହୁଁଥିବା ବେଳେ ବିଶ୍ୱଜିତ ଏହାକୁ ବିରୋଧ କରୁଥିଲା।

ଅଦ୍ୟତନ ହୋଇଛି
Murder Case

Murder Case

Advertisment

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଅଭିଯୁକ୍ତ କେୟାରଟେକରଙ୍କୁ ବାନ୍ଧିଛି କମିଶନରେଟ ପୁଲିସ । ଅଭିଯୁକ୍ତଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା।

Advertisment

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଡିସିପିଙ୍କ ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ସୁଙ୍କି ରଣା ୨୦୦୫ ମସିହାରେ ନିଜ ଯା’କୁ ହତ୍ୟା କରି ଜେଲ୍‌ ଯାଇଥିଲେ। ନିଜ ସ୍ୱାମୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେ ନିଜ ଯା’କୁ ହତ୍ୟା କରି ଦେଇଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ୧୨ ବର୍ଷ ଜେଲ୍‌ରେ ଥିଲେ।

ଜେଲ୍‌ରୁ ମୁକୁଳିବା ପରେ ସେ ପୁରୀର ଏକ ଆଶ୍ରମରେ ରହୁଥିଲେ। ଉକ୍ତ ଆଶ୍ରମରେ ବିଶ୍ୱଜିତଙ୍କ ମା’ ବି ରହୁଥିଲେ। ବିଶ୍ୱଜିତ ସେଠାକୁ ଯିବା ଆସିବା କରୁଥିବା ବେଳେ ସୁଙ୍କିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହାପରେ ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା।

Advertisment

ସୁଙ୍କି କ୍ରମଶଃ ବିଶ୍ୱଜିତଙ୍କ ଘରକୁ ଯିବା ସହ ସେଠାରେ ତାଙ୍କ କେୟାରଟେକର ହିସାବରେ ରହୁଥିଲେ। ମାତ୍ର ମଝିରେ ମଝିରେ ସୁଙ୍କି ଆଶ୍ରମ ଯିବାକୁ ଚାହୁଁଥିବା ବେଳେ ବିଶ୍ୱଜିତ ଏହାକୁ ବିରୋଧ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଉଥିଲା।

ଗତ ୧୪ ତାରିଖ ଦ୍ୱିପ୍ରହରରେ ଉଭୟ ବାଲିଅନ୍ତାସ୍ଥିତ ଘରେ ଥିବା ବେଳେ ସେମାନଙ୍କ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ସୁଙ୍କି ଏକ କାଠ ଫାଳିଆରେ ବିଶ୍ୱଜିତ ମୁଣ୍ଡକୁ ବାରମ୍ବାର ପିଟିବାକୁ ଲାଗିଥିଲା। ବିଶ୍ୱଜିତ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେ ତଳେ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୂ ଉଡ଼ି ଯାଇଥିଲା।

ସନ୍ଧ୍ୟା ହୋଇଯିବା ପରେ ସୁଙ୍କି ସେଠାରୁ ଫେରାର ହୋଇ ପବ୍ଲିକ ଟ୍ରାନ୍ସପୋର୍ଟରେ ପୁରୀ ପଳାଇଥିଲା। କମିଶନରେଟ ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିବା ପରେ ପୁରୀରୁ ସୁଙ୍କିଙ୍କୁ ଗିରଫ କରିଛି। ହିତାହିତ ଜ୍ଞାନ ହରାଇ ବସି ସୁଙ୍କି ଏପରି ନିର୍ମମ କାଣ୍ଡ ଘଟାଇଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି।

ପୁଲିସ୍‌ ତାଙ୍କୁ ସେଠାରୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡ ବେଳେ ସେ ପିନ୍ଧିଥିବା ବସ୍ତ୍ର ଓ ତାଙ୍କ ଫୋନ୍‌ ଜବତ କରିଛି। ଏଥିସହ ପୁଲିସ୍‌ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ବି ଜବତ କରି ଫରେନସିକ ଟେଷ୍ଟ ପାଇଁ ପଠାଇଛି। ଆବଶ୍ୟକ ପଡ଼ିଲେ ସୁଙ୍କିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ବିଶ୍ୱଜିତ ନାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ବିଶ୍ୱଜିତଙ୍କ ଘରେ ସୁଙ୍କି କେୟାର ଟେକର କାମ କରୁଥିବା ବେଳେ ତାଙ୍କ ହତ୍ୟା ପରଠୁ ସେ ଫେରାର ହୋଇ ଯାଇଥିଲେ। ତେଣୁ ସେ ପୁଲିସ୍‌ର ସନ୍ଦେହଘେରକୁ ଆସି ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପୁରୀରୁ ଗିରଫ କରିଥିଲା।

Bhubaneswar Murder Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe