Advertisment

ସମ୍ବଲପୁର ଜିଲ୍ଲା ବିଜେପି ସଭାପତିଙ୍କ ନାଁରେ ଥାନାରେ ମାମଲା

ପ୍ରଶାନ୍ତ କୁମାର ଦାନୀ ନାମକ ଜଣେ ଠିକାଦାରଙ୍କ ଅଭିଯୋଗକ୍ରମେ ଗିରିଶଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ।

Girish Patel

Girish Patel

Advertisment

ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶଚନ୍ଦ୍ର ପଟେଲ ଓ ତାଙ୍କର ସହଯୋଗୀ ସରୋଜ ଘଡ଼େଇଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ପ୍ରଶାନ୍ତ କୁମାର ଦାନୀ ନାମକ ଜଣେ ଠିକାଦାରଙ୍କ ଅଭିଯୋଗ ଆଧାରରେ ଗତ ୧୧ ତାରିଖ ଦିନ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଠିକା କାମ କରାଇ ଦେବା ନାଁରେ ଗିରିଶଚନ୍ଦ୍ର ପଟେଲ ପିସି ମାଗୁଥିବା ଓ ଘରକୁ ଡକାଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଠିକାଦାର ପ୍ରଶାନ୍ତ କୁମାର ଦାନୀ।

Advertisment

ସେ ଅଭିଯୋଗ କରିଛନ୍ତି ଯେ ଜଳ ସେଚନ ବିଭାଗରେ ୧୫ ଲକ୍ଷ ଟଙ୍କାର ୩ଟି କାମ କରାଇ ଦେବା ପାଇଁ ଗିରିଶଚନ୍ଦ୍ର ପଟେଲଙ୍କ ସହିତ ୫ ପ୍ରତିଶତ ପିସିରେ କଥା ଛିଡ଼ିଥିଲା। ଗିରିଶଚନ୍ଦ୍ର ପଟେଲଙ୍କ ସୁପାରିସ ଆଧାରରେ ତାଙ୍କୁ ୩ଟି ଯାକ ଠିକା କାମ ମିଳିଥିଲା। ଇତି ମଧ୍ୟରେ ସେ କାମ ସାରି ଦେଇଥିଲେ ମଧ୍ୟ ବିଭାଗ ପକ୍ଷରୁ ବିଲ୍ ବାବଦ ଟଙ୍କା ତାଙ୍କୁ ମିଳିନାହିଁ। ପୂର୍ବ କଥା ଅନୁସାରେ ସେ ଗିରିଶଚନ୍ଦ୍ର ପଟେଲଙ୍କୁ ୫ ପ୍ରତିଶତ ହାରରେ ୧୫ ଲକ୍ଷ ଟଙ୍କାର କାମ ପାଇଁ ୭୫ ହଜାର ଟଙ୍କା ପିସି ଦେବା କଥା। କିନ୍ତୁ ଶ୍ରୀ ପଟେଲ ତାଙ୍କର ଜଣେ ଦଳୀୟ ସହଯୋଗୀଙ୍କ ଜରିଆରେ ୮ ପ୍ରତିଶତ ପିସି ମାଗିଥିଲେ। ତେଣୁ ସେ ଅସହମତ ହୋଇଥିଲେ। ଏହା ପରେ ଗିରିଶ ତାଙ୍କର ଜଣେ ସମର୍ଥକଙ୍କ ଜରିଆରେ ତାଙ୍କୁ ନିଜ ଘରକୁ ଡକାଇ ପ୍ରବଳ ମାଡ଼ ମାରିଥିଲେ। ସେ ସେଠାରୁ ଫେରିବା ପରେ ଗିରିଶ ଚନ୍ଦ୍ର ପଟେଲଙ୍କ ଜଣେ ସହଯୋଗୀଙ୍କୁ ୫ ପ୍ରତିଶତ ପିସି ହିସାବରେ ୭୫ ହଜାର ଟଙ୍କାର ଏକ ଚେକ୍ ଦେଇଥିଲେ। କିନ୍ତୁ ତାଙ୍କର ସେହି ସହଯୋଗୀ ଉକ୍ତ ଚେକ୍‌କୁ ଗ୍ରହଣ କରି ନଥିଲେ। ଏହା ପରେ ସେ ଠିକାଦାର ସଂଘ ସହାୟତାରେ ଟାଉନ୍ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଗିରିଶ ପଟେଲ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ। କିଛି ଲୋକ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଖୁବଶୀଘ୍ର ସେ ସେହି ଲୋକମାନଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିବେ। ପିସି କଥା ସଂପୂର୍ଣ୍ଣ ମିଛ। ନିର୍ବାଚନ ପୂର୍ବରୁ ସରୋଜ ଘଡ଼େଇ ଓ ପ୍ରଶାନ୍ତ କୁମାର ଦାନୀ ମିଶିକି କାମଟେ କରିଥିଲେ। ସେ ହିଁ ସେମାନଙ୍କୁ ସେହି କାମ କରାଇ ଦେଇଥିଲେ। କିନ୍ତୁ କାମ ସରିବା ପରେ ସରୋଜଙ୍କୁ ଏଯାବତ ଟଙ୍କା ଦେଇ ନାହାନ୍ତି ପ୍ରଶାନ୍ତ କୁମାର ଦାନୀ। ସରୋଜ ବାରମ୍ବାର ମାଗିବା ସତ୍ତ୍ୱେ ପ୍ରଶାନ୍ତ ଦାନୀ ତାଙ୍କୁ ଟଙ୍କା ଦେଇ ନଥିଲେ। ତେଣୁ ସରୋଜ ତାଙ୍କ ପାଖକୁ ଆସି ଏହା ସମାଧାନ କରି ଦେବାକୁ କହିଥିଲେ। କାରଣ ସେ ଉଭୟ ସରୋଜ ଓ ପ୍ରଶାନ୍ତଙ୍କୁ ଜାଣନ୍ତି। ତେଣୁ ସେ ଦୁଇ ଜଣଙ୍କୁ ଘରକୁ ଡାକି କଥା ହୋଇଥିଲା। ସେତେବେଳେ ଘରେ ଆହୁରି ୧୫ରୁ ୧୭ ଜଣ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ତାଙ୍କ ପରାମର୍ଶରେ ପ୍ରଶାନ୍ତଙ୍କ ସହିତ ସରୋଜ ତାଙ୍କ ଘରକୁ ଯାଇଥିଲେ। ପ୍ରଶାନ୍ତ ସେଠାରେ ସରୋଜଙ୍କୁ ୭୫ ହଜାର ଟଙ୍କାର ଚେକ୍ ଦେଇଥିଲେ। କିନ୍ତୁ ସରୋଜ ସେହି ଚେକ୍‌କୁ ଗ୍ରହଣ କରି ନଥିଲେ ଓ ପୂରା ଟଙ୍କା ମାଗିଥିଲେ। ଘଟଣା ଏତିକି ଘଟିଛି। ପରେ ପ୍ରଶାନ୍ତ କିଛି ଲୋକଙ୍କ ସହିତ ବସି ସେମାନଙ୍କ ପରାମର୍ଶରେ ତାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ବୋଲି କହିଛନ୍ତି ଗିରିଶଚନ୍ଦ୍ର ପଟେଲ। 

Advertisment

ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ସମ୍ବଲପୁର ସଦର ଏସ୍‌ଡିପିଓ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe