Advertisment

ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ

କନ୍ଧମାଳ ଜିଲ୍ଲା ଅତିରିକ୍ତ ଏସ୍‌ପି ଲଳିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଆଧାରରେ ଏହି ତିନି ପୁଲିସ୍ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।

author-image
Jitendra Garnayak
Police

Police

ପୁଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ଭିଡିଓ ଭାଇରାଲ ଘଟଣାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମ୍‌ଗାର୍ଡ- ପ୍ରଶାନ୍ତ କୁମାର ପାତ୍ର ଏବଂ ରବୀନ୍ଦ୍ର କୁମାର ନାୟକଙ୍କ ନାଁରେ ଏନ୍‌ଡିପିଏସ୍‌ (Narcotic Drugs and Psychotropic Substances) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। କନ୍ଧମାଳ ଜିଲ୍ଲା ଅତିରିକ୍ତ ଏସ୍‌ପି ଲଳିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଆଧାରରେ ଫିରିଙ୍ଗିଆ ଥାନାରେ ଏହି ତିନି ପୁଲିସ୍ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।

Advertisment

ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯିବା ପରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ ତାରିଖରେ ଫୁଲବାଣୀରେ ଆୟୋଜିତ ହେବାକୁ ଥିବା ଶୋଭାଯାତ୍ରା ଓ ସମାବେଶକୁ ସ୍ଥଗିତ କରି ଦିଆଯାଇଛି। ମିଳିତ ମଞ୍ଚର ଆବାହକ ଲମ୍ବୋଧର କହଁର ଏହି ସୂଚନା ଦେଇଛନ୍ତି। ତତ୍‌କାଳୀନ ଆଇଆଇସି ତପନ କୁମାର ନାହାକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାକୁ ତଥା ଥାନା ପୋଡ଼ି ମାମଲାରେ କିଛି ଲୋକଙ୍କୁ ଗିରଫ କରିବା ପରେ ନିସ୍ତୁକ ମାଡ଼ ମରାଯାଇଥିବା ପ୍ରତିବାଦରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ରେ ଫୁଲବାଣୀରେ ଶୋଭାଯାତ୍ର ଓ ସମାବେଶ ପାଇଁ ଡାକରା ଦିଆଯାଇଥିଲା।

ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁରେ ଏକ ଗଞ୍ଜେଇ ଭର୍ତ୍ତି ବୋଲରୋକୁ ଧରିଥିଲେ ସ୍ଥାନୀୟ କିଛି ଲୋକ। ଏହାର ଭିଡିଓ ମଧ୍ୟ ସେମାନେ ଉତ୍ତୋଳନ କରିଥିଲେ। ଏହା ପରେ ଗତ ୫ ତାରିଖରେ ଥାନାର ତତ୍‌କାଳୀନ ଆଇଆଇସି ତପନ କୁମାର ନାହାକ ଓ ତାଙ୍କର ସହଯୋଗୀମାନେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଲୋକେ ଫିରିଙ୍ଗିଆ ବ୍ଳକ୍ ଛକରେ ରାସ୍ତାରୋକ କରିଥିଲେ। ଏହି ପୁଲିସ୍ କର୍ମଚାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ। ଅପରାହ୍ନରେ ଉତ୍ତେଜିତ ଲୋକେ ଥାନା ପରିସରରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଏହା ସହିତ କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ।

Advertisment

ହିଂସାକାଣ୍ଡ ବେଳେ ଥାନା ଛାଡ଼ି ପଳାଇବା କାରଣରୁ ଦୁଇ ସପ୍ତାହ ତଳେ ଫିରିଙ୍ଗିଆ ଥାନାର ତତ୍‌କାଳୀନ ଆଇଆଇସି ତପନ କୁମାର ନାହାକଙ୍କୁ ନିଲମ୍ବନ କରାଯାଇଥିଲା। ତା’ପୂର୍ବରୁ ତାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

Police Ganja IIC